ଭୁବନେଶ୍ବର: ଜଣାଶୁଣା ବ୍ଲଗର କାମିଆ ଜାନିଙ୍କ ଦ୍ବାରା ଶ୍ରୀକ୍ଷେତ୍ର ପରିକ୍ରମାକୁ ନେଇ ପ୍ରସ୍ତୁତ ଭିଡିଓକୁ ନେଇ ବିବାଦ ଲାଗି ରହିଛି। ଆଜି ମଧ୍ୟ ଏହି ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ସାଂସଦ ମାନସ ମଙ୍ଗରାଜ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋସିଆଲ ମିଡିଆ ‘ଏକ୍ସ’ରେ କିଛି ପ୍ରଶ୍ନ ପଚାରିଛନ୍ତି। ଏପଟେ ଏହାର ଜବାବ ରଖିଛନ୍ତି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ସାଂସଦ ଶ୍ରୀ ମଙ୍ଗରାଜ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ କେନ୍ଦ୍ରର ବିଜେପି ସରକାର ହିନ୍ଦୁ ମନ୍ଦିର ଓ ଐତିହ୍ୟ ଉପରେ ଚଳଚ୍ଚିତ୍ର ନିର୍ମାଣ ପାଇଁ କାମିଆ ଜାନିଙ୍କୁ ନିଯୁକ୍ତି କରିଛନ୍ତି। ଚାରଧାମ ଓ ଅଯୋଧ୍ୟା ରାମ ମନ୍ଦିର ଓ ରାମ ଲାଲାଙ୍କୁ ଦେଖିବାକୁ କାମିଆ ଯାଇଥିଲେ। ଯାହାକୁ ଆପଣ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତେଣୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏଭଳି ଅସହିଷ୍ଣୁତା ବାରି ହୋଇପଡ଼ୁଛି। କାହିଁକି ଏଭଳି ମିଛ ଖବର ପ୍ରସ୍ତୁତ କରୁଛନ୍ତି ଓ ଲୋକଙ୍କ ବୌଦ୍ଧିକତାକୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି? କ୍ରମାଗତ ଏଭଳି ମିଥ୍ୟା ଖବର ଜରିଆରେ ଓଡ଼ିଶାକୁ ନୀଚ୍ଚା ଦେଖାଇବାର ଉଦ୍ଦେଶ୍ୟ କ’ଣ? ପୂର୍ବରୁ କାମିଆଙ୍କ ହିନ୍ଦୁ ମନ୍ଦିର ସଂପର୍କିତ ପୋଷ୍ଟଗୁଡ଼ିକୁ ସେୟାର କରିଥିଲେ ହେଁ ଶ୍ରୀମନ୍ଦିରକୁ ନେଇ ସମସ୍ୟା କାହିଁକି?’
ହିନ୍ଦୁ ମନ୍ଦିର ଉପରେ ଚଳଚ୍ଚିତ୍ର ନିର୍ମାଣ ପାଇଁ କାମିଆଙ୍କୁ ନିଯୁକ୍ତି ଦିଆଯାଇଛି
ମହାପ୍ରସାଦର ପ୍ରମୋସନର ଆବଶ୍ୟକତା ନାହିଁ ବୋଲି କହିଲେ ଲଳିତେନ୍ଦୁ
ଏହି ମନ୍ତବ୍ୟକୁ ନେଇ ଜବାବ ଦେଇ ବିଧାୟକ ଶ୍ରୀ ମହାପାତ୍ର କହିଛନ୍ତି ଯେ ମହାପ୍ରସାଦ କୌଣସି ରେସ୍ତୋରାଁରେ ପ୍ରସ୍ତୁତ ଖାଦ୍ୟ ନୁହେଁ ଯେ ଏହାର ପ୍ରମୋସନ ଆବଶ୍ୟକତା ପଡ଼ିବ। ଏହା କୋଟି କୋଟି ହିନ୍ଦୁ ଓ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ। ତେଣୁ କୌଣସି ବ୍ଲଗରଙ୍କ ଦ୍ବାରା ଏହାର ପ୍ରମୋସନର କୌଣସି ଆବଶ୍ୟକତା ନାହିଁ। ଏହା ଠିକ୍ କି ଭୁଲ୍ ଜଣେ ଓଡ଼ିଆ ଭାବେ ନିଜକୁ ପଚାରନ୍ତୁ। ବ୍ୟକ୍ତିବିଶେଷ କିମ୍ବା ଦଳ ଶ୍ରୀଜଗନ୍ନାଥ ସଂସ୍କୃତିର ଉର୍ଦ୍ଧ୍ବରେ ନୁହନ୍ତିବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଅପରପକ୍ଷରେ କାମିଆ ଜଣେ ପେଡ୍ ବ୍ଲଗର ହୋଇଥିବା ବେଳେ ତାଙ୍କ ପୁରୀ ଗସ୍ତ ଓ ସେ କରିଥିବା ପ୍ର ମୋସନରେ ସରକାରଙ୍କ କେତେ ଟଙ୍କା ଖର୍ଚ୍ଚ ହୋଇଛି ରାଜ୍ୟ ସରକାରଙ୍କୁ ଏହାର ଉତ୍ତର ଦେବାକୁ ହେବ ବୋଲି ପଚାରିଛନ୍ତି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ। ଏହି ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀପ ମଲ୍ଲିକ ଓ ସୁଜିତ ଦାସ ଉପସ୍ଥିତ ଥିଲେ।