ଭୁବନେଶ୍ବର: ୩୦ ଜିଲ୍ଲାରୁ ୬୧୩୧ ନବନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର । ଗୁରୁବାର ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ନିଯୁକ୍ତି ପତ୍ର । କଟକରୁ ସର୍ବାଧିକ ୪୩୮ ଜଣ ନିଯୁକ୍ତି ପାଉଥିବାବେଳେ ଗଞ୍ଜାମ ଓ ସୁନ୍ଦରଗଡରୁ ୩୯୧, ମୟୁରଭଞ୍ଜରୁ ୩୮୨, ଖୋର୍ଦ୍ଧାରୁ ୧୯୨ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଉଛନ୍ତି । ପଞ୍ଚାୟତ ନିର୍ବାଚନର ଠିକ ଆଗରୁ ଏଭଳି ଇନିସିଆଲ ଆପଏଣ୍ଟିକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି ।
ରାଜ୍ୟରେ ସ୍କୁଲ ଗୁଡିକରେ ଶିକ୍ଷକ ଅଭାବ ରହିଛି, ଯେଉଁଥିପାଇଁ ପଦବି ପୂରଣ ପାଇଁ ଅନେକ ସମୟରେ ଦାବି ଉଠିଥାଏ । ସରକାରଙ୍କ ଏହି ନିଷ୍ପତ୍ତି ଯଦିଓ ସଠିକ, ହେଲେ ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କହିଛନ୍ତି, ଏହା ଏକ ନିର୍ବାଚନୀ ଧୂଆଁବାଣ । ବଡ କଥା ହେଉଛି, ୫-ଟି ଅଧୀନରେ ଯେଉଁସବୁ ସ୍କୁଲ ରୁପାନ୍ତରଣ ହୋଇଛି, ଏହି ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସେଠାରେ ଦାୟିତ୍ୱ ତୁଲାଇବେ । ଶିକ୍ଷକ ସଂଘ କହିଛି, ରାଜ୍ୟ ସରକାର ସମସ୍ତ ସ୍କୁଲ ପାଇଁ ପଦକ୍ଷେପ ନେବା ଦରକାର ।
ରାଜ୍ୟରେ ଏବେ ପ୍ରାୟ ୯୦ ହଜାର ଶିକ୍ଷକ ପଦବି ଖାଲି ପଡିଛି । ଏନେଇ ସରକାରଙ୍କ ମନୋଭାବକୁ ନେଇ ପୂର୍ବରୁ ପ୍ରଶ୍ନ ଉଠିଛି । ସେହିଭଳି ବିଧାୟକ ନିଜ ଅଞ୍ଚଳରେ ଚାହିଁଲେ ଦୁଇ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବା ନେଇ ହୋଇଥିବା ନିଷ୍ପତ୍ତି ରାଜନୈତିକ ଦୃଷ୍ଟିକୋଣରୁ ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଉଥିଲା । ଆଉ ଏବେ ନୂଆ ଶିକ୍ଷକ ନିଯୁକ୍ତି ମଧ୍ୟ ରାଜନୈତିକ ଦିଗକୁ ସାମ୍ନାକୁ ଆଣୁଥିବା କୁହାଯାଉଛି ।