ରାୟଗଡ଼ା: ନାଗାର୍ଜୁନ ପିଡ଼ିକା। ବୟସ ପାଖାପାଖି ୩୦ ହେବ। ଘର ହାଲବା ପଞ୍ଚାୟତର ଉପଲ ସାଙ୍କେଶ ଗ୍ରାମ। ବାପା ମୂର୍ତ୍ତି ପିଡ଼ିକା ଓ ମାଆ ଧନମତି ପିଡିକାଙ୍କ ପୁତ୍ର ନାଗାର୍ଜୁନ। ନାଗାର୍ଜୁନ ଜନ୍ମହେବା ପରେ ମା’ଙ୍କର ମୃତ୍ୟୁ ହୋଇଯାଇଥିଲା। ସେ ଯେତେବେଳେ ୩ ବର୍ଷର ଶିଶୁ ସେତେବେଳେ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା।ଦୁନିଆରେ ସେ ଏକାକୀ ହୋଇଯାଇଥିଲେ। କିନ୍ତୁ ତାଂକର ବଡ ବାପା ଓ ଅନ୍ୟ ସଂପର୍କୀୟମାନେ ତାକୁ ପାଳିଥିଲେ। ସେ ବହୁ କଷ୍ଟରେ ୧୦ମ ପର୍ଯ୍ୟନ୍ତ ପାଠ ପଢିପାରିଥିଲେ।ଆଗକୁ ଆର୍ଥିକ ଅନାଟନ ଦେଇ ଗତି କରିବାରୁ ସେ ଅଧାରୁ ପାଠ ପଢା ଛାଡିବାକୁ ବାଧ୍ୟ ହୋଇଥିଲେ। ଗୋଟିଏ ଗୋଡ ନଥିବାରୁ ଏକ ଲମ୍ବା ବାଡିକୁ ତାର ଅନ୍ୟ ଏକ ଗୋଡ଼ ରୂପେ ଭାବି ନେଇଥିଲେ। ସେହି ବାଡ଼ି ହିଁ ତାଂକର ସାହା ଭରସା। ନାଗାର୍ଜୁନଙ୍କୁ ଡାହାଣ ଗୋଡଟି ପୋଲିଓ ରୋଗରେ ପୀଡିତ ହୋଇ ଅକାମୀ ହୋଇଯାଇଛି।

Advertisment

ତେବେ ଭିନ୍ନକ୍ଷମ ହୋଇ ସେ କାହା ଉପରେ ବୋଝ ବନିବାକୁ ପ୍ରସ୍ତୁତ ନଥିଲେ। ଦିନେ ମୋବାଇଲରେ ପଶୁ ବିଭାଗର ବିଜ୍ଞାପନ ଦେଖିଲେ ଯେ କୁକୁଡା ଚାଷ କଲେ ସରକାରୀ ସୁବିଧା ପ୍ରଦାନ କରାଯିବ। ତୁରନ୍ତ ସେ ସ୍ଥାନୀୟ ପଶୁ ଡାକ୍ତରଖାନାର ଏଲଆଇଙ୍କ ସହ ସାକ୍ଷାତ କରି କିପରି ସେ କୁକୁଡ଼ା ଚାଷ କରିବେ ଏବଂ ଏଥିପାଇଁ ତାଂକୁ କଣ କଣ କରିବାକୁ ହେବ ବୁଝି ନେଇଥିଲେ। ସରକାରଙ୍କ ତରଫରୁ ତାଂକୁ ୧ ଲକ୍ଷ ୮୦ ହଜାର ଟଂକାର ଋଣ ପ୍ରଦାନ କରାଯାଇଥିଲା। ଏଥିରେ ଚାଳିଶି ପ୍ରତିଶତ ହିସାବରେ ୭୨ ହଜାର ଟଂକା ଋଣ ଛାଡର ବ୍ୟବସ୍ଥା ରହିଥିଲା। ସେ ଏବେ ନିଜ ଜାଗାରେ ଏକ କୁକୁଡା ଫାର୍ମ କରି ପ୍ରାୟ ୫୦୦ ଚିଆଁ ଆଣି ତାକୁ ବଡ କରି ବେଶ ସ୍ବାବଲମ୍ବୀ ହୋଇଛନ୍ତି।ଜୀବନ୍ତ କୁକୁଡ଼ାକୁ କିଲୋ ପ୍ରତି ୧୩୦ ଟଂକାରେ ବିକ୍ରି କରୁଛନ୍ତି।ଏବେ ସେ ନିଜର ଅଧା କୁକୁଡା ବିକ୍ରି କରିସାରିଲେଣି। କିନ୍ତୁ ଗତ ଦୁଇ ସପ୍ତାହ ତଳେ ଅଜଣା ରୋଗର ଶିକାର ହୋଇ ତାଂକର ପ୍ରାୟ ୫୦ରୁ ଊର୍ଦ୍ଧ୍ବ କୁକୁଡା ମରିଯାଇଥିବା ନାଗାର୍ଜୁନ କହିଥିଲେ।

publive-image

ତେବେ ଏଥିପାଇଁ ସେ ବିଭାଗକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ନାଗାର୍ଜୁନ କେବଳ ସ୍ବାବଲମ୍ବୀ ହେଲେ ସେତିକି ନୁହେଁ ବରଂ ସେ ନିଜ ଗ୍ରାମର ୫ ଜଣ ବେକାର ଯୁବକଙ୍କୁ କାମରେ ନିୟୋଜିତ କରିଛନ୍ତି। ଯୁବକମାନେ ମଧ୍ୟ ନାଗାର୍ଜୁନଙ୍କ ପାଖରେ କାମ କରି ବେଶ ଖୁସିରେ ଅଛନ୍ତି। ଦିନକୁ ଦୁଇ ଶହ ଟଂକାରେ ଗାଁରେ କାମ ପାଇବା ପରେ ଯୁବକମାନେ ନାଗାର୍ଜୁନ ଭାଇଙ୍କ ନିକଟରେ କୃତଜ୍ଞ ବୋଲି କହିଥିଲେ। ନାଗାର୍ଜୁନଙ୍କ କହିବା ଅନୁଯାୟୀ ଏହି ଯୁବକମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ନାହିଁ ନଥିବା ନିର୍ଯାତନା ପାଇବା ସହ ମୃତ୍ୟୁ ମୁଖରେ ପଡୁଛନ୍ତି।

ତେବେ ସେମାନଙ୍କୁ ଏଠାରେ କାମର ସୁଯୋଗ ଦେଲେ ସେମାନେ ନିଜର ପରିବାର ଦେଖାଶୁଣା କରିବା ସହ ନିଜର ମଧ୍ୟ ଉନ୍ନତି କରିପାରିବେ। ଆଗକୁ ଆହୁରି ଏଭଳି ଯୋଜନା କରିବାର ଆଶା ରଖିଥିବା ନାଗାର୍ଜୁନ କହନ୍ତି। କେବଳ କୁକୁଡା ଚାଷ ନୁହେଁ ସେ ନିଜ ଜମିରେ ଧାନ ଚାଷ ସହ ପରିବା ଚାଷ ମଧ୍ୟ କରି ବେଶ ଦିପଇସା ରୋଜଗାର କରୁଛନ୍ତି।ସେ କାହା ଉପରେ ନିର୍ଭର କରି ଚଳିବା ତାଂକ ପାଇଁ ଲଜ୍ଜାର ବିଷୟ ବୋଲି କହିଥିଲେ। ଅନ୍ୟ ଭିନ୍ନକ୍ଷମ ଭାଇମାନଙ୍କୁ ମଧ୍ୟ ସେ କାହା ଉପରେ ନିର୍ଭର ନକରି ନିଜେ ଆତ୍ମ ନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଥିଲେ। ସରକାରଙ୍କର ବିଭିନ୍ନ ଯୋଜନାରେ ସାମିଲ ହୋଇ ଏହାର ଫାଇଦା ଉଠାଇ ପାରିବେ ବୋଲି ସେ କହିଥିଲେ। ତାଂକର ଜିରୋରୁ ହିରୋ ହେବାର ଯାତ୍ରା ଅନ୍ୟ ଭିନ୍ନକ୍ଷମ ଭାଇମାନଙ୍କୁ ପ୍ରେରିତ କରିବ ବୋଲି ଆଶା।