ପ୍ରଦୂଷଣମୁକ୍ତ ସହର ଦାବିରେ ତାଳଚେର ବନ୍ଦ

ଖଣିରେ କୋଇଲା ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ

ତାଳଚେର: ତାଳଚେରକୁ ପ୍ରଦୂଷଣ ମୁକ୍ତ ସହରରେ ପରିଣତ କରାଯାଉ। ଏଥିସହିତ, ଅନ୍ୟ ସମସ୍ୟାଗୁଡ଼ିକର ମଧ୍ୟ ତୁରନ୍ତ ସମାଧାନ କରାଯାଉ। ଏହି ଦାବି ନେଇ ତାଳଚେର ସୁରକ୍ଷା ପରିଷଦ ପକ୍ଷରୁ ଆଜି ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବନ୍ଦ ପ୍ରଭାବରେ ସହରର ଦୋକାନ ,ବଜାର ବନ୍ଦ ରହିଥିଲା। ୫୩ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ବନ୍ଦ ପ୍ରଭାବରେ ବିଭିନ୍ନ କୋଇଲା ଖଣିରେ କୋଇଲା ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି। ସକାଳ ୬ ଟାରୁ ଆନ୍ଦୋଳନକାରୀମାନେ ୫୩ ନମ୍ବର ଜାତୀୟ ରାଜପଥର ସହର ମଧୢରେ ଥିବା ବାଇପାସ ଟ୍ରାଫିକ୍ ଠାରେ ରାସ୍ତାରେ ଧାରଣା ଦେଇଥିଲେ। ଫଳରେ ଏହି ରାସ୍ତା ଦେଇ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଟ୍ରକଗୁଡିକର ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀମାନେ ଖଣି ଅଞ୍ଚଳକୁ ଯାଇ ବନ୍ଦର ଡାକରା ଦେବା ଫଳରେ ଏମ୍‌ସିଏଲର ଲିଙ୍ଗରାଜ, ଭୁବନେଶ୍ବରୀ, ଅନନ୍ତ ଓ ଜଗନ୍ନାଥ କୋଇଲା ଖଣିରେ କୋଇଲା ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଥିଲା। ଆନ୍ଦୋଳନ ଯୋଗୁ ଅପରାହ୍ନ ୧୨ଟା ସୁଦ୍ଧା ଲିଙ୍ଗରାଜ ଖଣିରୁ କଣିଁହା ତାପଜ ବିଦ୍ୟୁତ କେନ୍ଦ୍ରକୁ କୋଇଲା ରେଳ ଯୋଗେ ପରିବହନ ବନ୍ଦ ରହିଥିଲା। ଅନ୍ୟପକ୍ଷରେ, ପୁଲିସ ସମୁଦାୟ ୨୦ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା। ପରେ ବ୍ୟକ୍ତିଗତ ମୁଚାଳିକାରେ ସେମାନଙ୍କୁ ଛାଡିଥିଲା। ସନ୍ଧ୍ୟା ୬ଟା ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର