ଭବାନୀପାଟଣା: କଳାହାଣ୍ଡି ଲୋକସଭା ଆସନ ନିମନ୍ତେ ସୋମବାର ଆପାତତଃ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୬.୩୪% ମତଦାନ ହୋଇଥିବା ବେଳେ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ବହୁ ଭୋଟର ଲମ୍ବା ଧାଡ଼ିରେ ଥିଲେ। କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଜଣେ ପୋଲିଂ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଯୋଗୁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ପାଗ ଅନୁକୂଳ ଥିବାରୁ ମତଦାନ ହାରରେ ବୃଦ୍ଧି ଘଟିଛି। ଏହି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ହାର ୬୬.୨୨%, ଖରିଆର ନିର୍ବାଚନମଣ୍ଡଳୀରେ ୬୧.୫୩%, ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀରେ ୬୩.୩୮%, ଜୁନାଗଡ଼ ନିର୍ବାଚନମଣ୍ଡଳୀରେ ୭୦.୪୫%, ଧର୍ମଗଡ଼ ନିର୍ବାଚନମଣ୍ଡଳୀରେ ୭୦.୦୬%, ଭବାନୀପାଟଣା ନିର୍ବାଚନମଣ୍ଡଳୀରେ ୬୨.୦୨%, ନର୍ଲା ନିର୍ବାଚନମଣ୍ଡଳୀରେ ୭୦.୪୩% ଭୋଟଦାନ ହୋଇଥିଲା।
ଅନୁକୂଳ ପାଗ ଯୋଗୁ ସକାଳୁ ବହୁ‌ ଭୋଟର୍‌ ମତଦାନ କେନ୍ଦ୍ରଗୁଡ଼ିକୁ ଆସି ଲମ୍ବାଧାଡ଼ିରେ ଠିଆ ହୋଇ ଭୋଟ ଦେଇଥିଲେ।

Advertisment

ସନ୍ଧ୍ୟା ୫ଟା ସୁଦ୍ଧା ୬୬.୩୪% ଭୋଟ୍‌ଦାନ
କାର୍ଯ୍ୟରେ ଅବହେଳା ଯୋଗୁ ପୋଲିଂ ଅଫିସର ନିଲମ୍ବିତ
ଲୁହରା‌ଜୋର ବୁଥ୍‌ରେ ପୁଲିସ-ଭୋଟର ଧସ୍ତାଧସ୍ତି
ଭବାନୀପାଟଣା ବ୍ଲକ୍‌ ସଲପାଙ୍ଗବାସୀଙ୍କ ଭୋଟ୍‌ ବର୍ଜନ

ନର୍ଲା ନିର୍ବାଚନମଣ୍ଡଳୀର ତୁର୍ଲାଖମନ ବୁଥ୍‌ ନମ୍ବର ୧୬ରେ ଚତୁର୍ଥ ପୋଲିଂ ଅଫିସର ତେଜାଂଶୁ ସାହା ବୁଥ୍‌ରେ ଥିବା ବେଳେ ଭୋଟରଙ୍କୁ ନିର୍ଦ୍ଦିଷ୍ଟ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କହିବା ନେଇ ୱେବ୍‌କାଷ୍ଟରେ ଜଣାପଡ଼ିଥିଲା। ଏହି ଘଟଣାରେ ନିର୍ବାଚନ କମିସନ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେ ଧର୍ମଗଡ଼ ସବ୍‌ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ରେଭିନ୍ୟୁ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ଥୁଆମୂଳ ରାମପୁର ବ୍ଲକ୍‌ର ଲୋହରା‌ଜୋର ଗ୍ରାମରେ ପୁଲିସ ଓ ଭୋଟରଙ୍କ ମଧ୍ୟରେ କଥା କଟାକଟିରୁ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ଫଳରେ କିଛି ସମୟ ପାଇଁ ଭୋଟ ଗ୍ରହଣ ବନ୍ଦ ରହିଥିଲା। ପରେ ଭୋଟଦାନ ସ୍ୱାଭାବିକ ହୋଇଥିଲା। ଭବାନୀପାଟଣା ସହରର ବିଭିନ୍ନ ବୁଥ୍‌ରେ ଶହ ଶହ ଭୋଟରଙ୍କ ନାଁ ନଥିବା ଯୋଗୁ ସେମାନେ ମତଦାନରୁ ବଞ୍ଚିତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଭବାନୀପାଟଣା ସହରର ଇରିଗେସନ କଲୋନିରେ ଗତ ୨୦୧୯ ମସିହାରେ ଭୋଟ ଦେଇଥିଲେ ମଧ୍ୟ ଚଳିତ ନିର୍ବାଚନରେ ନାମ ନଥିବା ଯୋଗୁ କିଛି ଭୋଟର୍‌ ଭୋଟ ଦେଇପାରି ନଥିଲେ। ରାଜେନ୍ଦ୍ର ପ୍ରସାଦ ପାଢ଼ୀ, ଯତୀନ୍ଦ୍ର ପ୍ରସାଦ ପାଢ଼ୀ, ସୁରମା ପାଢ଼ୀ, ସଙ୍ଗୀତ ଠାକୁର, ଯାଜ୍ଞସେନୀ ପାଢ଼ୀ, ସୁଜାତା ଯୋଶୀ ପ୍ରମୁଖ ଭୋଟର୍‌ ସମସ୍ତ ବୁଥ୍‌ରେ ନିଜ ନାମ ଖୋଜି ନପାଇବାରୁ ନିରାଶ ଫେରିଥିଲେ। ଭବାନୀପାଟଣା ଟାଉନ୍‌ ହାଇସ୍କୁଲ୍‌, ଗାନ୍ଧୀଛକ ସ୍କୁଲ୍‌, ଜୟପାଟଣା ବ୍ଲକ୍‌ର କାଦୋପଦର, ଜୁନାଗଡ଼ ବ୍ଲକ୍‌ର  କୁରୁଗୁଡ଼ା ବୁଥ୍‌ ସମେତ ବହୁ ବୁଥ୍‌ରେ ଇଭିଏମ ତ୍ରୁଟି ଯୋଗୁ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିଲା। ସେହିଭଳି ଜୁନାଗଡ଼ ବ୍ଲକ୍‌ର ଭଇଁରିଗୁଡ଼ା ବୁଥ୍‌ ନମ୍ବର ୨ରେ ମେସିନରେ ତ୍ରୁଟି ଯୋଗୁ ଭୋଟଦାନ ବିଳମ୍ବ ହୋଇଥିବା ନେଇ ଭୋଟରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। କଳାହାଣ୍ଡି ଜିଲ୍ଲାର କେବଳ ଭବାନୀପାଟଣା ବ୍ଲକ୍‌ର ସଲପାଙ୍ଗ ବୁଥ୍‌ରେ ଲୋକେ ଭୋଟ୍‌ବର୍ଜନ କରିଥିଲେ। ଜିଲ୍ଲାର ସଖୀବୁଥ୍‌ ଓ ସ୍ୱତନ୍ତ୍ର ଥିମ୍‌ ଥିବା ବୁଥ୍‌ରେ ଭୋଟରଙ୍କ
ଉତ୍ସାହ ଦେଖାଯାଇଥିଲା।