ଭୁଲ୍‌ରେ କ୍ଲୋଜ୍‌ ବଟନ୍‌ ଟିପି ପୋଲିଂ ଅଧିକାରୀ ହଟିଲେ

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଏବଂ ଏନ୍‌ଏସି ର ୪୦ଟି ମତଦାନ କେନ୍ଦ୍ରରେ ଶାନ୍ତିଶୃଙ୍ଖଳା ସହ ଭୋଟ ସରିଛି। ନିୟମ ମୁତାବକ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ କେଉଁଠି ଦଳୀୟ ଏଜେଣ୍ଟ ନପହଂଚିବା, ଇଭିଏମ କାର୍ଯ୍ୟ ନ କରିବା ଓ ଅନଭିଜ୍ଞ ପୁଲିଂ ଅଧିକାରୀଙ୍କ ପାଇଁ ଭୋଟ ଗ୍ରହଣରେ ସାମାନ୍ୟ ବିଳମ୍ବ ଦେଖା ଦେଇଥିଲା।

ଘୁ.ଉଦୟଗିରି ସହରର ହବାକ ହାଇସ୍କୁଲ ଠାରେ ବୁଥ ନଂ ୬୭ରେ ୫ମ ପୋଲିଂ ଅଧିକାରୀ ମତଦାନର ୪ଘଣ୍ଟା ପରେ ମୋଟ ମତଦାନ ଦେଖିବା ପାଇଁ ଉଦ୍ଦିଷ୍ଟ ବଟନ ଚିପିବା ବଦଳରେ ଇଭିଏମ୍‌ର କ୍ଲୋଜ୍‌ ବଟନ ଚିପି ଦେଇଥିଲେ। ଯାହାଫଳରେ ଘଣ୍ଟାଏରୁ ଅଧିକ ସମୟ ଧରି ମତଦାନ ଅଧାରେ ବନ୍ଦ ‌ରହିଥିଲା। ଖବର ପାଇ ବ୍ଲକ୍‌ ନିର୍ବାଚନ ଅଧିକାରୀ ଶାନ୍ତନୁ ନାୟକ ବୁଥରେ ପହଂଚି ଭୁଲ କରିଥିବା ପୋଲିଂ ଅଧିକାରୀଙ୍କୁ ତାଗିଦ୍‌ କରିବା ସହ ତାଙ୍କୁ ତୁରନ୍ତ ସେହି ବୁଥ୍‌ରୁ ବାହାର କରି ଦେଇଥିଲେ ଏବଂ ଅନ୍ୟ ଏକ ଇଭିଏମ ଆଣି ମତଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର