ଫୁଲବାଣୀ : କନ୍ଧମାଳ ମାଓ ଇଲାକାରେ ଏଥର ସାଧାରଣ ନିର୍ବାଚନ ପରିଚାଳନା ପୁଲିସ ଓ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ନିର୍ବାଚନ ପୂର୍ବ ଦିନ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଫିରିଙ୍ଗିଆ ବ୍ଳକ ମୁଙ୍ଗୁନିପଦରରେ ପୁଲିଂ କର୍ମଚାରୀଙ୍କୁ ଓହ୍ଳାଇ ମାଓବାଦୀ ଗାଡ଼ି ପୋଡ଼ିଲେ। ବାରହାଲା ରାସ୍ତାରେ ପୁଲିଂ ପାର୍ଟି ଯାଉଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିବା ସହ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ପୁଲିଂ ସୁପରଭାଇଜର ତଥା ମହିଳା ଜିଏଆରଏସ୍ ସଂଯୁକ୍ତା ଦିଗାଲଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁଇ ବୁଥରେ ଭୋଟ କରାଇବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ପୁଲିସ ଓ ପ୍ରଶାସନର କଠୋର ପଦକ୍ଷେପ ଓ ପୋଲିଂ କର୍ମଚାରୀଙ୍କ ଦୃଢ ମନୋବଳ ଯୋଗୁଁ ଏହି ଦୁଇ ସ୍ଥାନରେ ଭୋଟ ସୁରୁଖୁରରେ ଶେଷ ହୋଇଛି। ମୁଙ୍ଗୁନିପଦର ବୁଥ୍ରେ ପୋଲିଂ କର୍ମଚାରୀ ଗତକାଲି ପ୍ରତ୍ୟୁଷରେ ପହଞ୍ଚି ଭୋଟ କରାଇଥିଲେ। ସେଠାରେ ୫୨ ପ୍ରତିଶତ ମତଦାତା ଭୋଟ ଦେଇଥିଲେ। କଡ଼ା ସୁରକ୍ଷାରେ ରାତିରେ ପୋଲିଂ କର୍ମଚାରୀ ଫେରିଥିଲେ। ହେଲେ ବାରାହାଲା ବୁଥ୍ରେ ଅପରାହ୍ନ ୪ଟାରେ ଭୋଟ ଶେଷ ହୋଇଥିଲା। ୬୩ ପ୍ରତିଶତ ଭୋଟ ହୋଇଥିଲେ ବି ପୁଣି ରାସ୍ତାରେ ମାଓବାଦୀ ଗଛ ପକାଇବାରୁ କର୍ମଚାରୀ ଫୁଲବାଣୀକୁ ଫେରିବା ସମ୍ଭବ ହୋଇ ପାରି ନଥିଲା। ବୁଥ ଛାଡି ପୋଲିଂ କର୍ମଚାରୀ ଚାଲିଚାଲି କିଛି ବାଟ ଯାଇଥିଲେ। ସାଙ୍ଗରେ ମାତ୍ର ୨ ଜଣ ସୁରକ୍ଷା କର୍ମଚାରୀ ଥିଲେ। ରାତି ହୋଇଯିବାରୁ ଜଙ୍ଗଲରେ ରାତି ଯାପନ କରିଥିଲେ। ବର୍ଷାରେ ଭିଜି ଥିଲେ। ବିସ୍କୁଟ ଖାଇ ପାଣି ପିଇ ରାତି ବିତାଇଥିଲେ। ତାପରେ ଆଜି ସକାଳେ ପୁଲିସ ଫୋର୍ସ ଜଙ୍ଗଲରେ ପହଞ୍ଚିବା ପରେ ପୋଲିଂ କର୍ମଚାରୀ ୧୫ କିଲୋମିଟର ଚାଲିଚାଲି ବାଲନ୍ଦାପଡାରେ ପହଞ୍ଚିଥିଲେ। ସେଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଆସି ୧୨ଟାରେ ଫୁଲବାଣୀରେ ପହଞ୍ଚିଥିଲେ। ଭୟ ସାଙ୍ଗକୁ ବର୍ଷା। ଏମିତି ଗୋଟିଏ ରାତି କିଭଳି ବିତିଥିଲା ସେ ନେଇ ପ୍ରିଜାଇଡିଂ ଅଫିସର ସୁଧାଂଶୁ ଶେଖର ମେହେର ଗଣମାଧ୍ୟମକୁ କହିଥିଲେ। ପୋଲିଂ ଦଳର ଅନ୍ୟ କର୍ମଚାରୀ ସଲମନ ବଳିଆରସିଂହ,ସଂଜୟ କୁମାର ବେହେରା, ପିକେନ୍ଦ୍ର ପ୍ରଧାନ, ସୂର୍ଯ୍ୟକାନ୍ତ ସାହୁ ଏବଂ ଏସ.ଯୋଗେଶ ଦୋରା ପ୍ରମୁଖ ବି ଜଙ୍ଗଲରେ ବିତାଇବା ଅନୁଭୂତି ସମ୍ପର୍କରେ ବଖାଣିଥିଲେ। ଜୀବନ ପ୍ରତି ଭୟ ଥିଲେ ବି ଶାନ୍ତିଶୃଙ୍ଖଳାର ସହ ମତଦାନ କରାଇ ଥିବାରୁ ସେମାନେ ଖୁସି ବୋଲି କହିଛନ୍ତି। ସେଭଳି ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଥିବା ଦାରିଙ୍ଗବାଡ଼ି ବ୍ଲକର ୧୦୬ଟି ବୁଥରେ ଗତକାଲି ଶାନ୍ତି ଶୃଙ୍ଖଳାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା। ମାଓ ଭୟରେ ବ୍ରାହ୍ମଣୀଗାଁ ଅଞ୍ଚଳର ୩୧ଟି ବୁଥର ପୋଲିଂ ଦଳକୁ ଏସ୍ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡ଼ା ପଠାଇବା ପରିବର୍ତ୍ତେ ବ୍ରାହ୍ମଣୀଗାଁରେ ରାତ୍ରିଯାପନ କରିବାକୁ କୁହା ଯାଇଥିଲା। ଆଜି ସେମାନେ ଗଜପତି ଜିଲ୍ଲାର ଅଡ଼ବା ଓ ବ୍ରହ୍ମପୁର ହୋଇ ବାଲିଗୁଡ଼ାରେ ପହଂଚିଥିଲେ। ସେହିଭଳି ବାଲିଗୁଡା, ତୁମୁଡିବନ୍ଧ, କୋଟଗଡର ବହୁ ପୁଲିଂ କର୍ମଚାରୀ ଗତକାଲି ନ ଫେରି ଆସି କଡା ସୁରକ୍ଷା ମଧ୍ୟରେ ଫେରିଛନ୍ତି।
ଲାଲ୍ ବାହିନୀର ନାଲି ଆଖିକୁ ଡରିଲେନି : ଜଙ୍ଗଲରେ ବର୍ଷାରେ ଭିଜିଲେ ପୋଲିଂ ପାର୍ଟି, ୧୫ କିଲୋମିଟର ଚାଲିଲେ, କଡ଼ା ସୁରକ୍ଷାରେ ଫେରିଲେ
ବିସ୍କୁଟ ଓ ପାଣି ପିଇ ରାତ୍ରୀଯାପନ କଲେ
/sambad/media/post_attachments/wp-content/uploads/2019/04/polling-partyf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)