୧୫ କିଲୋମିଟର୍‌ ବାଟ ଚାଲି ଚାଲି ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ପହଞ୍ଚିଲେ ମାଓବାଦୀଙ୍କ ଭୟରେ ବଣରେ ଛପିଥିବା ପୋଲିଙ୍ଗ୍‌ ପାର୍ଟି

ଫୁଲବାଣୀ: ବଣରେ ଦୀର୍ଘ ୧୫ କିଲୋମିଟର ବାଟ ଚାଲିବା ପରେ ଆଜି ସକାଳେ ବଲନ୍ଦାପଡ଼ାସ୍ଥିତ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ପହଞ୍ଚିବା ପରେ ପୁଲିସ ତତ୍ତ୍ୱାବଧାନରେ ପୂର୍ବାହ୍ନ ୧୧ଟା ବେଳେ ଫୁଲବାଣୀରେ ପହଞ୍ଚିଛନ୍ତି ମାଓବାଦୀଙ୍କ ଭୟରେ ବଣରେ ରାତ୍ରୀଯାପନ କରିଥିବା ଏକ ପୋଲିଙ୍ଗ୍‌ ପାର୍ଟି।

ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଭୋଟ୍‌ ଗ୍ରହଣ ଡିୟୁଟିରେ ସେମାନଙ୍କୁ ବଲନ୍ଦାପଡ଼ାର ସମ୍ପୂର୍ଣ୍ଣ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳର ବାରାହାଲାର ୧୨ ନମ୍ବର ବୁଥ୍‌ରେ ନିୟୋଜିତ କରାଯାଇଥିଲା। ଅପରାହ୍ଣ ୪ଟାରେ ଭୋଟ୍‌ ଗ୍ରହଣ ଶେଷ ହେବା ପରେ ସେମାନେ ଫୁଲବାଣୀ ଫେରୁଥିବା ବେଳେ ଖବର ପାଇଥିଲେ କି, ସେମାନଙ୍କୁ ଅଟକାଇବାକୁ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଠିକ୍‌ ସେହି ସ୍ଥାନରେ ତିନି ଦିନ ତଳେ ମାଓବାଦୀମାନେ ବିସ୍ଫୋରଣ ଘଟାଇ ପୋଲିଙ୍ଗ୍‌ ପାର୍ଟିର ଗାଡ଼ି ପୋଡ଼ି ଦେଇଥିଲେ।

ତେଣୁ ସେମାନେ ବିନା ପୁଲିସ ସହାୟତାରେ ଆସନ୍ତୁନାହିଁ ବୋଲି ପୁଲିସ ଖବର ଦେଇଥିଲା। କିନ୍ତୁ ରାସ୍ତା ଅବରୋଧ ଯୋଗୁଁ ପୁଲିସ ସେମାନଙ୍କ ପାଖରେ ପହଞ୍ଚି ପାରି ନ ଥିଲା। ଫଳରେ ସେମାନେ ନିକଟବର୍ତ୍ତୀ ଜଙ୍ଗଲରେ ଆତ୍ମଗୋପନ କରିଥିଲେ।  ପୋଲିଙ୍ଗ୍‌ ପାର୍ଟିର ସୁରକ୍ଷା ଲାଗି ନିୟୋଜିତ ସିଆର୍‌ପିଏଫ୍‌  ଯବାନଙ୍କ ସହ ସେମାନେ ଜଙ୍ଗଲରେ ରାତି ବିତାଇଥିଲେ। କିଛି ଖାଦ୍ୟ ନ ଥିବାରୁ ରାତିରେ ବିସ୍କୁଟ୍‌ ଖାଇ ପାଣି ପିଇ ରହିଥିଲେ। ଖରାଦିନିଆ ଝଡ଼ବତାସ ଯୋଗୁଁ ହୋଇଥିବା ବର୍ଷାରେ ମଧ୍ୟ ସେମାନେ  ତିନ୍ତିଥିଲେ ବୋଲି ୧୨ ଜଣିଆ ଟିମ୍‌ର ମୁଖ୍ୟ ସୁଧାଂଶୁ ଶେଖର ମେହେର କହିଛନ୍ତି।

 

ସମ୍ବନ୍ଧିତ ଖବର