ହେଲିକପ୍ଟରରେ ଗଲେ ପୋଲିଂ ପାର୍ଟି

ମାଲକାନଗିରି : ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସମସ୍ତଙ୍କ ଦୃଷ୍ଟିରେ ରହିଥିବା ମାଓପ୍ରବଣ ଅଞ୍ଚଳ ବି ପ୍ରସ୍ତୁତିରେ ଅନ୍ତର୍ଭୁକ୍ତ ହୋଇଛି। ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ପୋଲିଂ ପାର୍ଟି ସ୍ବତନ୍ତ୍ର ହେଲିକପ୍ଟରରେ ଏହି ଦୁର୍ଗମ ଅଞ୍ଚଳରେ ପହଞ୍ଚି ସାରିଛନ୍ତି। ସଡ଼କ କିମ୍ବା ଜଳପଥରେ ଗଲେ ସମୟସାପେକ୍ଷ ଏବଂ ଅନ୍ୟାନ୍ୟ ସମସ୍ୟା ବି ରହିଛି। ସେଇଥିପାଇଁ ପ୍ରଶାସନ ଏହି ପଦ‌େକ୍ଷପ ଗ୍ରହଣ କରିଛି। ତେବେ, ପୋଲିଂ ପାର୍ଟିରେ ସାମିଲ୍‌ ହୋଇଥିବା ସରକାରୀ କର୍ମଚାରୀଙ୍କ ମନରେ ଅଜଣା ଭୟ ଓ ଆଶଙ୍କା ରହିଥିବା ସେମାନଙ୍କ ମତାମତରୁ ଜଣାପଡ଼ିଛି।

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀର ୩୩ଟି ବୁଥ୍‌କୁ ଅତିସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ସେଗୁଡ଼ିକୁ ଅନ୍ୟତ୍ର କିମ୍ବା ନିକଟସ୍ଥ ବୁଥ୍‌କୁ ସ୍ଥାନାନ୍ତର କରାଯାଇଛି। ସେହିପରି ମାଲକାନଗିରି ନିର୍ବାଚନମଣ୍ଡଳୀ ୫ଟି ଅତିସମ୍ବେଦନଶୀଳ ବୁଥକୁ ମଧ୍ୟ ସୁରକ୍ଷା କାରଣରୁ ସ୍ଥାନାନ୍ତରିତ କରାଯାଇଛି। ବିଚ୍ଛିନ୍ନାଞ୍ଚଳ ଅତି ସ୍ପର୍ଶକତାର ହୋଇଥିବାରୁ ପ୍ରାୟ ୧୨ଟି ନକ୍ସଲ ପ୍ରବଣ ଅଂଚଳର ବୁଥ୍‌ ଗୁଡିକୁ କୁନ୍ତରପଦର ସ୍ଥିତ ବିଏସ୍‌ଏଫ କ୍ୟାମ୍ପ ନିକଟକୁ ଅଣାଯାଇଛି।

ଗୋଟିଏ ସ୍ଥାନରେ ବିଏସଏଫ ଯବାନଙ୍କ ସୁରକ୍ଷା ମଧ୍ୟରେ ଅସ୍ଥାୟୀ ବୁଥ ମଧ୍ୟ ନିର୍ମାଣ ହୋଇଛି। ଯଡାମ୍ବ-୧, ଯୋଡାମ୍ବ-୨, ଅଣ୍ଡ୍ରାପାଲୀ, ଯନ୍ତ୍ରୀ, ସନ୍ନ୍ୟାସୀଗୁଡା, ହାଣ୍ଡିଖାଲ, ପଣସପୁଟ, ସିଙ୍ଗଇ, ଗୁରାସେତୁ ଆଦି ବୁଥ୍‌କୁ ବଦଳାଇ କୁନ୍ତରପଦର ବିଏସ୍‌ଏଫ୍‌ କ୍ୟାମ୍ପକୁ ସ୍ଥାନାନ୍ତରିତ କରାଯାଇଛି। ସେଠାକୁ ଆଜି ପୋଲିଂ ପାର୍ଟି ହେଲିକପ୍ଟର ଯୋଗେ ଯାଇଛନ୍ତି। ଥରକରେ ୨ରୁ ୩ଟି ବୁଥ୍‌ର ପୋଲିଂ କର୍ମଚାରୀଙ୍କୁ ସେଠାକୁ ନିଆଯାଇଛି। ଆସନ୍ତାକାଲି ସେହିଭଳି ଭାବେ ସେମାନଙ୍କୁ ଭୋଟ୍‌ବାକ୍ସ ସହିତ ମାଲକାନଗିରିକୁ ଫେରାଇ ଅଣାଯିବ।

ଏସ୍‌ପି ଜଗମୋହନ ମୀନାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସେଠାକୁ ପୋଲିଂ ପାର୍ଟିଙ୍କୁ ପଠାଯାଇଥିଲା।

ଅନ୍ୟପକ୍ଷରେ, ‌ଏହି ପୋଲିଂ ପାର୍ଟିରେ ଥିବା କର୍ମଚାରୀଙ୍କ ମନରେ ଅଜଣା ଭୟ ଓ ଆଶଙ୍କା ରହିଛି। ଜଣେ କର୍ମଚାରୀ କହିଛନ୍ତି ଯେ, ‘ ନିର୍ବାଚନ ଭଳି ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ୍‌ ହେବା ଆମମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ତଥାପି କାଳେ କିଛି ଅଘଟଣ ଘଟିବ, ସେ ନେଇ ମନରେ ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର