ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ନାହିଁ, ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ନିକଟରୁ ହାଇକୋର୍ଟଙ୍କ ଜବାବ ତଲବ

କଟକ : ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଦେବା ଲାଗି ଦିବ୍ୟାଙ୍ଗଙ୍କ ପାଇଁ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ଏହି ଅଭିଯୋଗ ନେଇ ନେଇ ଦାୟର୍‌ ମାମଲାରେ ହାଇକୋର୍ଟ ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ କମିସନ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ବୁଥ୍‌ ଭିତରକୁ ଯାଇ ମତ ଅଧିକାର ସାବ୍ୟସ୍ତ ଲାଗି ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନଥିବା ସଂପର୍କିତ ଫଟୋଗ୍ରାଫ୍ ଆବେଦନକାରୀଙ୍କ ପକ୍ଷରୁ ସତ୍ୟପାଠ ସହିତ ଦାଖଲ କରାଯାଇଥିଲା। ପ୍ରଥମ ପର୍ଯ୍ୟୟ ମତଦାନ ବେଳେ କେତେକ ସ୍ଥାନରେ ଦିବ୍ୟାଙ୍ଗଙ୍କ ପାଇଁ ବୁଥ୍‌କୁ ପ୍ରବେଶ ଲାଗି ସ୍ବତନ୍ତ୍ର ରୢାମ୍ପ୍ କରାଯାଇ ନଥିଲା। ଏଥିସହିତ ଦୃଷ୍ଟିଶକ୍ତିବାଧିତ ଦିବ୍ୟାଙ୍ଗଙ୍କ ପାଇଁ ‌ବ୍ରେଲି ଲିପିର ବ୍ୟାଲଟ୍‌ ପେପର୍‌ ବ୍ୟବସ୍ଥା କରାଯାଇ ନଥିଲା। ଫଳରେ ଦିବ୍ୟାଙ୍ଗମାନେ ଅନ୍ୟମାନଙ୍କ ସହାୟତା ନେଇ ଭୋଟ ‌ଦେବାକୁ ବାଧ୍ୟ ହୋଇଥିଲେ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯିବା ସହିତ ଏଭଳି ଯୁକ୍ତି ସପକ୍ଷରେ ଫଟୋଗ୍ରାଫ୍ ଦାଖଲ କରାଯାଇଥିଲା। ହାଇକୋର୍ଟ ଏଭଳି ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ଅଭିଯୋଗ ଉପରେ ରାଜ୍ୟ ନିର୍ବାଚନ କମିସନ୍‌ଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କମିସନ୍‌ଙ୍କ ଅଧିକାରୀ ଘଟଣାସ୍ଥଳକୁ ଯାଇ ଏଭଳି ଅଭିଯୋଗର ଯାଞ୍ଚ୍ କରିବେ। ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କିଭଳି ଭାବେ କାରାଯାଇଛି ସେ ନେଇ କମିସନ୍‌ ଆସନ୍ତା ୨୨ ତାରିଖ ସୁଦ୍ଧା ଅବଗତ କରିବେ ବୋଲି ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ମଣ୍ଟୁ ଦାସ ଓ ଅନ୍ୟମାନଙ୍କ ତରଫରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର