ଦୂଷିତ ଜଳ ପିଇ ୪ ବ୍ୟକ୍ତିଙ୍କ ମୃତ୍ୟୁ ମାମଲା: ମୃତକଙ୍କୁ ଲକ୍ଷେ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ପାଇଁ ମୁଖ୍ୟଶାସନ ସଚିବଙ୍କୁ ଏନଏଚଆରସିଙ୍କ ଚୂଡ଼ାନ୍ତ ରିମାଇଣ୍ଡର

ନୂଆଦିଲ୍ଲୀ: ବାଲେଶ୍ବର ଜିଲ୍ଲା ଔପଦା ବ୍ଲକର ଆଦିବାସୀ ବହୁଳ ଗାଁରେ ଦୂଷିତ ଜଳ ପିଇ ଡାଇରିଆରେ ଆକ୍ରାନ୍ତ ହୋଇ ମୂତ୍ୟୁବରଣ କରିଥିବା ୪ ଜଣ ବ୍ୟକ୍ତିଙ୍କର ପରିବାରବର୍ଗକୁ ଲକ୍ଷେ ଟଙ୍କାଏ କ୍ଷତିପୁରଣ ପ୍ରଦାନ ପାଇଁ ଜାତୀୟ ମାନବ ଅଧିକାର ଆୟୋଗ (ଏନଏଚଆରସି) ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚୁଢାନ୍ତ ରିମାଇନଡର୍ ଜାରି କରିଛନ୍ତି। କ୍ଷତିପୁରଣ ପ୍ରଦାନର ପ୍ରମାଣ ଛଅ ସପ୍ତାହ ଭିତରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ମୁତାବକ, ଜୁଲାଇ ୭,୨୦୧୬ରେ ଔପଦା ବ୍ଲକର ଆଦିବାସୀ ବହୁଳ ଗାଆଁରେ ଦୂଷିତ ଜଳ ପିଇ ଡାଏରିଆ ହେବା ପରେ ସାତ ଜଣଙ୍କର ମୂତ୍ୟୁ ତଥା ୨୬ ଜଣ ପ୍ରଭାବିତ ହୋଇଥିବା ନେଇ ଜାତୀୟ ମାନବ ଅଧିକାର ଆୟୋଗ (ଏନଏଚଆରସି)ରେ ସୁପ୍ରିମକୋର୍ଟରେ ଆଇନଜୀବୀ ତଥା ମାନବ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ପିଟିସନ ଦାଖଲ କରାଯାଇଥିଲା। ଗ୍ରାମବାସୀଙ୍କୁ ପାଇପ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଇବା,ଉପଯୁକ୍ତ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ତଥା କ୍ଷତିପୁରଣ ପ୍ରଦାନ କରିବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ଦାବି କରାଯାଇଥିଲା।

ଏହାପରେ ଏନଏଚଆରସି ମୃତକ ଚାରିଜଣ-ସସ୍ମିତା ପାତ୍ର, ସନାତନ ଝରିଆ, ପବିତ୍ର ସେନାପତି ଓ ଗୌରମଣି ପାତ୍ରଙ୍କୁ ଲକ୍ଷେ ଟଙ୍କାଏଁ କ୍ଷତିପୁରଣ ପ୍ରଦାନ ସହ ଏହାର ପ୍ରମାଣ ଛଅ ସପ୍ତାହ ମଧ୍ୟରେ ପଠାଇବା ପାଇଁ ମୂଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆୟୋଗଙ୍କ ନିର୍ଦ୍ଦେଶ ସତ୍ତ୍ବେ କ୍ଷତିପୁରଣ ପ୍ରଦାନ କାରଯାଇନଥିବାରୁ ଆଦେଶର ଅନୁପାଳନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଏନଏଚଆରସି ପକ୍ଷରୁ ଚୁଢାନ୍ତ ରିମାଇନଡର ପଠାଯାଇଛି। ଅପରପକ୍ଷେ ଦେଶରେ ସ୍ୱଚ୍ଛ ପିଇବା ପାଣି ଉପଲବ୍ଧ କରିବା ପାଇଁ ଆବେଦନକାରୀଙ୍କର ପିଟିସନର ଶୁଣାଣି କରି ଏନଏଚଆରସି ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟକୁ କହିଛନ୍ତି।

ସମ୍ବନ୍ଧିତ ଖବର