ରାଉରକେଲା: ସୁନ୍ଦରଗଡ଼ ସମେତ ପଡ଼ୋଶୀ ଜିଲ୍ଲା ଝାରସୁଗୁଡ଼ା ଓ ଦେବଗଡ଼ର ବାୟୁ, ଜଳ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ପାନୀୟ ଜଳ ପିଏଚ୍‌ସ୍ତର ୬.୫ରୁ ୮.୫ ମଧ୍ୟରେ ରହିବା କଥା। କିନ୍ତୁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପାନୀୟ ଜଳର ପିଏଚ୍‌ସ୍ତର ୮.୫ରୁ ଅଧିକ ରହିଛି। ଜଳ ପରି ବାୟୁ ପ୍ରଦୂଷଣ କ୍ଷେତ୍ରରେ ମଧ୍ୟ ଏହି ଦୁଇଟି ଜିଲ୍ଲାର ସ୍ଥିତି ଆହୁରି ସଙ୍ଗିନ। ବାୟୁର ସାନ୍ଦ୍ରତା ପ୍ରତି ଘନମିଟରରେ ୧୦୧ରୁ ୨୦୦ ମାଇକ୍ରୋଗ୍ରାମ୍‌ ପର୍ଯ୍ୟନ୍ତ ରହିଥାଏ। ହେଲେ ଉଭୟ ଜିଲ୍ଲାରେ ବାୟୁର ସାନ୍ଦ୍ରତା ୩୦୦ ମାଇକ୍ରୋଗ୍ରାମ୍‌ରୁ ଅଧିକ ରହିଛି। ବାୟୁ ଓ ଜଳ ପ୍ରଦୂଷଣକାରୀ କାରଖାନା ଉପରେ ଅଙ୍କୁଶ ଲଗାଇବାକୁ ଅଣ୍ଟା ଭିଡ଼ିଛି ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ପ୍ରଥମ ପର୍ଯ୍ୟାୟରେ ୧୧ଟି କାରଖାନାକୁ ବନ୍ଦ ନୋଟିସ୍‌ ଜାରି କରାଯାଇଛି। ସେହିପରି ବାୟୁ ଓ ଜଳ ପ୍ରଦୂଷଣକାରୀ ୧୨୮ଟି କାରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି।

Advertisment

ବନ୍ଦ ନୋଟିସ୍‌ ଦିଆଯାଇଥିବା କାରଖାନାଗୁଡ଼ିକ ମଧ୍ୟରେ ରହିଛି କଲୁଙ୍ଗା ଅଞ୍ଚଳର ରାଜେଶ ସାହାଣୀ, ଦାସ ଏଣ୍ଟରପ୍ରାଇଜେସ୍‌, କୁଆରମୁଣ୍ଡାର ପାଲ୍‌ ମେଟାଲ୍‌ ଇଣ୍ଡଷ୍ଟ୍ରିଜ୍‌, ସ୍ୱସ୍ତିକ ଇସ୍ପାତ ପ୍ରା. ଲିମିଟେଡ୍‌ ସମେତ ଉତ୍କଳ ମେଟ୍ରିକ୍ସ ପ୍ରା. ଲିମିଟେଡ୍‌, ଶ୍ରୀ ଜଗନ୍ନାଥ ଟ୍ରେଡର୍‌ସ , ସ୍କାନ୍‌ ଷ୍ଟିଲ୍‌ ଲିମିଟେଡ୍‌, ଗାଙ୍ଗପୁର ମିନେରାଲ୍‌ସ, ଶ୍ରୀରାମ ମିନେରାଲ୍‌ସ ଓ ମା’ କାଳୀ ଇଣ୍ଡଷ୍ଟ୍ରିଜ୍‌। ବିଶେଷ କରି କଲୁଙ୍ଗା, କୁଆରମୁଣ୍ଡା ଓ ବଣାଇରେ ଥିବା ବିଭିନ୍ନ ସ୍ପଞ୍ଜ କାରଖାନାଗୁଡ଼ିକୁ ଅଚାନକ ରାତି ସମୟରେ ଯାଞ୍ଚ କରାଯାଇଥିଲା l କେତେକ କାରଖାନା ଧୂଳିଧୂଆଁ ଛାଡୁଥିବା ଜଣାପଡ଼ିଥିଲା। ସେଥିମଧ୍ୟରୁ ମେଟା ସ୍ପଞ୍ଜ, ସୀତା ସ୍ପଞ୍ଜ, ମହାବୀର ଫେରୋ, ସ୍ପଞ୍ଜ ଉଦ୍ୟୋଗ ସମେତ ଅନ୍ୟ ସ୍ପଞ୍ଜ କାରଖାନାକୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ନିୟମ ଖିଲାପ କଲେ ବନ୍ଦ ନୋଟିସ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। କଲୁଙ୍ଗା ଅଞ୍ଚଳରେ ରାସ୍ତା ଖରାପ ଥିବାରୁ ଭାରୀଯାନ ଓ ଅନ୍ୟ ଗାଡ଼ିମୋଟର ଚଳାଚଳ ଯୋଗୁଁ ଯେଉଁ ଧୂଳିଧୂଆଁ ସୃଷ୍ଟି ହେଉଛି, ତାକୁ ନିୟନ୍ତ୍ରଣ ପାଇଁ ଦୈନିକ ପାଣି ସିଞ୍ଚନ ବ୍ୟବସ୍ଥା ସହ ନୂତନ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। 

ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦୂଷଣ ଅଧିକାରୀ

ତିନି ଜିଲ୍ଲାର ମୋଟ ୭୮ କାରଖାନାକୁ କାରଣଦର୍ଶାଅ ନୋଟିସ୍‌, ୨୨ କାରଖାନା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୩ କାରଖାନା ବିରୋଧରେ ବ୍ୟକ୍ତିଗତ ଶୁଣାଣି କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ କାରଖାନା ନୁହେଁ, ରାଉରକେଲା ଓ ଝାରସୁଗୁଡ଼ା ସହରର କିଛି ହୋଟେଲ ଓ ଫୁଡ୍‌ସ ପ୍ରଡକ୍ଟ କାରଖାନାକୁ ବି ନୋଟିସ୍‌ ହୋଇଥିବା ପ୍ରଦୂଷଣ ବିଭାଗ ପକ୍ଷରୁ କୁହାଯାଇଛି। ଯେଉଁ ୧୩ଟି କାରଖାନାର କର୍ତ୍ତୃପକ୍ଷଙ୍କୁ ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିବାକୁ କୁହାଯାଇଛି, ସେଗୁଡ଼ିକ ମଧ୍ୟରେ ରହିଛି ସ୍ପଞ୍ଜ ଇସ୍ପାତ୍‌, ଡାଏରି ଫାର୍ମ, ପାଉଁରୁଟି କାରଖାନା ଓ ପଥର ଖାଦାନ। କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ୭୮ଟି ପ୍ରତିଷ୍ଠାନ ମଧ୍ୟରେ ରହିଛି ହୋଟେଲ, ହଟ୍‌ମିକ୍ସ ପ୍ଲାଣ୍ଟ, ପଥର ଖଣି, ସ୍ପଞ୍ଜ ଆଇରନ୍‌, ମିନେରାଲ୍‌, କେମିକାଲ୍‌ ସମେତ ବିଭିନ୍ନ ପ୍ରକାର କାରଖାନା। ଅନୁରୂପ ଭାବେ କଲୁଙ୍ଗା, କାଂଶବାହାଲ ଅଞ୍ଚଳରେ ଉଭୟ ବାୟୁ ଓ ଜଳପ୍ରଦୂଷଣ ସୃଷ୍ଟିକାରୀ କିଛି ସ୍ପଞ୍ଜ କାରଖାନାର ମାଲିକମାନଙ୍କୁ ବ୍ୟକ୍ତିଗତ ହାଜର ହୋଇ ପ୍ରଦୂଷଣ ରୋକିବାକୁ କଣ ପଦକ୍ଷେପ ନେଇଛନ୍ତି, ଜଣାଇବାକୁ କୁହାଯାଇଛି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଇଂ. ଅନୁପ କୁମାର ମଲ୍ଲିକ କହିଛନ୍ତି, ପ୍ରଦୂଷଣ ନିୟମକୁ କଡ଼ାକଡ଼ି ଭାବେ ପାଳନ ନ କଲେ ଶିଳ୍ପ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତିନି ଜିଲ୍ଲାରେ ପ୍ରଦୂଷଣ ସୃ୍ଷ୍ଟି କରୁଥିବା କିଛି କାରଖାନା ଗୁଡ଼ିକ ଉପରେ ଅଚାନକ ଚଢ଼ଉ କରାଯାଇଥିଲା। ତଦନ୍ତରୁ କିଛି କାରଖାନା ନିୟମକୁ ଆଦୌ ପାଳନ କରୁନଥିବା ଜଣାପଡ଼ିଥିଲା। ପ୍ରଥମ ପର୍ଯ୍ୟାୟର ୧୧ କାରଖାନା ବ୍ୟତୀତ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ କିଛି କାରଖାନାକୁ ବି ବନ୍ଦ ପାଇଁ ନୋଟିସ୍ ଦିଆଯାଇଥିବା ପ୍ରଦୂଷଣ ବୋର୍ଡ ତରଫରୁ ସୂଚନା ଦିଆଯାଇଛି।