ସମ୍ବଲପୁର: ଆଜିକାଲି ଯେକୌଣସି ଆଲୋଚନାଚକ୍ର ହେଉଛି, ସେଠାରେ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ଚାଲିଛି। ପୃଥିବୀକୁ ବଞ୍ଚାଇବାକୁ ହେଲେ ପରିବେଶ ଉପରେ ଅଧିକ ଧ୍ୟାନ ଦେବା ନିହାତି ଜରୁରି। ଗଛ କାଟିବା ମହାପାପ ବୋଲି ଆମ ପୂର୍ବପୁରୁଷ କହିଥିଲେ। ଏବେ କିନ୍ତୁ ଅବାଧ ଗଛକଟା ଚାଲିଛି। ପୃଥିବୀରେ ଅନ୍ୟୂନ ୩୬ ପ୍ରତିଶତ ଜଂଗଲ ରହିବା ଦରକାର। ଓଡ଼ିଶାରେ ବହୁତ ଜଙ୍ଗଲ ଅଛି ବୋଲି ଆମେ ଗର୍ବ କରୁଛୁ। କିନ୍ତୁ, ଓଡ଼ିଶାରେ ବି ଯେତିକି ରହିବା କଥା ସେତିକି ନାହିଁ। ଗଛ ନ ରହିଲେ ଆମେ ବଞ୍ଚିବା କେମିତି? ଅମ୍ଳଜାନ ପାଇବା କେମିତି? ଗୋଟିଏ ଗଛ ମା’ଙ୍କ ନାମରେ ଲଗାଇବା ଏବଂ ଏହାର ଯତ୍ନ ନେବା। ଯଦି, ଏହା ନ କରୁଛୁ, ତାହେଲେ ଆମେ ସମାଜ ଓ ପିଲାମାନଙ୍କ ପ୍ରତି ଅବହେଳା କରୁଛୁ ବୋଲି ଭାବିବାକୁ ହେବ ବୋଲି ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି।
ସମ୍ବଲପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଦୁର୍ଗାପାଲିରେ ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ଉପମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟକ ଜୟନାରାୟଣ ମିଶ୍ର କହିଲେ, ଏବେ ମହାନଦୀର ପାଣି ଶୌଚହେବା ପାଇଁ ବି ଯୋଗ୍ୟ ନୁହେଁ। ଯେଉଁ କାରଖାନାଗୁଡ଼ିକ ମହାନଦୀ ପାଣିକୁ ପ୍ରଦୂଷିତ କରୁଛନ୍ତି, ସେମାନେ କେମିତି ସେଥିରୁ ନିବୃତ୍ତ ରହିବେ, ତାହା ଚିନ୍ତା କରିବା କଥା। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରହିଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଇଁ ଅଧିକ ଦାୟୀ। କାରଖାନାଗୁଡ଼ିକ ଯୋଗୁ ପରିବେଶ ପ୍ରଦୂଷଣ ଅଧିକ ହେଉଛି। କେଉଁ ଜାଗାରେ ପାଉଁଶ ପକାଗଲେ କାହାରି କିଛି କ୍ଷତିହେବ ନାହିଁ, ସେଥିପ୍ରତି ଦୃଷ୍ଟି ନଦେଇ ମନଇଚ୍ଛା ଅନୁମତି ଦିଆଯାଉଛି।
ବୃକ୍ଷରୋପଣ ସହିତ ଜଙ୍ଗଲ ସୁରକ୍ଷା ବି ଗୁରୁତ୍ବପୂର୍ଣ୍ଣ: ଡିସିଏଫ୍
ହିଣ୍ଡାଲ୍କୋ ସହିତ ଅନ୍ୟ କମ୍ପାନିମାନେ ଲୋକଙ୍କ ଜମି ଉପରେ ପାଉଁଶ ପକାଇ ଦେଉଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାଉଁଶ ପକାଇବା ପାଇଁ ମନଇଚ୍ଛା ଅନୁମତି ଦେଉଛି। ସମ୍ବଲପୁରର ବଡ଼ବଡ଼ ‘ଦାଦା’ମାନେ ପାଉଁଶ କାରବାର କରୁଛନ୍ତି। ଗରିବ ଆଦିବାସୀଙ୍କ ଜମିରେ ରାତିରାତି ପାଉଁଶ ପକାଇ ଦେଉଛନ୍ତି। ସମ୍ବଲପୁର ଜିଲ୍ଲାର କାରଖାନାଗୁଡ଼ିକର ପାଉଁଶ ପରିଚାଳନା ପାଇଁ ଆର୍ଡିସିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ହେଲେ, ସେହି ବୈଠକ ବି ଫୁସ୍ ହୋଇଗଲା। ଅର୍ଥନୀତିର ଅଭିବୃଦ୍ଧି ଲାଗି କାରଖାନା ପ୍ରତିଷ୍ଠା କରାଯାଉଛି, ହେଲେ ମଣିଷ ଜୀବନର ମୂଲ୍ୟ କ’ଣ କିଛି ନାହିଁ କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ। ପରିବେଶ ସୁରକ୍ଷା ପାଇଁ ‘ପରିବେଶ ପଞ୍ଚାୟତ’ ଭଳି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବା ଆବଶ୍ୟକ ବୋଲି ମତ ଦେଇଥିଲେ। ସମ୍ମାନିତ ଅତିଥି ଉପ ବନସଂରକ୍ଷକ(ଡିସିଏଫ୍) ଯଦୁମଣି କେରକେଟା କହିଲେ, ଶିଳ୍ପବହୁଳ ସମ୍ବଲପୁର ଜିଲ୍ଲାରେ କାରଖାନା ସ୍ଥାପନ ଯୋଗୁଁ ବହୁତ ଜଙ୍ଗଲ ନଷ୍ଟ ହୋଇଛି। ଆମକୁ ଗଛ ଲଗାଇବା ସହିତ ଜଙ୍ଗଲକୁ ବଞ୍ଚାଇବାକୁ ବି ପଡ଼ିବ। ଅନ୍ତତଃପକ୍ଷେ ସମସ୍ତେ ନିଜ ଘରବାଡ଼ିରେ ପ୍ରତିବର୍ଷ ଗୋଟିଏ ଦୁଇଟି ଗଛ ଲଗାଇ ତାହାର ଯତ୍ନନେବା ଦରକାର। ପରିବେଶ ସୁରକ୍ଷା ପାଇଁ ସମସ୍ତେ ଅଗଭର ହେବାକୁ ସେ ଆହ୍ବାନ ଦେଇଥିଲେ। ପୂର୍ବତନ କାଉନସିଲର ତଥା ପ୍ରକୃତିପ୍ରେମୀ ସୁଶାନ୍ତ ପୁରୋହିତ ମା’ଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଆହ୍ବାନ ଦେଇଥିଲେ। ‘ସମ୍ବାଦ’ର ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସହସଂପାଦକ ଆଲୋକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।