ନାମକୁ ମାତ୍ର ପ୍ରଦୂଷଣ ମାପକ ଯନ୍ତ୍ର; କିଛି ସୂଚନା ମିଳୁନି, କିଛି କାର୍ଯ୍ୟାନୁଷ୍ଠାନ ନାହିଁ

ରାଉରକେଲା : ଦେଶର ସବୁଠୁ ଅଧିକ ପ୍ରଦୂଷିତ ୧୦୨ ପ୍ରମୁଖ ସହର ଭିତରେ ରହିଛି ଓଡ଼ିଶାର ୬ଟି ସହର- ରାଉରକେଲା, ଭୁବନେଶ୍ବର, କଟକ, ବାଲେଶ୍ବର, ଅନୁଗୁଳ ଓ ତାଳଚେର। କେନ୍ଦ୍ର ପ୍ରଦୂଷଣ ବୋର୍ଡର ତାଗିଦ ସତ୍ବେ ଏସବୁ ସହରରେ ପ୍ରଦୂଷଣ ରୋକିବାକୁ ଯେତିକି ପଦକ୍ଷେପ ନିଆଯିବା କଥା, ତା ହେଉ ନାହିଁ। ଆଞ୍ଚଳିକ ପ୍ରଦୂଷଣ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସେତିକି ତତ୍ପରତା ପ୍ରକାଶ ପାଉନି। ଏହି କଥା ରାଉରକେଲା ଓ ଏହାର ଆଖପାଖରେ ଲଗାଯାଇଥିବା ପ୍ରଦୂଷଣ ମାପକଯନ୍ତ୍ର ବୟାନ କରୁଛି।

ରାଉରକେଲା ସେକ୍ଟର-୫ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଫିସ୍, ଫର୍ଟିଲାଇଜର ଆଇଡିଏଲ୍‌ ଫାଣ୍ଡି ଛାତ, ରାଜଗାଙ୍ଗପୁର, କୁଆରମୁଣ୍ଡା, କଲୁଙ୍ଗା ଓ ବଣାଇଁ ଶିଳ୍ପାଞ୍ଚଳରେ ପ୍ରଦୂଷଣର ମାନ ମାପିବାକୁ ଗୋଟିଏ ଲେଖାଏଁ ଯନ୍ତ୍ର ଲଗାଯାଇଛି। ଏହି ମେସିନ୍‌ଗୁଡ଼ିକୁ ଚଳାଇବାକୁ ଜଣେ ଲେଖାଏଁ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସପ୍ତାହକୁ ଦୁଇ ଥର, ବର୍ଷକୁ ୧୦୮ ଥର ଚାଲିବାକୁ ଥିବା ଏହି ମେସିନ୍‌ ମାସ ମାସ ଧରି ଚାଲୁ ନଥିବା ଅଭିଯୋଗ ‌ହେଉଛି। ମେସିନ୍‌ ଚଳାଇବାକୁ ଯେଉଁମାନଙ୍କୁ ଦାୟିତ୍ବ ଦିଆଯାଇଛି, ସେମାନେ ସେଠାକୁ ନଯାଇ କାଗଜପତ୍ରରେ ସବୁକିଛି ଠିକ୍‌ ଠାକ୍‌ ଚାଲିଛି ବୋଲି ବିଭାଗୀୟ ଅଧିକାରୀଙ୍କୁ ରିପୋର୍ଟ ଦେଇ କାମ ସାରି ଦେଉଛନ୍ତି। ସେମିତି ବିଭାଗୀୟ ଅଧିକାରୀ ବାସ୍ତବ ସ୍ଥିତି ଅନୁଧ୍ୟାନ ନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସେହି ସମାନ ରିପୋର୍ଟ ପଠାଇ ଦେଉଛନ୍ତି।

କେବଳ ଏତିକି ନୁହେଁ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ବ୍ୟୟରେ ବିଦେଶରୁ କ୍ରୟ ସ୍ବୟଂ ଚାଳିତ ପ୍ରଦୂଷଣ ମାପକ ଯନ୍ତ୍ର ମଧ୍ୟ କାମରେ ଆସୁନି। ଦୁଇଟି ସ୍ବୟଂ ଚାଳିତ ମେସିନ୍‌ ମଧ୍ୟରୁ ଗୋଟିଏ ପାନପୋଷ ବାଇପାସ୍‌ ରୋଡ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନୂଆ ଅଫିସ୍‌ ଓ ଅନ୍ୟଟି ଟେନ୍‌ସାରେ ସ୍ଥାପନ କରାଯାଇଛି। ଦୁଇଟି ମଧ୍ୟରୁ ଗୋଟିଏ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ। କେବେ କାର୍ଯ୍ୟକ୍ଷମ ହେବ କାହାରି ପାଖରେ ସଠିକ୍‌ ଉତ୍ତର ନାହିଁ। ସବୁଠୁ ଆଶ୍ଚର୍ଯ୍ୟ କଥା, ଶିଳ୍ପାଞ୍ଚଳ ପ୍ରଦୂଷଣ ମାତ୍ରା ମାପିବାକୁ କଲୁଙ୍ଗା, କୁଆରମୁଣ୍ଡାରେ ଲଗାଇଥିବା ପ୍ରଦୂଷଣ ମାପକଯନ୍ତ୍ରରୁ କି ରିପୋର୍ଟ ମିଳୁଛି ଓ ତା’ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି, କିଛି ଜଣା ପଡୁନାହିଁ। ଏସବୁ ଅଚଳ ହୋଇ ପଡ଼ିଛି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ସେପଟେ କଲୁଙ୍ଗା ଶିଳ୍ପାଞ୍ଚଳରେ ଅତ୍ୟଧିକ ପ୍ରଦୂଷଣ ସୃଷ୍ଟିକାରୀ ସ୍ପଞ୍ଜ ଆଇରନ ଓ ଅନ୍ୟ କଳକାରଖାନାଗୁଡ଼ିକ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ। ଫଳରେ କଳକାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ, ବିଷାକ୍ତ ପାଣି ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତା ବଢ଼ାଉଛି। ଚାଷ ଜମି ନଷ୍ଟ ହେଉଛି। ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଅନେକ ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଭାଗୀୟ ଅଧିକାରୀ ଅତି ବେଶୀରେ କେବଳ କାରଣଦର୍ଶାଅ ନୋଟିସ୍‌ ଜାରି କରି ନିଜର କାମ ସାରି ଦେଉଛନ୍ତି।

Just Energy

ଉକ୍ତ ଅଞ୍ଚଳରେ ଥିବା ପ୍ରଦୂଷଣ ମାମଲାରେ କୁଖ୍ୟାତ କାରଖାନାଗୁଡ଼ିକ କଳାଧୂଆଁ ଓକାଳିବା ଜାରି ରଖିଛନ୍ତି। ସମସ୍ତେ ଦେଖୁଛନ୍ତି, କିନ୍ତୁ ଏହାକୁ ବନ୍ଦ କରିବାର କୌଣସି ଉଦ୍ୟମ ହେଉନାହିଁ। ଶିଳ୍ପାଞ୍ଚଳ ପରି ରାଉରକେଲା ସ୍ମାର୍ଟସିଟିରେ ମଧ୍ୟ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ପ୍ରଦୂଷଣ ରୋକିବାକୁ ଆଞ୍ଚଳିକ ପ୍ରଦୂଷଣ କାର୍ଯ୍ୟାଳୟ ପକ୍ଷରୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଓ ଜିଲ୍ଲା ପ୍ରଶାସନକୁ ଅନେକ ଥର ନୋଟିସ୍‌ ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା ହୋଇଛି। ପ୍ରଦୂଷଣ ରୋକିବାକୁ ଅନେକ ଯୋଜନା ହୋଇଛି। କିନ୍ତୁ ଯୋଜନା ସେମିତି ଯୋଜନାରେ ରହି ଯାଇଛି। ଆଜି ପର୍ଯ୍ୟନ୍ତ ଏ ଦିଗରେ ସେମିତି କିଛି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। ଯଦି ଏଭଳି ସ୍ଥିତି ଜାରି ରହେ‌, ଆଗାମୀ ଦିନରେ ସୁନ୍ଦରଗଡ ଜିଲ୍ଲାରେ ନୂଆଦିଲ୍ଲୀ ଭଳି ଉତ୍କଟ ସମସ୍ୟାକୁ ଏଡାଇ ଦିଆଯାଇ ନ ପାରେ।

ଶୁଣା ଯାଉଛି, କେନ୍ଦ୍ର ପ୍ରଦୂଷଣ ବିଭାଗର ଇତିମଧ୍ୟରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଫିସ୍‌ଗୁଡ଼ିକୁ ପ୍ରଦୂଷଣ ମାତ୍ରା ବଢ଼ିବାର କାରଣ ସଂପର୍କରେ ରିପୋର୍ଟ ଦେବାଲାଗି ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ନିର୍ଦ୍ଦେଶକୁ କିଭଳି ପାଳନ କରା ଯାଉଛି ଓ ଫଳ କ’ଣ ହେଉଛି, କିଛି ଜଣା ପଡୁନାହିଁ। ଏ ସଂକ୍ରାନ୍ତରେ ଜାଣିବାକୁ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ପି. ମହାପାତ୍ରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲା, କିନ୍ତୁ ସେ ଫୋନ୍‌ ଉଠାଇ ନଥିଲେ।

ସମ୍ବନ୍ଧିତ ଖବର