ମହାନଦୀ ପାଇଁ ଆଶୀର୍ବାଦ ସାଜିଲା ଲକ୍‌ଡାଉନ୍‌, ପ୍ରଦୂଷଣ ୫୦ ପ୍ରତିଶତ ହ୍ରାସ

ମହାନଦୀ ପାଣି ଗତବର୍ଷ ଅପେକ୍ଷା ୫୦ ପ୍ରତିଶତ ଅଧିକ ସ୍ବଚ୍ଛ, ନିର୍ମଳ ଓ ପ୍ରଦୂଷଣମୁକ୍ତ

ସମ୍ବଲପୁର: ମହାନଦୀ ପାଇଁ ଆଶୀର୍ବାଦ ସାଜିଲା ଲକ୍‌ଡାଉନ୍‌। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଦ୍ରୁତ ଶିଳ୍ପାୟନ ମହାନଦୀ ପାଣିକୁ ପ୍ରଦୂଷିତ କରି ରଖିଥିଲା। ମାତ୍ର ଗତ ୩ ମାସର ରିପୋର୍ଟ ଅନୁସାରେ ଏବେ ମହାନଦୀ ପାଣି ଗତବର୍ଷ ଅପେକ୍ଷା ୫୦ ପ୍ରତିଶତ ଅଧିକ ସ୍ବଚ୍ଛ, ନିର୍ମଳ ଓ ପ୍ରଦୂଷଣମୁକ୍ତ ରହିଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ, ଗତ ୩ ମାସ ମଧ୍ୟରେ ଲଗାତାର ଭାବେ ମହାନଦୀ ଜଳର ନମୁନା ସଂଗ୍ରହ କରାଯାଇ ପ୍ରାୟ ୪୦ଟି ମାନକରେ ଏହାର ପରୀକ୍ଷଣ କରାଯାଇଛି।

ତେବେ ଏସବୁ ମଧ୍ୟରେ ରହିଥିବା ମାନକ ଯଥା‌ ବାୟୋଲୋଜିକାଲ ଅକ୍ସିଜେନ୍‌ ଡିମାଣ୍ଡ(ବିଓଡି), ଡିଜଲ୍‌ଭ ଅକ୍ସିଜେନ୍‌ ଡିମାଣ୍ଡ(ଡିଓଡି), ଟୋଟାଲ ପଲ୍ୟୁସନ ଓ ଫିକାଲ ପଲ୍ୟୁସନ(ଟିପିଏଫ୍‌ପି)ର ରିପୋର୍ଟ ଅନୁସାରେ ମହାନଦୀ ଜଳରେ ଅନେକ ପରିବର୍ତ୍ତନ ଆସିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ମହାନଦୀର ଜଳ ପ୍ରଦୂଷିତ ହେବା କାରଣରୁ ଏଥିରେ ହ୍ରାସ ପାଇଥିବା ଘନୀଭୂତ ଅମ୍ଳଜାନର ପରିମାଣରେ ବେଶ୍‌ ବୃଦ୍ଧି ଘଟିଛି। ଯାହା ପୂର୍ବାପେକ୍ଷା ଅଧିକ ପେୟପୋଯୋଗୀ ହୋଇଥିବା ସମୟାରେ ପ୍ରଦୂଷଣ ପାଇଁ ଲୁପ୍ତ ଜଳଜୀବଙ୍କ ବଞ୍ଚିବା ପାଇଁ ବରଦାନ ସଦୃଶ ହୋଇଛି।

ମହାନଦୀ ଜଳ ପ୍ରଦୂଷଣ ହେବା ପଛରେ ସମ୍ବଲପୁର ଅନେକାଂଶରେ ଦାୟୀ ରହିଛି। କାରଣ ସମ୍ବଲପୁରରେ ମହାନଦୀର ଜଳ ପ୍ରଦୂଷଣ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ପ୍ରଦୂଷଣ ଅପେକ୍ଷା ଅଧିକ ରହିଆସିଛି। ମହାନଗର ନିଗମର ଆବର୍ଜନା, ବା‌ୟୋ ମେଡିକାଲ ୱେଷ୍ଟ, ଶିଳ୍ପାନୁଷ୍ଠାନରୁ ନିର୍ଗତ ଆବର୍ଜନା ଜଳ ମହାନଦୀକୁ ପ୍ରଦୂଷିତ କରି ରଖିଛି। ସମ୍ବଲପୁର ମହାନଗର ନିଗମର ୫ ଲକ୍ଷ ଜନସଂଖ୍ୟା ମଧ୍ୟରୁ ୬୦ ପ୍ରତିଶତ ଅର୍ଥାତ୍‌ ୧୦୧ଟି କେବଳ ବସ୍ତି ରହିଛି। ଏକ ରିପୋର୍ଟ ଅନୁସାରେ କେବଳ ସମ୍ବଲପୁରରୁ ହିଁ ଦୈନିକ ୧୪୦ କିଲୋ ଲିଟର ଦୂଷିତ ତଥା‌ ଆବର୍ଜନା ଜଳ ମହାନଦୀରେ ମିଶିଥାଏ।

ଏହାବାଦ୍‌ ମହାନଦୀରେ ଦୈନିକ ୫ ହଜାର କିଲୋଲିଟର ଅଶୋଧିତ ଶିଳ୍ପାନୁଷ୍ଠାନ ଜଳ ପ୍ରବେଶ କରୁଛି। ଫଳରେ ଗ୍ରୀଷ୍ମଋତୁରେ ହୀରାକୁଦ ଡ୍ୟାମ୍‌ରୁ ଜଳ ନିଷ୍କାସନ ବନ୍ଦ ରହୁଥିଲେ କେବଳ ଏହି ଅଶୋଧିତ ଜଳ ହିଁ ମହାନଦୀରେ ଦେଖିବାକୁ ମିଳିଥାଏ। କିନ୍ତୁ ଏହି ଲକ୍‌ଡାଉନ୍‌ର ୩ ମାସରେ କଳକାରଖାନା ଗୁଡ଼ିକ ପ୍ରାୟତଃ ବନ୍ଦ ରହିଥିବା ସମୟରେ ମହାନଦୀକୁ ଅଶୋଧିତ ଜଳ ନିଷ୍କାସନ ବି ବେଶ୍‌ ହ୍ରାସ ପାଇଛି। ଏହାବାଦ୍ ଏହି ସମୟ ମଧ୍ୟରେ ମହାନଦୀକୁ ବାୟୋମେଡିକାଲ ବର୍ଜ୍ୟ ଓ ଅନ୍ୟାନ୍ୟ ବର୍ଜ୍ୟ ନିଷ୍କାସନ ମଧ୍ୟ ହ୍ରାସ ପାଇଥିବାରୁ ମହାନଦୀର ଜଳ ସ୍ବତଃପ୍ରବୃତ୍ତ ଭାବେ ପ୍ରଦୂଷଣ ମୁକ୍ତ ହେବାରେ ଲାଗିଛି। କେବଳ ଯେ ସମ୍ବଲପୁର ନୁହେଁ ବରଂ ୬ଟି ଜିଲ୍ଲାର ପ୍ରାୟ ୩୫୦ କିମି ଦେଇ ଗତି କରିଥିବା ଏହି ଜିଲ୍ଲାଗୁଡ଼ିକରେ ମଧ୍ୟ ସ୍ଥିତି ଅନୁରୂପ ରହିଥିବାରୁ ମହାନଦୀ ଜଳ ପ୍ରଦୂଷଣ ବେଶ୍‌ ହ୍ରାସ ପାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର