ଦାନଗଦୀ: ଇସ୍ପାତ ରାଜଧାନୀ କଳିଙ୍ଗନଗର ଚାରିପାଖରେ ଥିବା ଜନବସତି ଏବେ ପ୍ରଦୂଷଣ ବଳୟରେ। ଲୋକମାନେ ଧୂଳିଧୂଆଁଜନିତ ବିଭିନ୍ନ ରୋଗବ୍ୟାଧିରେ ପଡ଼ି ଅକାଳ ମୃତ୍ୟୁମୁଖରେ ପଡୁଛନ୍ତି। ସୁକିନ୍ଦା ରୋଡ୍‌ ରେଳ ସାଇଡିଂକୁ ଲାଗିଥବା ସୁଆଁଲ ଗାଁର ଚିତ୍ର ଦେଖିବା ପରେ ଶିଳ୍ପାୟନର ପାର୍ଶ୍ବ ପ୍ରତିକ୍ରିୟା କେତେ ଭୟଙ୍କର ତାହା ଅନୁମାନ କରାଯାଇପାରେ। ପୂରା ଗାଁରେ ଅସୁସ୍ଥ ରୋଗା ଲୋକଙ୍କ ସଂଖ୍ୟା ଅଧିକ।

Advertisment

ଦାନଗଦୀ ବ୍ଲକ କାର୍ଯ୍ୟାଳୟ ପାଖରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି ଏହି ଗାଁ। ଏହି ଗାଁର ଗୁଳାସାହିରେ ରହନ୍ତି ନିତ୍ୟାନନ୍ଦ ନାୟକ (୫୬)। ସେ ଏବେ ଗୁରୁତର ଅସୁସ୍ଥ। ଚାଲିବାକୁ ବଳ ନାହଁ। କାମ କରିପାରୁ ନଥିବାରୁ ରୋଜଗାର ନାହିଁ। ବଟିକାଟିଏ ଖାଇବାକୁ ମିଳୁନାହିଁ। ଘର ଚଳାଇବାକୁ ଅକ୍ଷମ। ସାହିର ଯକ୍ଷ୍ମାରୋଗୀ କାହ୍ନୁ ନାୟକ (୪୪)। ଦୁଇ ପୁଅ ଓ ତିନି ଝିଅ ତାଙ୍କର। ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଦୁର୍ବଳ ହୋଇପଡ଼ିଛନ୍ତି। କାମ କରିବାକୁ ଅକ୍ଷମ। ପଟ୍ଟା ଅଛି, ଆବାସ ଯୋଜନାରେ ଘରଟିଏ ନାହିଁ। ଜରିପାଲ ପକା ନୁଆଁଣିଆ ଚାଳଘର ଆଶ୍ରା ପାଲଟିଛି।

ସେ କୁହନ୍ତି, ଆମ ଗାଁରେ କାରଖାନା ପକ୍ଷରୁ ସ୍ବାସ୍ଥ୍ୟ ଶିବିର ହେଉନାହିଁ। ଅନେକ ଯୁବବୟସରେ ଧୂଳି, ଧୂଆଁ ଖାଇ ମରିଗଲେଣି। ମୁଁ ମଧ୍ୟ୍ୟ ଦୁର୍ବଳ ହୋଇଗଲିଣି। ବେମାରରେ ପଡ଼ିଛି। ଚିକିତ୍ସା ମିଳୁନାହିଁ। ଆଉ ଜଣେ ଯୁବକ କୁଶ ନାୟକ (୩୫) ମଧ୍ୟ ଯକ୍ଷ୍ମା ରୋଗରେ ଆକ୍ରାନ୍ତ। ଦୁର୍ବଳ ହୋଇ କାମଧନ୍ଦା କରିପାରୁ ନାହାନ୍ତି। ପରିବାର ଚଳାଇବା ପାଇଁ ଅକ୍ଷମ। ତିନି ପୁଅ ଓ ଜଣେ ଝିଅଙ୍କୁ ନେଇ ବହୁ ଦୁଃଖରେ ଚଳୁଛନ୍ତି। କୋଇଲା ଗୁଣ୍ଡ ଉଡ଼ି ଆମ ସାହିର ପାଣି ପବନ ବିଷ ହୋଇଯାଇଛି। ବଞ୍ଚିବୁ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ସାହିର ମହିଳା କଣ୍ଢେଇ ନାୟକ ଏବେ ରୋଗଗ୍ରସ୍ତ। ତାଙ୍କ ସ୍ୱାମୀ ପୂବର୍ରୁ ରୋଗରେ ପଡ଼ି ଆଖି ବୁଜିଛନ୍ତି। ପଟ୍ଟା ଅଛି, ଆବାସ ନାହିଁ। ବର୍ଷା ହେଲେ ପାଣି ଗଳୁଛି। ଜରି ପାଲ ପକାଇ ପଡ଼ିରହିଛନ୍ତି। ପୁଅ ନାହାନ୍ତି, ଝିଅ ତିନୋଟି। ସରକାର କି କମ୍ପାନି କେହି ସାହାଯ୍ୟ କରୁନାହାନ୍ତି ବୋଲି ସେ କୁହନ୍ତି। ସାହିର ସୋନି ନାୟକ ମଧ୍ୟ ଚାଲିବୁଲି ପାରୁ ନାହାନ୍ତି। ଔଷଧ ଖାଇବାକୁ ପାଖରେ ଟଙ୍କା ନାହିଁ। ଭଙ୍ଗାକୁଡ଼ିଆରେ ପାଲ ପକାଇ ରହୁଥିବା ବୈରାଗୀ ମୁଣ୍ଡା ଆବାସ ଯୋଜନାର ସୁବିଧା ପାଇନାହାନ୍ତି।

publive-image

ଏଭଳି ରୋଗରେ ପଡ଼ି ସୁଆଁଲ ଗାଁ ପୁରୁଷଶୂନ୍ୟ ହେବାକୁ ବସିଲାଣି। ବିଧବା ମହିଳା ଓ ଅନାଥ ପିଲା ସଂଖ୍ୟା ଅଧିକ। ସାହିକୁ ରାସ୍ତା ନାହିଁ, ସନ୍ତସନ୍ତିଆ ଅସ୍ୱାସ୍ଥ୍ୟକର ପରିବେଶ। ପ୍ରଶାସନ ତ ଦୂରର କଥା, କୌଣସି ଶ୍ରମିକ​​ ନେତାଙ୍କର ମଧ୍ୟ ଏଥିପ୍ରତି ଦୃଷ୍ଟି ନାହିଁ। ନିଜ ଭାଗ୍ୟକୁ ଆଦରି  ‘ଦୀପ ତଳ ଅନ୍ଧାର’ ପରି ଗାଁ ଲୋକମାନେ ପଡ଼ିରହିଛନ୍ତି।