ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ସାଧାରଣ ଅବସ୍ଥାରେ ପ୍ରଦୂଷଣ ମାତ୍ରା ଅଧିକ ରହୁଛି। କିନ୍ତୁ କମ୍ପାନିମାନେ ନିଜର ସୁବିଧା ପାଇଁ ରାତି ସମୟରେ କ୍ୟାପଟିଭ୍ ପାୱାର୍ ପ୍ଲାଣ୍ଟ୍ର ଇଏସ୍ପି ବନ୍ଦ କରି ଦେଉଛନ୍ତି। ଯାହାଫଳରେ ରାତି ପାହିବାବେଳକୁ କମ୍ପାନି ଆଖପାଖ ଜନବସତି ଓ ଜଳାଶୟଗୁଡ଼ିକରେ କଳା ରଙ୍ଗର ଏକ ମୋଟା ଆସ୍ତରଣ ବସିଯାଉଥିବା ଦେଖିବାକୁ ମିଳୁଛି। ବିଶେଷକରି ଇବ୍ ନଦୀ କୂଳରେ ରହିଥିବା ଜନବସତିଗୁଡ଼ିକରୁ ଏଭଳି ଅଭିଯୋଗ ପ୍ରତ୍ୟହ ଆସିବାରେ ଲାଗିଲାଣି। ଏ ନେଇ ସ୍ଥାନୀୟ ଲୋକେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଜିଲ୍ଲା ପ୍ରଶାସନ ନିକଟରେ ବି ଅଭିଯୋଗ କରୁଛନ୍ତି। ମାତ୍ର କୌଣସି ସୁଫଳ ମିଳୁନଥିବା କହିଛନ୍ତି।
ଇବ୍ ନଦୀ କୂଳରେ ରହିଥିବା ତେଲେନପାଲି, ଗଣ୍ଡଘୋରା, ରେମଜା, ଇଟାଭଟା, କୁତାବଗା, ପଞ୍ଚପଡ଼ା ଅଞ୍ଚଳରେ ଏଭଳି ସମସ୍ୟା ଏକ ପ୍ରକାର ଦେହସୁହା ହୋଇଗଲାଣି। ନଦୀକୂଳରେ ଏମ୍ଏସ୍ପି, ଟିଏସ୍ପିଏଲ୍, ଆକ୍ସନ, ଏସ୍ଏମ୍ସି, ଭୂଷଣ ଭଳି କମ୍ପାନି ରହିଥିବା ବେଳେ ବିନା ପରିଷ୍କରଣରେ କେଉଁ କମ୍ପାନି ଚିମିନି ଧୂଆଁ ବାୟୁମଣ୍ଡଳକୁ ଛାଡୁଛି ତା’ର ଯାଞ୍ଚ ହେଉନି। ବ୍ରଜରାଜନଗରର ସଚିନ ଦାଶଙ୍କ ଅଭିଯୋଗ ଅନୁସାରେ, ତେଲେନପାଲି, ରେମଜା ଆଦି ଗ୍ରାମରେ ରାତିରେ କଳାରଙ୍ଗର ଧୂଳିକଣା ଭଳି କିଛି ପଦାର୍ଥ ଉଡ଼ୁଥିବା ବେଳେ ରେମଜାସ୍ଥିତ ତାଙ୍କ ଘର ଭିତରକୁ ମଧ୍ୟ ପଶୁଛି। ନଦୀକୂଳିଆ ଅଞ୍ଚଳର ଲୋକେ ପ୍ରତ୍ୟହ ଇବ୍ ନଦୀର ପାଣି ଉପରେ ନିର୍ଭରଶୀଳ। ମାତ୍ର ରାତି ପାହିବା ବେଳକୁ ଘର ଛାତରେ, ରାସ୍ତା ଉପରେ ଓ ନଦୀରେ କଳା ରଙ୍ଗର ଆସ୍ତରଣ ଲୋକେ ଦେଖିବାକୁ ପାଉଛନ୍ତି।
ଏହି କଳାରଙ୍ଗର ଧୂଳି ଭଳି ପଦାର୍ଥ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଲୋକେ ଚର୍ମରୋଗରେ ବି ଆକ୍ରାନ୍ତ ହେଉଥିବା ବେଳେ ଜଳଜୀବଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଲାଣି। କଳା ଆସ୍ତରଣ ସଂପର୍କରେ ଏକ ଇସ୍ପାତ କାରଖାନାର ଜଣେ ଇଞ୍ଜିନିୟରଙ୍କୁ ପଚାରିବାରେ, ଏହି ଧୂଆଁ ସମ୍ପୂର୍ଣ୍ଣଭାବେ ମନୁଷ୍ୟକୃତ ବୋଲି କହିଛନ୍ତି। କୋଇଲା ବ୍ୟବହାର ହେଉଥିବା ପ୍ରତିଟି କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟର ଚିମିନିରେ ଇଏସ୍ପି ନାମକ ଯନ୍ତ୍ର ଲାଗିବା ବାଧ୍ୟତାମୂଳକ। ଯାହା କୋଇଲା ଦହନରୁ ବାହାରୁଥିବା ବିଷାକ୍ତ ରସାୟନ ମିଶ୍ରିତ ଗ୍ୟାସ୍କୁ ପରିଷ୍କରଣ କରି ବାୟୁମଣ୍ଡଳକୁ ଛାଡ଼ିଥାଏ। ମାତ୍ର ଏହି ଇଏସ୍ପି ବ୍ୟବହାର ଯୋଗୁ ବିଦ୍ୟୁତ୍ ଖର୍ଚ୍ଚ ଯଥେଷ୍ଟ ଅଧିକ ରହୁଛି। ଫଳରେ କମ୍ପାନିଗୁଡ଼ିକ ଖର୍ଚ୍ଚକାଟ୍ କରିବା ଉଦ୍ଦେଶ୍ୟରେ ସନ୍ଧ୍ୟା ହେଲେ ଓ ମେଘ ଘୋଡ଼ାଇଥିବା ଦିନ ସମୟରେ ଇଏସ୍ପି ବନ୍ଦ କରି ସିଧାସଳଖ ଚିମିନିରୁ ଧୂଆଁକୁ ବାୟୁମଣ୍ଡଳକୁ ଛାଡ଼ି ଦେଇଥାନ୍ତି। କେବଳ ସେତିକି ନୁହେଁ, ଝାରସୁଗୁଡ଼ାରେ ରହିଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ମଧ୍ୟରୁ ପ୍ରାୟ କମ୍ପାନି ୟୁରୋପୀୟ ଦେଶର ବ୍ୟବହାର ହୋଇସାରିଥିବା (୧୦ ବର୍ଷ ପୁରୁଣା) ଇଏସ୍ପି ଆଣି ନିଜ ଚିମିନିରେ ବ୍ୟବହାର କରୁଛନ୍ତି। ଫଳସ୍ବରୂପ ଇଏସ୍ପି ଯେତେ ପରିମାଣର ପରିଷ୍କରଣ କରିବା କଥା ତାହା କରିପାରୁନଥିବା ସଂପୃକ୍ତ ଇଞ୍ଜିନିୟର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/gjgddgjdgjdgjgjd.jpg)