ଝାରସୁଗୁଡ଼ା : ଶିଳ୍ପନଗରୀ ଝାରସୁଗୁଡ଼ା ସହର ସମେତ ସାରାଜିଲ୍ଲାର ପରିବେଶକୁ ଲୁଟି ଚାଲିଛନ୍ତି ଏକ ଶକ୍ତିଶାଳୀ ନିର୍ଦ୍ଦିଷ୍ଟ ଗୋଷ୍ଠୀ। ସୁରକ୍ଷା ଢାଲ ମଧ୍ୟରେ ଥିବା ଏହି ଗୋଷ୍ଠୀ ସହିତ ମୁଷ୍ଟିମେୟ ନେତା, ଅସାଧୁ ପ୍ରଶାସକ ଓ କିଛି ବିରୋଧୀ ସାମିଲ ହୋଇ ପରିବେଶକୁ ଲୁଟି ମାଲାମାଲ ହେଉଥିବା ଅଭିଯୋଗ କେବେ‌ଠାରୁ ଉଠିଲାଣି। କ୍ଷମତାର ଢାଲ ଆଗରେ ହାର ମାନିଛି ଜିଲ୍ଲାର ପ୍ରକୃତି ରାଣୀ। ଚାରିଆଡୁ ପ୍ରଦୂଷଣର ଚକ୍ରବ୍ୟୂହରେ ଉବୁଟୁବୁ ହେଉଛି ଝାରସୁଗୁଡ଼ା ଜିଲ୍ଲା। ଜିଲ୍ଲାରେ ସବୁବେଳେ ପରିବେଶ ପ୍ରଦୂଷଣକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଜାତୀୟ ସବୁଜ ଟ୍ରିବ୍ୟୁନାଲରେ ଏଠାକାର ପ୍ରଦୂଷଣକୁ ନେଇ ମାଳ ମାଳ ମକଦ୍ଦମା ଗଡ଼ୁଛି। ଜିଲ୍ଲାର ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ ଗୋଟିଏ ଗୋଟିଏ  ଛୋଟ ସହର ହୋଇଥିବା ବେଳେ ଏଠାରେ ପ୍ରଦୂଷଣର ମାତ୍ରା ସର୍ବାଧିକ। ଦେଶର ଶହେ ପ୍ରଦୂଷଣ ସହର ମଧ୍ୟରେ ଝାରସୁଗୁଡ଼ାର ଓ ବ୍ରଜରାଜନଗର ସହରର ନାମ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପ୍ରକାଶ କରିସାରିଛି।

Advertisment

ଜିଲ୍ଲାର ବିଭିନ୍ନ କ୍ଷେତ୍ର ଭିନ୍ନ ଭିନ୍ନ କାରଣ ଯୋଗୁଁ ପ୍ରଦୂଷିତ ହେଉଥିବା ଜଣାଯାଇଛି। ବିଶେଷକରି କଳକାରଖାନାର ବିଷାକ୍ତ ଧୂଆଁ, କାରଖାନାର କଠିନ ଓ ତରଳ ବର୍ଜ୍ୟ, କୋଇଲା ଖଣିରୁ  ହେଉଥିବା ପ୍ରଦୂଷଣ, ଖଣି ସଂପ୍ରସାରଣ ଯୋଗୁଁ  ଘଟୁଥିବା ଜଙ୍ଗଲ କ୍ଷୟ, ଜିଲ୍ଲାର ନଦୀନାଳ ଉପରେ ମାଫିଆଙ୍କ ନିୟନ୍ତ୍ରଣ ପ୍ରଭୃତି ପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି। ଏ ଭଳି  ପ୍ରଦୂଷଣ କେବଳ ଯେ ଝାରସୁଗୁଡ଼ା ପାଇଁ ବିପଦ ତାହା ନୁହେଁ, ଏହା ସାରାସମାଜ ପାଇଁ ବିପଦ ଆଣୁଛି ବୋଲି ବହୁ ସ୍ବେଚ୍ଛାସେବୀ ଓ ସର୍ଭେ ସଂସ୍ଥା ତାଙ୍କ ରିପୋର୍ଟରେ ମତ ପ୍ରଦାନ କରି ସାରିଛନ୍ତି। ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ‘ଗ୍ରିନ୍‌ପିସ୍’ ଓ ସର୍ଭେ ସଂସ୍ଥା ‘ୱେଟ୍‌ଲ୍ୟାଣ୍ଡ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସାଉଥ-ଏସିଆ (ୱାଇଜା)’ର ରିପୋର୍ଟ ଅନୁଯାୟୀ ଦେଶର ଯେଉଁ କେତେକ ସ୍ଥାନରେ ମାରାତ୍ମକ ସଲଫର୍ ଡାଇଅକ୍ସାଇଡ଼୍ ନିର୍ଗମନକାରୀ ଶିଳ୍ପ ସଂସ୍ଥା ରହିଛି ସେଥି ମଧ୍ୟରେ ଝାରସୁଗୁଡ଼ା ସର୍ବାଗ୍ରେ ରହିଛି। ଏଥିସହିତ ନିକଟରେ ଅବସ୍ଥିତ ହୀରାକୁଦ ଜଳଭଣ୍ଡାରରେ ଫିକାଲ କୋଲିଫର୍ମ ଏବଂ ଟୋଟାଲ କୋଲିଫର୍ମ ଜୀବାଣୁ ସହ ଉକ୍ତ ପାଣିରେ ଫ୍ଲୋରାଇଡର ମାତ୍ରା ବିପଦସ୍ତରରୁ ଢେର୍ ଉପରେ ଥିବା ମଧ୍ୟ ଉଲ୍ଲେଖ କରାଯାଇଛି।

publive-image The Wire

ଜିଲ୍ଲାରେ ବ୍ୟାପକ କୋଇଲା ଖଣି ଥିବାରୁ କୋଇଲା ଉତ୍ତୋଳନ ଓ ପରିବହନ ପ୍ରଦୂଷଣର ଅନ୍ୟ ଏକ କାରଣ ହୋଇଥିବା ବେଳେ ଖଣି ସଂପ୍ରସାରଣ ଯୋଗୁଁ ପରିବେଶ ଧ୍ୱଂସ ପାଇଛି। ଜିଲ୍ଲା ଭିତରେ ଓ ଜିଲ୍ଲା ସୀମାକୁ ଲାଗି ବ୍ୟାପକ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ରହିଥିବାରୁ ଏଗୁଡ଼ିକର ଉଡ଼ନ୍ତା ପାଉଁଶ ଓ ରାସାୟନିକ ବର୍ଜ୍ୟ ଏବେ ଚିନ୍ତାର କାରଣ ପାଲଟିଛି। ଉଡ଼ନ୍ତା ପାଉଁଶର ସୁପରିଚାଳନା ହେଉନଥିବା ଯୋଗୁଁ  ପ୍ରଦୂଷଣ ଉଗ୍ର ହେବାରେ ଲାଗିଛି। ମାଫିଆମାନେ ପ୍ରଶାସନକୁ ହାତ କରି କାରଖାନାଠାରୁ ସୁବିଧାଜନକ ଦୂରତାରେ ଥିବା ଜନବସତି ମଧ୍ୟରେ ଏକାଧିକ ସମତଳ ଜମିକୁ ଖାଲୁଆ ଜମି ଦେଖାଇ ସେଠାରୁ କୋଟି କୋଟି ଟଙ୍କାର ମାଟି ଖୋଳି ବିକ୍ରି କରିଦେଉଛନ୍ତି। ପରେ ଏହି କୃତ୍ରିମ ଗାତରେ ଲକ୍ଷ ଲକ୍ଷ ଟନ୍ ଉଡ଼ନ୍ତା ପାଉଁଶ ପୋତି ଜନବସତି ଅଞ୍ଚଳକୁ ପ୍ରଦୂଷିତ କରି ଚାଲିଛନ୍ତି। ଏଭଳି ଏକ ଯୋଜନାବଦ୍ଧ ଚାଲ୍‌ ଦୀର୍ଘଦିନ ହେଲା ଚାଲିଆସୁଛି। ଏହି  କାରବାରରେ କୋଟି କୋଟି ଟଙ୍କାର ମୁନାଫା ହେଉଥିବାରୁ ଏହାକୁ ଶାସକ, ପ୍ରଶାସକ ସଭିଏଁ ସହଯୋଗ କରିଆସୁଥିବା କୁହାଯାଉଛି।

ଏହି ପାଉଁଶ ଗୁଣ୍ଡ ବାୟୁମଣ୍ଡଳ ସହିତ ବିଭିନ୍ନ ଜଳଭଣ୍ଡାର, ଜଙ୍ଗଲ ଜମି ଓ ପ୍ରାକୃତିକ ଜଳ ଉତ୍ସଗୁଡ଼ିକୁ ଭୀଷଣ ଭାବେ ପ୍ରଦୂଷିତ କରିବାରେ ଲାଗିଛି। ଜିଲ୍ଲାରେ ଥିବା ତାପଜ ବିଦ୍ୟୁତ୍‌ କାରଖାନା ଓ ଲୌହ କାରଖାନାଗୁଡ଼ିକରେ ଦୈନିକ ହଜାର ହଜାର ଟନ୍ କୋଇଲା ଦହନ ହେବା ଫଳରେ ଏଥିରୁ ସଲଫର୍ ଡାଇଅକ୍ସାଇଡ଼୍, ନାଇଟ୍ରୋଜେନ୍ ଅକ୍ସାଇଡ଼୍, କାର୍ବନ ମନୋକ୍ସାଇଡ଼ ଭଳି ମାରାତ୍ମକ ଗ୍ୟାସ ଓ ରସାୟନିକ ଦ୍ରବ୍ୟ ନିର୍ଗତ ହୋଇ ବାୟୁ ମଣ୍ଡଳରେ ମିଶୁଛି। ଏହାସହିତ ଏହି କାରଖାନାମାନଙ୍କ ମଧ୍ୟରୁ ବିଭିନ୍ନ କଠିନ ବର୍ଜ୍ୟ ତଥା ଫ୍ଲାଇଆସ୍‌ ଉତ୍ପନ୍ନ ହୋଇ ଏହି ଅଞ୍ଚଳର ବାୟୁମଣ୍ଡଳକୁ ପ୍ରଦୂଷଣ କରିବାରେ ମୁଖ୍ୟ କାରଣ ପାଲଟିଛି। ଜିଲ୍ଲାର ବିଭିନ୍ନ ଜଳାଶୟ ମଧ୍ୟ ପ୍ରଦୂଷଣ ହେଉଥିବା ଯୋଗୁଁ ବହୁ ସମୟରେ ମାଛ ମଡ଼କ ଘଟଣା ସହିତ ବିଭିନ୍ନ କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ ଯୋଗୁଁ ଚାଷଜମି ପୋଡ଼ିଯାଇ ଲକ୍ଷଲକ୍ଷ ଟଙ୍କାର ଫସଲ କ୍ଷତି ହେଉଥିବା ଭଳି ଅଭାବନୀୟ ଘଟଣା ଅତୀତରେ ଅନେକଥର ଘଟିଛି। ଶିଳ୍ପାୟନ ସହିତ ଖଣି ସଂପ୍ରସାରଣ ଜିଲ୍ଲାରେ ଜଙ୍ଗଲ ସଂପଦକୁ ପ୍ରଭାବିତ କରିଛି।

publive-image Himal Southasian

ଜିଲ୍ଲାର ଭୌଗୋଳିକ ସ୍ଥିତି ଦୃଷ୍ଟିରୁ ଏଠାରେ ପ୍ରାକୃତିକ ପରିବେଶରେ ଭାରସାମ୍ୟ ରକ୍ଷା ପାଇଁ ୩୫ ପ୍ରତିଶତ ଜଙ୍ଗଲର ଆବଶ୍ୟକତା ଥିବା ବେଳେ ଏବେ ଖଣିଖାଦାନ ଓ ଶିଳ୍ପ ପ୍ରତିଷ୍ଠା ଯୋଗୁଁ ପ୍ରାକୃତିକ ଜଙ୍ଗଲ କ୍ରମଶଃ ଧ୍ୱଂସ ପାଇ ୧୪.୭ ପ୍ରତିଶତକୁ ତଳକୁ ଖସି ଆସିଥିବା ଜଣାଯାଇଛି। ଜିଲ୍ଲାର ବହୁ ଚାଷୀ ଓ ଜଙ୍ଗଲ ନିକଟରେ ରହୁଥିବା ଅଧିବାସୀଙ୍କ କହିବାନୁଯାୟୀ ଜିଲ୍ଲାରେ ପ୍ରଦୂଷଣ ଜନିତ କାରଣ ଯୋଗୁଁ  ଜଙ୍ଗଲଗୁଡ଼ିକରେ ପୂର୍ବରୁ ହେଉଥିବା ବିରଳ ଉଦ୍ଭିଦ ସହିତ ବିଭିନ୍ନ ଔଷଧୀୟ ଗୁଳ୍ମ ଯଥା ଛତାବରୀ, ପାନ୍ଅଏରି, ରାଧାକୃଷ୍ଣ, ଅପାମାର୍ଗ, ଗୁଞ୍ଜ, ଗୁଳୁଚି ଲହ, ଚପ୍‌କୋଲୋଠୋ, ବାସଙ୍ଗ, ଚିରୋମାରୋ ପ୍ରଭୃତି ସଂପୂର୍ଣ୍ଣ ବିଲୋପ ହୋଇଯାଇଛି। ଏଠାରେ ଥିବା ହରିଡ଼ା, ତେନ୍ତୁଳି ଭଳି ବୃକ୍ଷରୁ ଫଳ ଧାରଣ କ୍ଷମତା ମଧ୍ୟ ଧୀରେ ଧୀରେ ହ୍ରାସ ପାଉଥିବା ଦେଖାଯାଇଛି।

ଜିଲ୍ଲାରେ ଥିବା କାରଖାନାଗୁଡ଼ିକ କାଗଜକଲମରେ ଯାହା ଉତ୍ପାଦନ ଦେଖାଉଛନ୍ତି, ତାର ଦୁଇ ଗୁଣ ଉତ୍ପାଦନ କରାଯାଉଥିବାରୁ ସେ ଅନୁପାତରେ ବର୍ଜ୍ୟ ମଧ୍ୟ ବାହାରିଥାଏ। ପ୍ରତି ଦିନ ହଜାର ହଜାର ଟନ୍ ପାଉଁଶ ନିର୍ଗତ ହେଉଥିବା ବେଳେ ଏହି ପାଉଁଶ ଏବେ ରାଜନୈତିକ ପ୍ରସଙ୍ଗ ପାଲଟିଯାଇଛି। ବାୟୁ ମଣ୍ଡଳରେ ଭାସୁଥିବା ବିଷାକ୍ତ ଗୁଣ୍ଡ ସବୁଜ ବୃକ୍ଷଲତା ସହିତ ଉର୍ବର ଚାଷ ଜମି, ଭୂଗର୍ଭ ଜଳ ଏବଂ ମୁକ୍ତ ବାୟୁକୁ ପ୍ରଭାବିତ କରୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଜିଲ୍ଲାରେ ବାସ୍ତବରେ ଶିଳ୍ପଜନିତ ପ୍ରଦୂଷଣର ପ୍ରଭାବ ବହନ କରିବାର କ୍ଷମତା କେତେ ତାର ପ୍ରକୃତ ମୂଲ୍ୟାୟନ ହେବାର ଆବଶ୍ୟକତା ରହିଛି। ବିଭିନ୍ନ କାରଖାନାରେ ବର୍ଜ୍ୟ ବସ୍ତୁ ସୁପରିଚାଳନାକୁ ନେଇ ସ୍ବଚ୍ଛତା ନଥିବାରୁ ପ୍ରଶାସନ, କମ୍ପାନି ଓ ସାଧାରଣ ଜନତାଙ୍କ ମଧ୍ୟରେ ପରସ୍ପର ପ୍ରତି ସଂଦେହାତ୍ମକ ବାତାବରଣ ସୃଷ୍ଟି ହେଉଛି। ପରିବେଶ ବୈଜ୍ଞାନିକଙ୍କ ମତରେ ବାୟୁମଣ୍ଡଳରେ ଭାସୁଥିବା ବିଷାକ୍ତ କଣିକା ଯେତେ ଛୋଟ ତାହା ସ୍ବାସ୍ଥ୍ୟ ପାଇଁ ସେତେ ବିପଦ।