ଝାରସୁଗୁଡ଼ାରେ ପ୍ରଦୂଷଣ ଲଗାମଛଡ଼ା 

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ପ୍ରଦୂଷଣର ଉଦ୍‌ବେଗଜନକ ସ୍ଥିତିକୁ ନେଇ ୨୦୧୭ ନଭେମ୍ବର ୧୦ ତାରିଖ ଦିନ ଝାରସୁଗୁଡ଼ା ବଞ୍ଚାଅ ସମିତି ଓ କଂଗ୍ରେସ ଉଭୟ‌େ ବିକ୍ଷୋଭ ପ୍ରଦର୍ଶନ କରି ‘ଆଉ ଆମକୁ କାରଖାନା ଦରକାର ନାହିଁ’ ବୋଲି ବିକଳ ଚିତ୍କାର କରିଥିଲେ। ସେତେବେଳେ ପରିବେଶ ନିୟନ୍ତ୍ରଣ ବୋର୍ଡ଼ ଦେଶର ୧୦୦ଟି ପ୍ରଦୂଷିତ ସହର ମଧ୍ୟରେ ଝାରସୁଗୁଡ଼ା ସହର ଓ ଇବ୍‌ ଭ୍ୟାଲି ଅଞ୍ଚଳକୁ ଘୋଷଣା କରିବା ପରେ ଝାରସୁଗୁଡ଼ା ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ବିଜେଡି ଅଧୀନରେ ଥିବା ଝାରସୁଗୁଡ଼ା ବଞ୍ଚାଅ ସମିତି ଓ ଝାରସୁଗୁଡ଼ାର ତତ୍କାଳୀନ ବିଧାୟକ ନବ ଦାସଙ୍କ ନେତୃତ୍ବରେ ଥିବା କଂଗ୍ରେସ ଦଳ ଝାରସୁଗୁଡ଼ାରେ ଆଉ କାରଖାନା ଦରକାର ନାହିଁ ବୋଲି ଦାବି କରିଥିଲେ। ଝାରସୁଗୁଡ଼ା ଓ ଇବ୍‌ ଭ୍ୟାଲି ଏବେ ପ୍ରଦୂଷଣର ବିଷ ବଳୟ ମଧ୍ୟରେ ରହିଛି। କାରଖାନା କର୍ତ୍ତୃପକ୍ଷ ପାଉଁଶ ପୋଖରୀକୁ ଭେଡ଼େନ ନଦୀରେ ପକାଇ ଦେବାରୁ ନଦୀ ପାଣି ବିଷାକ୍ତ ହେଉଛି। ଖୋଲାମୁହଁ କୋଇଲା ଖଣି ଯୋଗୁଁ ସେ ଅଞ୍ଚଳ ବ୍ୟାପକ ପ୍ରଦୂଷିତ ହୋଇଉଠିଛି।

ପାଣିରେ ଫ୍ଲୋରାଇଡ୍‌ର ମାତ୍ରା ବୃଦ୍ଧି ପାଉଛି। ଭେଡ଼େନ ନଦୀ, ଇବ୍‌ ନଦୀ, କେଲୋ ନଦୀ ଓ ଲିଲାରି ନାଳାର ପାଣି ପ୍ରଦୂଷିତ ହେଉଛି। ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ ଥିବା ନୀତିନିୟମକୁ କୌଣସି କାରଖାନା ମାନୁନାହାନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପ୍ରଶାସନିକ ଅଧିକାରୀମାନେ ପଛଘୁଞ୍ଚା ଦେଉଛନ୍ତି। ଏହି ସମସ୍ୟାକୁ ଅଣଦେଖା କଲେ ପରିସ୍ଥିତି ଆଗକୁ ଶୋଚନୀୟ ହେବା ସହିତ ଜୀବନଧାରଣ ଦୁର୍ବିସହ ହୋଇପଡ଼ିବ ବୋଲି ଝାରସୁଗୁଡ଼ା ବଞ୍ଚାଅ ସମିତି ପକ୍ଷରୁ ସେତେବେଳେ କୁହାଯାଇଥିଲା। ଏହି ସମିତିରେ ସେତେବେଳର ସମସ୍ତ କର୍ମକର୍ତ୍ତା ସ୍ବର୍ଗତ କିଶୋର ମହାନ୍ତିଙ୍କ ନେତୃତ୍ବାଧୀନ ବିଜେଡି ଦଳରେ ଥିଲେ। ଏମାନଙ୍କୁ ପ୍ରତିହତ କରିବାକୁ ଯାଇ କଂଗ୍ରେସ ମଧ୍ୟ ସମାନ୍ତରାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲା। କଂଗ୍ରେସ ସେତେବେଳେ କହିଥିଲା ଯେ ବିଭିନ୍ନ କଳକାରଖାନାରୁ ନିର୍ଗତ ଧୂଆଁ ଯୋଗୁଁ  ସହର ପ୍ରଦୂଷିତ ହେଉଛି। ତେଣୁ ଝାରସୁଗୁଡ଼ାରେ ଆଉ କୌଣସି ନୂଆ କାରଖାନା ପ୍ରତିଷ୍ଠା ପାଇଁ ପରିବେଶ ମଞ୍ଜୁରି ଦିଆ ନଯାଉ।

ଝାରସୁଗୁଡ଼ାରେ ଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଆଞ୍ଚଳିକ କାର୍ଯ୍ୟାଳୟକୁ ଘେରାଉ କରି ସେଠାରେ ଏକ ସଭା କରାଯାଇଥିଲା। ଏହି ବିକ୍ଷୋଭ ସମାବେଶ ଆୟୋଜନ କରିଥିବା ନବ ନେତୃତ୍ବାଧୀନ କଂଗ୍ରେସ ୨୦୧୯ରେ ବିଜେଡିରେ ମିଶିଯିବା ପରେ ପ୍ରଦୂଷଣ ପାଇଁ ଆନ୍ଦୋଳନ ଚଳାଇଥିବା ରାଜନୈତିକ ଦଳଗୁଡ଼ିକ ନିରବି ଯାଇଥିଲେ। କିଛି ବର୍ଷ ତଳେ ବିଜେପି ଝାରସୁଗୁଡ଼ାରେ ପ୍ରଦୂଷଣ ପାଇଁ ଚିନ୍ତା ବ୍ୟକ୍ତ କରିଥିଲା। ଖୋଦ୍‌ ସାଂସଦଙ୍କ ନେତୃତ୍ବରେ ଏଥିପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ ହୋଇଥିଲା ଓ କାରଖାନାଗୁଡ଼ିକର ପାଉଁଶ ପୋଖରୀଗୁଡ଼ିକୁ ସେମାନେ ନିଜେ ଯାଇ ତଦାରଖ କରି ବଡ଼ ବଡ଼ ବିବୃତିମାନ ଦେଇଥିଲେ। ଏହାକୁ ପ୍ରତିହତ କରିବା ପାଇଁ ବିଜେଡି ପକ୍ଷରୁ ମଧ୍ୟ ଆଉ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କରାଯାଇଥିଲା। ଉଭୟ ଟିମ୍‌ ତମ୍ବି‌ତୋଫାନ କରିବା ପରେ ହଠାତ୍‌ ଥଣ୍ଡା ପଡ଼ି ଯାଇଥିଲେ। ଏବେ ବିଜେପିର ଗୋଟିଏ ଟିମ୍‌ ପ୍ରଦୂଷଣ ପାଇଁ ପାଟି ଖୋଲୁଥିବା ବେଳେ ଆଉ ଗୋଟିଏ ଟିମ୍‌ ନରମ ମନୋଭାବ ପ‌ୋଷଣ କରୁଥିବା ଦେଖାଯାଉଛି। ଯେଉଁ ପ୍ରଦୂଷଣକୁ ନେଇ ଏତେ ତମ୍ବିତୋଫାନ କରାଯାଉଥିଲା ସେହି ପ୍ରଦୂଷଣ ଗତ ୫ ବର୍ଷ ମଧ୍ୟରେ ଶହେ ଗୁଣ କାୟା ବଢ଼ାଇ ସାରିଥିବା ବେଳେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ମାନ ଆଉ ଦେଖା ଯାଉନାହାନ୍ତି। କୌଣସି ରାଜନୈତିକ ଦଳ ବି ଏଥିପ୍ରତି ଆଉ ମୁହଁ ଖୋଲୁନାହାନ୍ତି।

ସମ୍ବନ୍ଧିତ ଖବର