ଓଡ଼ିଶାରେ ବି ବଢୁଛି ପ୍ରଦୂଷଣ ହାର !

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ନେଇ ସବୁଠି ଏବେ ଜୋରଦାର ଚର୍ଚ୍ଚା । ତେବେ ଓଡ଼ିଶାର କିଛି ସହର ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି | ଭାରତ ସରକାରଙ୍କ ଜାତୀୟ ବିଶୁଦ୍ଧ ବାୟୁ କାର୍ଯ୍ୟକ୍ରମ – ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମର ତଥ୍ୟ ଅନୁସାରେ ଓଡିଶାର ୬ଟି ସହରକୁ ପ୍ରମୁଖ ପ୍ରଦୂଷିତ ସହର ତାଲିକାରେ ରଖିଛନ୍ତି । ଦେଶର ୧୦୨ଟି ପ୍ରମୁଖ ପ୍ରଦୂଷିତ ସହର ତାଲିକା ମଧ୍ୟରେ ରହିଛି – ଅନୁଗୁଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ରାଉରକେଲା ଓ ତାଳଚେର । ଓଡିଶାର ଏହି ୬ଟି ସହର ପ୍ରଦୂଷଣର ବଳୟ ଭିତରେ ଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏହା ଚିନ୍ତାଜନକ ହୋଇପଡିଛି ।

ଭାରତ ସରକାରଙ୍କ ଏହି ତାଲିକା ପରେ ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟ ମଧ୍ୟ ଅନୁରୂପ ରିପୋର୍ଟ ପ୍ରକାଶ କରିଛି । ଚିକାଗୋ ବିଶ୍ୱବିଦ୍ୟାଳୟର ବାୟୁ ପ୍ରଦୂଷଣ ମାନକ ରିପୋର୍ଟ ଅନୁସାରେ ଏହି ସହରଗୁଡିକର ପ୍ରଦୂଷଣ ମାତ୍ରା ବି ବେଶ୍ ଉଦବେଗଜନକ । ରିପୋର୍ଟ ଅନୁସାରେ ଦେଶର ମାନକ ପ୍ରଦୂଷଣ ମାତ୍ରା ୪୦ ରହିଛି ଏବଂ ଅନୁଗୁଳର ପ୍ରଦୂଷଣ ମାତ୍ରା ୩୮.୯୭, ବାଲେଶ୍ୱରର ପ୍ରଦୂଷଣ ମାତ୍ରା ୪୨.୭୭ ରହିଥିବା ବେଳେ ଭୁବନେଶ୍ୱରର ପ୍ରଦୂଷଣ ମାତ୍ରା ୩୭.୩୮ ରହିଛି ।

ସେହିପରି କଟକର ପ୍ରଦୂଷଣ ମାତ୍ରା ୩୮.୯୦, ରାଉରକେଲାର ପ୍ରଦୂଷଣ ମାତ୍ରା ୪୫.୫୩ ଏବଂ ତାଳଚେରର ପ୍ରଦୂଷଣ ମାତ୍ରା ୩୮.୯୭ ରହିଛି । ବିଶେଷଜ୍ଞଙ୍କ ମତରେ ପ୍ରଦୂଷଣ ଯୋଗୁଁ ବିଶ୍ୱରେ ମଣିଷର ଜୀବନକାଳ ମଧ୍ୟ କମିବାରେ ଲାଗିଛି । ଏହା ସିଗାରେଟ ଜନିତ କୁପ୍ରଭାବଠୁ ବି ଭୟଙ୍କର ହୋଇଯାଇଛି । ପ୍ରଦୂଷଣଠାରୁ କୌଣସି ବଡ ବିପଦ ମାନବ ସମାଜ ପାଇଁ ନାହିଁ । ହିସାବ ଅନୁସାରେ ଭାରତରେ ପ୍ରଦୂଷଣ କାରଣରୁ ପ୍ରତିବର୍ଷ ପ୍ରାୟ ୧୩ଲକ୍ଷ ଲୋକଙ୍କ ଜୀବନହାନୀ ଘଟୁଛି ।

ସମ୍ବନ୍ଧିତ ଖବର