ପୋଲସରା ବିଧାୟକଙ୍କ ନାଁରେ ହାଇକୋର୍ଟରେ ମାମଲା

ମିଥ୍ୟା ସତ୍ୟପାଠ ଅଭିଯୋଗ

କଟକ: ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ସତ୍ୟପାଠରେ ଭୁଲ ତଥ୍ୟ ପ୍ରଦାନ ଅଭିଯୋଗ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିରିକିପଡ଼ା ଶାସନର ରୋହିତ ପ୍ରଧାନଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି ଯେ ୨୦୧୪ ନିର୍ବାଚନରେ ନାମାଙ୍କନ ଦାଖଲ ସମୟରେ ଶ୍ରୀ ସାହୁ ସତ୍ୟପାଠରେ ନିଜ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ଠିକ ତଥ୍ୟ ଦେଇ ନଥିଲେ। ଫର୍ମ ୨୬ରେ ସେ ନିଜ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ବୋଲି ଉଲ୍ଲେଖ କରିଥିଲେ। ଅନ୍ୟପକ୍ଷରେ ଶ୍ରୀ ସାହୁ ପୂର୍ବରୁ ପଢୁଥିବା ପୋଲସରା ବ୍ଲକ ଅନ୍ତର୍ଗତ ହାତୀ ଓଟସ୍ଥିତ ହାତୀଓଟ ହାଇସ୍କୁଲରୁ ସୂଚନା ଅଧିକାରୀ ଆଇନ ବଳରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଥିଲା ଯେ ସେ ମାଟ୍ରିକ୍‌ ପାସ୍‌ କରି ନାହାନ୍ତି। ହାତୀଓଟ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ନିକଟରୁ ଏପରି ତଥ୍ୟ ସୂଚନା ଅଧିକାର ବଳରେ ମିଳିବା ପରେ ଆବେଦନକାରୀ ନିର୍ବାଚନ କମିସନଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ। ବିଧାୟକ ଶ୍ରୀ ସାହୁ ମାଟ୍ରିକ୍‌ ପାସ୍‌ କରି ନଥିବା ବେଳେ ସତ୍ୟପାଠରେ ନିଜ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ ବୋଲି ଦର୍ଶାଇଥିବାରୁ ତାଙ୍କ ସଭ୍ୟପଦ ରଦ୍ଦ ପାଇଁ ନିର୍ବାଚନ କମିସନଙ୍କ ନିକଟରେ ୨୦୧୮, ଜାନୁଆରି ୩୧ରେ ଆବେଦନକାରୀ ନିବେଦନ କରିଥିଲେ। କିନ୍ତୁ ନିର୍ବାଚନ କମିସନ ଏ ପ୍ରସଂଗରେ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ। ନିର୍ବାଚନ କମିସନଙ୍କ ନିଷ୍କ୍ରିୟତାକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସତ୍ୟପାଠରେ ଭୁଲ ତଥ୍ୟ ପ୍ରଦାନ କରିଥିବା ନେଇ ବିଧାୟକଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଓ ମିଳିଥିବା ତଥ୍ୟ ପ୍ରମାଣକୁ ନେଇ ତଦନ୍ତ କରିବା ଲାଗି ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ପ୍ରଦାନ ଲାଗି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଏପରି ପରିସ୍ଥିତିରେ ବିଧାୟକଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନକରୀ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାସ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ଭାରତର ନିର୍ବାଚନ କମିସନ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ଗଞ୍ଜାମ ଜିଲା ନିର୍ବାଚନ ଅଧିକାରୀ, ବିଧାୟକ ଶ୍ରୀକାନ୍ତ ସାହୁ ଓ ହାତୀଓଟ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର