ଜୟପୁର: ଯୁଆଡେ ଚାହିଁବେ ମାଳ ମାଳ ପଲିଥିନ୍, ପ୍ଲାଷ୍ଟିକ୍ ଓଅଦରକାରୀ ବର୍ଜ୍ୟବସ୍ତୁ। ପଲିଥିନ୍ ପାହାଡ଼ ଉପରେ ଠିଆ ହୋଇଛି ସହର। ବେଧଡ଼କ ବିକ୍ରି ହେଉଛି ନିଷିଦ୍ଧ ପଲିଥିନ୍ ଏବଂ ସିଙ୍ଗଲୟୁଜ୍ ପ୍ଲାଷ୍ଟିକ୍। ୧୨୦ ମାଇକ୍ରନ୍ରୁ କମ୍ ମୋଟା ପଲିଥିନ୍ ବିକ୍ରି, ଆମଦାନୀ, ବ୍ୟବହାର, ବଣ୍ଟନ, ଉତ୍ପାଦନ ଏବଂ ଷ୍ଟକ ରଖିବା ଉପରେ କଟକଣା କରାଇଛନ୍ତି ସରକାର। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ସହ ରାଜ୍ୟ ପ୍ରଦୂଷଣ ବୋର୍ଡ ଏ ଦିଗରେ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ତଥାପି ନିର୍ଦ୍ଦେଶକୁ କେହି ଖାତିର କରୁନାହାନ୍ତି। ଏ ଭିତରେ ୨୧ ମାସ ବିତିଗଲାଣି। ଲୋକଙ୍କ ଅବଗତି ନିମନ୍ତେ କେବଳ ପ୍ରଚାର କରି ଚୁପ୍ ବସିଯାଇଛି ପୌରସଂସ୍ଥା। ୭ ମାସ ହେବ ଯାଞ୍ଚ ବନ୍ଦଥିବାରୁ ଅବାଧରେ ବିକ୍ରୀବଟା ଚାଳିଛି। କିଛି ଅସାଧୁ କର୍ମଚାରୀ ଏବଂ ବ୍ୟବସାୟୀଙ୍କ ଭିତିରିଆ ସମ୍ପର୍ନ ଲାଗି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଚର୍ଚ୍ଚା ହେଉଛି ।
୨୦୨୨ ଜୁଲାଇ ୬ରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ବିଞପ୍ତି ପ୍ରକାଶ ପାଇଥିଲା। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା(ଦ୍ଵିତୀୟ ସଂସ୍କରଣ) ନିୟମ ୨୦୨୨ ଅନୁଯାୟୀ ୧୨୦ ମାଇକ୍ରନରୁ କମ୍ ମୋଟା କ୍ୟାରିବ୍ୟାଗ ବ୍ୟବହାର ଉପରେ କଟକଣା କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଡିସେମ୍ବର ୩୧ ପରଠୁ ଉପରୋକ୍ତ କମ୍ ଗେଜ୍ରୁ କମ୍ ମେଟାର ସାମଗ୍ରୀ ବ୍ୟବହାର ସମ୍ପୁର୍ଣ ବ୍ୟାନ୍ କରାଯାଇଛି।
କଡ଼ା ନିର୍ଦେଶ ପରେ ବି ସହରରେ ନିଷିଦ୍ଧ ସମଗ୍ରୀ ବିକ୍ରି ହେଉଛି। ପୃଷ୍ଟିକ କାଠିଯୁକ୍ତ କାନବଡ଼, ପ୍ଲାଷ୍ଟିକ କଠି ଥିବା ବେଲୁନ, ପ୍ଲାଷ୍ଟିକ ପତାକା, କ୍ୟାଣ୍ଡି କାଠି, ଆଇସକ୍ରିମ୍ କାଠି, ସଜସଜ୍ଜା ଲାଗି ଥର୍ମୋକୁଲ, ପ୍ଲେଟ୍, କପ, ଗ୍ଲାସ୍, କଣ୍ଟା ଚାମୁଚ, ଚାମଛ, ଛୁରୀ, ଷ୍ଟ୍ର, ମିଠାବାକ୍ସ ଉପରେ କରାଯାଉଥିବା ରାପିଂ, ଫ୍ୟାକିଂ ଫିଲ୍ମ, ନିମନ୍ତ୍ରଣ ପତ୍ର, ସିଗରେଟ୍ ପ୍ୟାକେଟ୍, ପ୍ଲାଷ୍ଟିକ୍ କିମ୍ବା ପିଭିସି ବ୍ୟାନର ବିକ୍ରି ହେଉଛି।
ସହରର ୯୦ ପ୍ରତିଶତରୁ ଅଧିକ ଦୋକାନରେ ନିମ୍ନମାନର ପଲିଥିନ୍ ବ୍ୟବହାର ହେଉଛି। ସବୁଠୁ ଅଧିକ ବ୍ୟବହାର ହେଉଛି ପରିବା, ଆମିଷ, ଫଳ, ରାସନ୍, ଜଳଖିଆ ଦୋକାନରେ। ହୋଲସେଲରମାନେ ଦୋକନ ଦୋକନ ବୁଲି ନିମ୍ନମାନର ପଲିଥିନ୍ ବିକ୍ରୀ ବି କରୁଛନ୍ତି। ଗ୍ରାହକ ବି ବଜାରକୁ ଆସିବା ବେଳେ ସାଙ୍ଗରେ ବ୍ୟାଗ ନଆଣି ପଲିଥିରେରେ ସାମଗ୍ରୀ ନେବାକୁ ପସନ୍ଦ କରୁଛନ୍ତି।
ଅପରପକ୍ଷରେ ଏସବୁ ପଲିଥିନ୍ କିଛି ବ୍ୟବହାର କରି ପରେ ପିଙ୍ଗି ଦିଆଯାଉଛି। ସେ ଗୁଡିକ ମଧ୍ୟରୁ କିଛି ଖରାଫ ପଲିଥିନ୍ ପୌରପାଳିକା ସଂଗ୍ରହ କରି ତୁରନ୍ତ ନଷ୍ଟ କରିବା ବଦଳରେ ଡମ୍ପିଂ ୟାର୍ଡ ଗୁଡିକରେ ସେଗୁଡିକୁ ଜମା କରି ରଖୁଛି। ଏପରିକି ଦିନ ଦିନ ସେଭଳି ପଡ଼ି ରହୁଛି। ଅବାଧରେ ବୁଲୁଥିବା ଗାଈ, କୁକୁର ଆଦି ଏସବୁକୁ ଖାଇ ରୋଗରେ ପଡୁଛନ୍ତି। ଏହା ସହ ଏଭଳି ନିମ୍ନମାନର ପଲିଥିନ୍ କୁଢ଼ କୁଢ଼ ମଇଳା ସହ ରହି ପଚି ସଢ଼ି ପରିବେଶ ପ୍ରଦୁଷଣ ହେଉଛି। ଏଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।