କଳାପଥର ପାହାଡ଼ ଉପରେ ପୋଖରୀ, ଲିଜ୍ ଆଳରେ ଶହଶହ କୋଟି ଟଙ୍କା ରାଜସ୍ବ ହଡ଼ପ୍

ମାଫିଆଙ୍କ ସହ ହାତ ମିଳାଇଛନ୍ତି ଜଙ୍ଗଲ-ପୁଲିସ- ରାଜସ୍ବ ବିଭାଗ

ଯାଜପୁର : ରାଜ୍ୟର ସର୍ବାଧିକ ରାଜସ୍ବ ଆଦାୟ ହେଉଥିବା ଅନ୍ୟତମ ତହସିଲ ଧର୍ମଶାଳା ଅଞ୍ଚଳର ପାହାଡ଼ପର୍ବତ ଏବେ ମାଫିଆଙ୍କ କବଜାରେ। ଜଙ୍ଗଲ, ପୁଲିସ ଓ ରାଜସ୍ବ ବିଭାଗର କେତେକ ଅଧିକାରୀଙ୍କ ଭାଗିଦାରୀରେ ପାହାଡ଼, ପର୍ବତ ଓ ଜଙ୍ଗଲକୁ ମାଫିଆମାନେ ଖୋଳିତାଡ଼ି ଧ୍ବଂସ କରିଦେଲେଣି। ଏହା ପୋଖରୀରେ ପରିଣତ ହେଲାଣି। ଚୋରା କାରବାର ରୋକିବା ଓ ପରିବେଶ ସୁରକ୍ଷା ଦାୟିତ୍ବରେ ଥିବା ଏହି ବିଭାଗଗୁଡ଼ିକର ନିରବ ସମର୍ଥନରେ ପାହାଡ଼ ଅଞ୍ଚଳ ମାଫିଆଙ୍କ ଚରାଭୂଇଁ ପାଲିଟିଛି। ଜଙ୍ଗଲ, ଝରଣା ଓ ପାହାଡ଼ ଅସ୍ତିତ୍ବ ହରାଇବାକୁ ବସିଲେଣି।

ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ଆରଆଇ ସର୍କଲ ଅଧୀନରେ ରହିଛି ରାହାଡ଼ପୁର-ବରଡ଼ା-ଡଙ୍କାରୀ ପାହାଡ଼ମାଳ। ଏନ୍‌ଜିଟିର ତାଗିଦ ସତ୍ତ୍ବେ ପ୍ରଶାସନ ସହଯୋଗରେ ଡଙ୍କାରୀ‌ରେ ଅସ୍ଥାୟୀ ପରମିଟ୍ ବଳରେ ପାହାଡ଼ ଖୋଳା କେଳେଙ୍କାରୀ ଧରାପଡ଼ିଥିଲା। ତଥାପି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନ କୁନ୍ଥକୁନ୍ଥ। ଜରିମାନା ଆଦାୟ ଆଳରେ କୋଟି କୋଟି ଟଙ୍କା କଳାପଥର କାରବାରକୁ ଘୋଡ଼ାଇ ଦେଲେ ଅଧିକାରୀ। ସେହିପରି ଡଙ୍କାରୀକୁ ଲାଗି ରହିଥିବା ରାହାଡ଼ପୁରରେ ଶହଶହ ଗାଡ଼ି, ମେସିନ ଓ ଶ୍ରମିକଙ୍କୁ ଲଗାଇ ଦିନରାତି ଲକ୍ଷ ଲକ୍ଷ ଘନମିଟର କଳାପଥର ବିନା ପରିବେଶ ମଞ୍ଜୁରି, ମାଇନିଂ ପ୍ଲାନ୍‌ରେ ଚାଲାଣ ହେଉଛି। ବିଶେଷକରି ଲିଜ୍ ଆଳରେ ଚାଲିଛି ଏହି ହରିଲୁଟ କାରବାର। ଅଂଶିଦାର ପାଲିଟିଛନ୍ତି ରାଜସ୍ବ-ପୁଲିସ ଓ ଜଙ୍ଗଲ ବିଭାଗର ଅସାଧୁମେଣ୍ଟ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଧର୍ମଶାଳା ତହସିଲ ଡଙ୍କାରୀ ଆରଆଇ ସର୍କଲ ଅଧୀନରେ ଥିବା ରାହାଡ଼ପୁରର ୬ଟି, ଡଙ୍କାରୀର ୧୪ଟି ଓ ବରଡ଼ାର ୫ଟି ମୋଟ ୨୫ଟି ଖାଦାନ ଲିଜ୍ ଦିଆଯାଇଛି। ସେଥିମଧ୍ୟରୁ ମାତ୍ର ମୋଟ ୧୨ଟି ଖାଦାନ ଚାଲିବା ପାଇଁ ଅନୁମତି ରହିଛି। ଅବଶିଷ୍ଟ ୧୩ଟି କାଗଜପତ୍ରରେ ବନ୍ଦ ରହିଥିବାର ଦର୍ଶାଯାଉଥିବାବେଳେ ପ୍ରାୟ ସମସ୍ତ ଖାଦାନ ଚାଲିଛି। ଏହାବ୍ୟତୀତ ଆଉ ୧୦ଟି ଅଧିକ ଖାଦାନ ମଧ୍ୟ ବେଆଇନ ଭାବେ ଚାଲିଛି। ଲିଜ୍ ହୋଇଥିବା ଖାଦାନରୁ ଅନୁମତି ଠାରୁ ଶହେ ଗୁଣ ଅଧିକ କଳାପଥର ଚୋରା ଚାଲାଣି ହେଉଛି। ସେହିପରି ଚୋରାଖାଦାନରୁ ଆଖିବୁଜା ଚାଲାଣ ହେଉଛି। ଏପରିକି ଲିଜ୍ ନେଇଥିବା ପଥର ବ୍ୟବସାୟୀ ନିଜ ଅଞ୍ଚଳରୁ ଅଳ୍ପ ଖନନ କରି ବାହାର ଅଞ୍ଚଳରୁ ବ୍ୟାପକ ଚୋରାଚାଲାଣ କରିଚାଲିଛନ୍ତି। ଏହି ବାବଦରେ ସରକାର ଶହ ଶହ କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ଶହଶହ ଏକର ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ଚୋରାପଥର ବ୍ୟବସାୟରୁ ରାତାରାତି କୋଟିପତି ହୋଇଥିବା ପଞ୍ଚାୟତସ୍ତରର ୨/୩ଜଣ ରାଜନେତା ଏହି ଅଞ୍ଚଳରେ ଧ୍ବଂସଲୀଳାର କାର୍ପଟଦାର ସାଜିଛନ୍ତି। ଶାସକଦଳର ଏହି ନେତାଙ୍କ ଚୋରା ପଥର କାରବାର ସାମ୍ରଜ୍ୟକୁ ନିୟନ୍ତ୍ରଣ କରିବାକୁ ଅଧିକାରୀ ସାହସ ଯୋଗାଡ଼ କରିପାରୁନାହାନ୍ତି। ସେମାନଙ୍କ ସହିତ ହାତ ମିଳାଇ ଅସାଧୁ କାରବାରକୁ ବଢାଇବାରେ ଲାଗିଛନ୍ତି। ଏହି ଅସାଧୁମେଣ୍ଟର କାରବାରକୁ ଯୁବ ଜିଲ୍ଲାପାଳ କିପରି ନିୟନ୍ତ୍ରଣ କରୁଛନ୍ତି, ତା ଉପରେ ସମସ୍ତଙ୍କର ନଜର।

ସମ୍ବନ୍ଧିତ ଖବର