କେନ୍ଦୁଝରରେ ପୋଖରୀ ଚୋରି! ଚାଷୀ ଖୋଳିଲେ, ଫାର୍ମ ପଣ୍ଡ ଦର୍ଶାଇ ଅର୍ଥ ହଡ଼ପ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍‌ରେ ପୋଖରୀ ଚୋରି। ନିଜ ଖର୍ଚ୍ଚରେ ପୋଖରୀ ଖୋଳିଲେ ଚାଷୀ। କିନ୍ତୁ ସେହି ପୋଖରୀକୁ ଫାର୍ମପଣ୍ଡ ଦର୍ଶାଇ ଟଙ୍କା ହଡ଼ପ କରାଯାଇଛି। ଘଟଣା ଜଣାପଡ଼ିବା ପରେ ଟଙ୍କା ଖର୍ଚ୍ଚ କରି ନିଜ ଜମିରେ ପୋଖରୀ ଖୋଳିଥିବା ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ଠକେଇର ଶିକାର ହୋଇଥିବା ଚାଷୀମାନେ ମୃତ୍ତିକା ଓ ଜଳ ସଂରକ୍ଷଣ ବିଭାଗର ଅଧିକାରୀଙ୍କୁ ଦୋଷ ଦେଉଥିବାବେଳେ ବିଭାଗୀୟ ଅଧିକାରୀ କିନ୍ତୁ ନିଜ ହାତସଫା କରି ବସିଛନ୍ତି।

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍‌ ବଡ଼ନେଉଳି ଗ୍ରାମର ଏକାଧିକ ଚାଷୀ ନିଜନିଜ ଜମିରେ ନିଜ ଖର୍ଚ୍ଚରେ ପୋଖରୀ ଖୋଳାଇଥିଲେ। ଖରାଦିନେ ପରିବା ଚାଷ କରି ଗୁଜୁରାଣ ମେଣ୍ଟାଇବା ସହ ମାଛଚାଷ କରିବାକୁ ଯୋଜନା କରିଥିଲେ। ଏହି ଗ୍ରାମର ଅଗସ୍ତି ପ୍ରଧାନ, ବିଜୟ ନାୟକ, ଶଙ୍କର୍ଷଣ ନାୟକ, ପ୍ରଫୁଲ୍ଲ ବାରିକ ପ୍ରମୁଖ ନିଜ ଜମିରେ ପୋଖରୀ ଖୋଳିଥିଲେ। କିନ୍ତୁ ଏସବୁ ପୋଖରୀ ଖୋଳା ନାମରେ ଫାର୍ମପଣ୍ଡ ବାବଦକୁ ମନରେଗା ଯୋଜନାରେ ଅନୁଦାନ ଖର୍ଚ୍ଚ ହୋଇଥିବା ଏବେ ସରକାରୀ ତଥ୍ୟରୁ ଜଣାପଡ଼ିଛି।

ବଡ଼ନେଉଳି ଗାଁର ଶେଖର କୁମାର ପାତ୍ରଙ୍କ ଅଭିଯୋଗ ଅନୁସାରେ, ତାଙ୍କ ବାପା ଡମ୍ବରୁଧର ପାତ୍ର ନିଜେ ପଇସା ଖର୍ଚ୍ଚ କରି ଦୁଇବର୍ଷ ତଳେ ପୋଖରୀ ଖୋଳିଥିଲେ। ହେଲେ ଏବେ ସରକାରୀ ବାବୁମାନେ ସେହି ପୋଖରୀକୁ ଫାର୍ମପଣ୍ଡ ଦର୍ଶାଇ ମନେରେଗା ଯୋଜନାରେ ଅନ୍ୟ ଗାଁ ଲୋକଙ୍କ ଜବକାର୍ଡରେ ୯୪ ହଜାର ୩୪୪ ଟଙ୍କା ଉଠାଇ ନେଇଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଉକ୍ତ ଗାଁର ଅଗସ୍ତି ପ୍ରଧାନ ନିଜ ଜମିରେ ଏକ ପୋଖରୀ ଖୋଳିଥିଲେ। ଏହି ପୋଖରୀରେ ସେ ମାଛଚାଷ କରିବାକୁ ଯୋଜନା କରିଥିଲେ। ତାଙ୍କ ପୋଖରୀ ନାମରେ ମଧ୍ୟ ଟଙ୍କା ଉଠିଥିବା ସେ ଜାଣିବାକୁ ପାଇଛନ୍ତି। ଏହାକୁ ଫାର୍ମପଣ୍ଡ ଦର୍ଶାଯାଇ ଅନ୍ୟ ଗାଁ ଲୋକଙ୍କ ଜବକାର୍ଡରେ ୯୩ ହଜାର ୯୯୯ ଟଙ୍କା ଉଠାଯାଇଥିବା ଅଗସ୍ତି ଅଭିଯୋଗ କରିଛନ୍ତି।

ବଡ଼ନେଉଳି ଗାଁର ପ୍ରଫୁଲ୍ଲ ବାରିକଙ୍କ ଅଭିଯୋଗ ଅନୁସାରେ, ୨୦୨୦ ମସିହାରେ ସେ ନିଜେ ଏକ ପୋଖରୀ ଖୋଳିଥିଲେ। ସେହି ପୋଖରୀକୁ ମଧ୍ୟ ଫାର୍ମପଣ୍ଡ ଦର୍ଶାଯାଇ ୧୬ ହଜାର ୫୪୦ ଟଙ୍କା ହଡ଼ପ କରାଯାଇଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କିଛି ଲୋକଙ୍କ ଜମିରେ ଆଦୌ ପୋଖରୀ ଖୋଳା ହୋଇନଥିଲେ ମଧ୍ୟ ଟଙ୍କା ଉଠିଛି। ଏହି ଗ୍ରାମର ପର୍ଶୁରାମ ମହାନ୍ତଙ୍କ ଜମିରେ ପୋଖରୀ ନାହିଁ। ମାତ୍ର ତାଙ୍କ ନାମରେ ଫାର୍ମପଣ୍ଡ ବାବଦରେ ଅନ୍ୟଲୋକଙ୍କ ଜବକାର୍ଡରେ ୫ ହଜାର ୧୬୦ ଟଙ୍କା ଉଠାଯାଇଛି। ସେହିପରି ବିଜୟ କୁମାର ନାଏକ ଓ ଶଙ୍କର୍ଷଣ ନାଏକଙ୍କ ଜମିରେ ପୋଖରୀ ଖୋଳା ହୋଇନଥିବା ବେଳେ ସେମାନଙ୍କ ଜମିରେ ଫାର୍ମପଣ୍ଡ ଖୋଳା ହୋଇଥିବା ଦର୍ଶାଯାଇ ୩ ହଜାର ୬୪୦ଟଙ୍କା ଲେଖାଏଁ ହଡ଼ପ କରାଯାଇଥିବା ଉଭୟ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ମୃତ୍ତିକା ଓ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ କୁମାର ଦାସଙ୍କୁ ପଚାରିବାରୁ, ଏଭଳି ଅଭିଯୋଗ ଆମେ ପାଇନାହୁଁ। ଅଭିଯୋଗ ହେଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର