ଜୟପୁର: ଆଉ ଦିନକ ପରେ ତେଲୁଗୁ ସଂପ୍ରଦାୟର ସବୁଠୁ ବଡ ପର୍ବ ମକର ସଂକ୍ରାନ୍ତି ତଥା ପୋଙ୍ଗଲ। ଏଥିପାଇଁ ଉତ୍ସବମୁଖର ଜୟପୁର ସହର। ଏହି ଅବସରରେ ରବିବାର ମଧ୍ୟରାତ୍ରିରୁ ଭୋଗୀ ଉତ୍ସବ ପାଳନ କରାଯାଇଛି। ସହରର ବିଭିନ୍ନ ସାହିରେ ଭୋଗି ଜାଳିବା ସହ ନାଚଗୀତରେ ମସଗୁଲ ହୋଇଛନ୍ତି ସମସ୍ତେ। ଆସନ୍ତାକାଲି ପରଂପରା ଅନୁଯାୟୀ ଘରେ ପୂଜାର୍ଚ୍ଚନା କରିବା ସହ  ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ପରମ୍ପରା ରହିଛି।

Advertisment

ତେଲୁଗୁ ଭାଷାଭାଷୀ ସହ ଦକ୍ଷିଣ ଭାରତର ଲୋକମାନେ ଏହି ପର୍ବକୁ ଧୂମଧାମରେ ପାଳନ କରୁଛନ୍ତି । ୪ଦିନ ଧରି ପାଳନ ହେବ ପୋଙ୍ଗଲ ପର୍ବ । ପ୍ରଥମ ଦିନ ଭୋଗୀ, ଦ୍ୱିତୀୟ ଦିନ ମକର ସଂକ୍ରାନ୍ତି(ପୋଙ୍ଗାଲ), ତୃତୀୟ ଦିନ କାନୁମୁ ଓ ଶେଷଦିନ ମୁକାନୁମୁ ପାଳନ କରାଯାଏ । ପୋଙ୍ଗଲ ପୂର୍ବରୁ ହେଇଥାଏ ସ୍ବତନ୍ତ୍ର ବ୍ୟବସ୍ଥା।  ପ୍ରଥମ ରାତିରେ କାଷ୍ଠ ଦହନ ଓ ପରଦିନ ଇଷ୍ଟଦେବଙ୍କୁ ହୁଏ ସ୍ବତନ୍ତ୍ର ପୂଜାର୍ଚ୍ଚନା। ଏହି ପର୍ବ ଆରମ୍ଭରୁ ଘରକୁ ଲିପାପୋଛା, ରଂଗ ଦିଆଯାଇ  ଘର ସମ୍ମୁଖରେ ଝୋଟି ପକାଇଥାନ୍ତି। ନୂତନ ବର୍ଷର ଆଗମନ ପରି ଏହି ଦିନଠାରୁ ପୁରଣା ପ୍ରତିଜ୍ଞାକୁ ଛାଡିଥାନ୍ତି। ପ୍ରଥମଦିନର ରାତିରେ ହିଁ ଲୋକମାନେ କାଠ ସ˚ଗ୍ରହ କରି ସେଥିରେ ନିଆଁ ଲଗାଇଥାନ୍ତି। ତାହାକୁ ଭୋଗି ରୂପରେ ପାଳନ କରନ୍ତି। ବର୍ଷା ହେବାଦ୍ବାରା ଭଲ ଫସଲ ଅମଳ ପାଇଁ ଭଗବାନ ଇନ୍ଦ୍ରଦେବଙ୍କୁ ପୂଜାର୍ଚ୍ଚନ କରାଯାଇଥାଏ।  ପୋଙ୍ଗଲରେ ନୂତନ ଚାଉଳରେ ଆଖୁ, ନଡିଆ ଓ କଦଳୀ ପକାଇ ଖିରୀ ପ୍ରସ୍ତୁତ କରାଯାଇଥାଏ। ଏହାସହ ବିଭିନ୍ନ ପ୍ରକାର ପିଠାପଣା ସହ ଫଳ ଆଣି ଭଗବାନ ସୂର୍ଯ୍ୟଦେବଙ୍କୁ ପୂଜା କରାଯାଏ। ଏହିଦିନ ପରିବାର ସମସ୍ତେ ନୂତନ ପୋଷାକ ପରିଧାନ କରିଥାନ୍ତି।  ଗୋରୁମାନେ ପୂର୍ବେ ଜମି ଚାଷକରାଯାଉଥିବା ଯୋଗୁଁ  ଏହିଦିନ ଗାଇଗୋରୁଙ୍କୁ ପୂଜା କରାଯାଏ। ଗତ କାଲି ରାତିରେ ସ୍ଥାନୀୟ ମହାରାଣୀପେଟା, ‌ଭୋଇ ସାହି, ଭଦ୍ରାୟାସାହି, ଏମଜିରୋଡ, ସମ୍ବାରତୋଟା, ପ୍ରସାଦରାଓ ପେଟା, ଆଦର୍ଶ ନଗର, ଭୁପତିସାହି, ନୂଆସାହି, ମୁଖ୍ୟରାସ୍ତା ସହ ସହରର ବିଭିନ୍ନ ଅଞ୍ଚଳରେ ଭୋଗୀ ମହା ସମାରୋହରେ ପାଳିତ ହୋଇଯାଇଛି। ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାହିରେ ରଙ୍ଗୋଲି, ମେହେନ୍ଦି, ଲେମ୍ବୁ ଓ ଚାମଚ ଦୌଡ ପ୍ରତିଯୋଗିତା, ଭଳି ଅନେକ କୌତୁହଳ ପୁର୍ଣ୍ଣ ପ୍ରତିଯୋଗୀତା ମାନ ଅନୁଷ୍ଠିତ କରାଯାଇଛି।

ସେହିପରି ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଛି । ସୂର୍ଯ୍ୟଙ୍କ ଗତି ଉତ୍ତରାୟଣ ହେବାରୁ ଥଣ୍ଡା କମିବ । ଦିନ ବଡ ହେବ, ରାତି ସାନ ହେବ । ସେହପରି ଆଜି ସହରରେ ବିଭିନ୍ନ ସାହି‌ରେ  ପରମ୍ପରା ଅନୁଯାୟୀ ଗୁଡି ଉଡାଇବାର ଦେଖାଯାଇଥିଲା। ସେଭଳି  ଆସନ୍ତାକାଲି  ସଂଧ୍ୟାରେ ସ୍ଥାନୀୟ ନାରାୟଣୀ କଲେଜ ପରିସରରେ ଏହି ଅବସରରେ ତେଲୁଗୁ ଚଳଚ୍ଚିତ୍ରର ଅଭିନେତା, ଗାୟକ ଆଦିଙ୍କୁ ନେଇ ସଂଗୀତ ଭିତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।  ଏହି କଳାକାର ମାନେ ତେଲଙ୍ଗାନାର ହାଇଦ୍ରାବାଦ, ବିଶାଖାପାଟଣା ଓ କଲିକତାରୁ ଆସୁଥିବା ସୂଚନା ମିଳିଛି।