ପୂଜା ଭେଟି ଦେଲେ ସରକାର: ପୁନଃନିଯୁକ୍ତିରେ ଅବସରପ୍ରାପ୍ତ କର୍ମଚାରୀ ପାଇବେ ଅଧିକ ଦରମା

ଭୁବନେଶ୍ବର : ସରକାରୀ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଅବସର ପରେ ବିଭିନ୍ନ ପଦପଦବିରେ ନିଯୁକ୍ତି ଦେଉଛନ୍ତି। ସେମାନଙ୍କୁ ଏବେ ଅର୍ଥ ବିଭାଗର ୨୦୧୮ ମାର୍ଚ୍ଚ ୧୭ ତାରିଖର ମେମୋରାଣ୍ଡମ୍‌ ସଂଖ୍ୟା ୭୦୨୨/ଏଫ୍‌ ଅଧୀନରେ ବେତନ ପ୍ରଦାନ କରାଯାଉଛି। ସେମାନଙ୍କ ବେତନ ସଂଶୋଧନ ପାଇଁ ଦାବିକୁ ସରକାର ଆଜି ଗ୍ରହଣ କରିଛନ୍ତି।

ଓଡ଼ିଶା ରିଭାଇଜଡ ସ୍କେଲ ଅଫ୍ ପେ (ଓଆରଏସପି) ୨୦୧୭ ନିୟମର ପ୍ରଥମରୁ ସପ୍ତଦଶ ବେତନ ସ୍ତର ପର୍ଯ୍ୟନ୍ତ ଥିବା କର୍ମଚାରୀଙ୍କ ପାଇଁ ମାସିକ ସର୍ବନିମ୍ନ ୧୦ ହଜାର ଟଙ୍କାରୁ ସର୍ବାଧିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବେତନ ପ୍ରଦାନ କରାଯିବ। ଓଆରଏସପିରେ ପ୍ରଥମରୁ ଚତୁର୍ଥ ପର୍ଯ୍ୟନ୍ତ ବେତନ ସ୍ତରର କର୍ମଚାରୀମାନଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ପଞ୍ଚମରୁ ଦଶମ ପର୍ଯ୍ୟନ୍ତ ବେତନ ସ୍ତରରେ ଥିବା କର୍ମଚାରୀମାନଙ୍କୁ ମାସିକ ୨୦ ହଜାର ଟଙ୍କା ଦେବାକୁ ସ୍ଥିର ହୋଇଛି। ସେହିଭଳି ଏକାଦଶରୁ ତ୍ରୟୋଦଶ ପର୍ଯ୍ୟନ୍ତ ବେତନ ସ୍ତରରେ ଥିବା କର୍ମଚାରୀମାନଙ୍କୁ ମାସିକ ୩୫ ହଜାର ଟଙ୍କା, ପଞ୍ଚଦଶ ଏବଂ ‌ଷୋଡ଼ଶ ସ୍ତରରେ ଥିବା କର୍ମଚାରୀମାନଙ୍କୁ ମାସିକ ୪୬ ହଜାର ଟଙ୍କା ଏବଂ ସପ୍ତଦଶ ବେତନ ସ୍ତରରେ ଥିବା କର୍ମଚାରୀମାନଙ୍କୁ ମାସିକ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ଅକ୍ଟୋବର ପହିଲାରୁ ଏହାକୁ ଲାଗୁ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ପାଉଥିବା ପେନସନ ଏବଂ ଟିଆଇକୁ ଏଥିରେ ସାମିଲ କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

ଏଥିସହିତ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ସଂକ୍ରାନ୍ତରେ ‌ମଧ୍ୟ ଅର୍ଥ ବିଭାଗ ବିଭନ୍ନ ବିଭାଗକୁ ଅନ୍ୟ କେତେକ ନିର୍ଦ୍ଦେଶ ଦେଇଛି। ସେଥିରେ କୁହାଯାଇଛି, ଏକ ନିର୍ଦ୍ଦି‌ଷ୍ଟ କ୍ୟାଡରରେ ଏଣ୍ଟ୍ରି ଲେଭେଲରେ ଖାଲିଥିବା ପଦବିର ୫୦ ପ୍ରତିଶତ ପର୍ଯ୍ୟନ୍ତ ପଦବିରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦେବାଲାଗି ଅର୍ଥ ବିଭାଗକୁ ରେଫର୍‌ କରିବାର ଆବଶ୍ୟକତା ନାହିଁ। କିନ୍ତୁ ୫୦ ପ୍ରତିଶତରୁ ଅଧିକ ନିଯୁକ୍ତି ଦେଉଥିଲେ ସେହି ପ୍ରସ୍ତାବକୁ ଅର୍ଥ ମନ୍ତ୍ରାଳୟର ସହମତି ପାଇଁ ବିଭାଗଗୁଡ଼ିକୁ ପଠାଇବାକୁ ହେବ।

ସର୍ବନିମ୍ନ ୧୦ ହଜାର, ସର୍ବାଧିକ ୫୦ ହଜାର; ଅକ୍ଟୋବର ପହିଲାରୁ ଲାଗୁ
୫୦% ପର୍ଯ୍ୟନ୍ତ ଖାଲି ପଦବିରେ ବିଭାଗ ଦେଇପାରିବେ ନିଯୁକ୍ତି

ଅସାଧାରଣ କ୍ଷେତ୍ରରେ ଯେଉଁ ସରକାର ଉପଯୁକ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦେ‌ବେ ସେତେବେଳେ ସେମାନଙ୍କର ଯେଉଁ ବେତନ ଧାର୍ଯ୍ୟ ହେବ ସେଥିରେ ବେତନରୁ ପେନସନକୁ ବାଦ୍‌ ଦେଇ ରହିଥିବା ପଦ୍ଧତି ଅନୁସରଣ ହେବ। ମହଙ୍ଗା ଭତ୍ତା, ଘରଭଡ଼ା ଭତ୍ତା ଆଦିକୁ ଏଥିରେ ସାମିଲ କରାଯିବ ନାହିଁ। ଅର୍ଥ ବିଭାଗର ସହମତି ହାସଲ ପରେ ଏସବୁ କର୍ମଚାରୀମାନଙ୍କ ବେତନ ଏବଂ ନିଯୁକ୍ତି ଅବଧି ଚୂଡ଼ାନ୍ତ କରାଯିବ। କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ଏହା ମଞ୍ଜୁରି ହାସଲ କରିଥିବା ଆବଶ୍ୟକ। କେତେକ କ୍ଷେତ୍ରରେ କିଛି ସ୍ବତନ୍ତ୍ର ଦକ୍ଷତା ଥିବା ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ଅବଧି ପାଇଁ ନିଯୁକ୍ତି ଦେବାର ଆବଶ୍ୟକତା ପଡ଼ିପାରେ। ଏଭଳି କ୍ଷେତ୍ରରେ ଭିନ୍ନ ହାରରେ ବେତନ ଧାର୍ଯ୍ୟ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ଅନୁମୋଦନ ଏବଂ ଅର୍ଥ ମନ୍ତ୍ରାଳୟର ସହମତି ହାସଲ ପରେ ଏହା କରାଯିବ।

ସମ୍ବିଧାନିକ/ବୈଧାନିକ ପଦବିରେ କିମ୍ବା କମିସନ/ବୋର୍ଡ ଆଦିରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଏହି ଆଦେଶ ଲାଗୁହେବ ନାହିଁ। ସେହିଭଳି ‌ଅବସରପରେ ନିଯୁକ୍ତି ପାଇଥିବା ଏଲୋପାଥି ଡାକ୍ତର ଏବଂ ମେଡିକାଲ କଲେଜର ଅଧ୍ୟାପକମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ଆଦେଶ ଲାଗୁ ହେବନାହିଁ। ବର୍ତ୍ତମାନ ବଳବତ୍ତର ରହିଥିବା ନିଯୁକ୍ତି ସଂକ୍ରାନ୍ତ ଚୁକ୍ତି ଏବଂ ନୂଆକରି ହେବାକୁ ଥିବା ଚୁକ୍ତି କ୍ଷେତ୍ରରେ ବେତନ ସଂଶୋଧନରେ ସମାନତା ରହିବ।

ସମ୍ବନ୍ଧିତ ଖବର