ଭାପୁର: ଗରିବ ଓ ଅସହାୟ ଲୋକଙ୍କୁ ମିଳୁନି ଆବାସ

ଘର ଭାଙ୍ଗି ମାଟିରେ ମିଶିଲାଣି; ତଦନ୍ତ ହେଉଛି, ତାଲିକାରୁ ନାଁ କଟିଯାଉଛି

ଭାପୁର : ଗରିବ ଓ ଅସହାୟ ଲୋକମାନଙ୍କୁ ଆବାସ ମିଳୁନାହିଁ। ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ପ୍ରଶାସନ ଶୁଣୁନାହିଁ, କି ଯେଉଁମାନେ ଆବାସ ପ୍ରଦାନ କରିବା ପାଇଁ ଚୟନ ଓ ମନୋନୟନ କରିବା ଭୂମିକାରେ ରହିଛନ୍ତି, ସେମାନେ ଲୋକଙ୍କ ଯଥାର୍ଥ ସମସ୍ୟା ପ୍ରତି ଆଖିବୁଜି ଦେଉଥିବା ଦେଖିବାକୁ ମିଳିଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଗୋଳାପୋଖରୀ ପଞ୍ଚାୟତ ଗୋଳାପୋଖରୀ ଗ୍ରାମର ମୀନକେତନ ପ୍ରଧାନଙ୍କ ଘରକୁ ଦେଖିଲେ ସତେ ଯେପରି ମନେ ହେବ ସରକାରଙ୍କ ଯୋଜନା କାହାପାଇଁ।

ମିଳିଥିବା ଅଭିଯୋଗରୁ ଜଣାପଡ଼ିଛି, ଭାପୁର ବ୍ଲକ ଗୋଳାପୋଖରୀ ପଞ୍ଚାୟତ ଗୋଳାପୋଖରୀ ଗ୍ରାମର ମୀନକେତନ ପ୍ରଧାନ (୫୧) ସ୍ତ୍ରୀ ପଞ୍ଚେଇ ପ୍ରଧାନ (୪୬), ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ପରିବାର। ମୀନକେତନଙ୍କ ଜମିବାଡ଼ି କହିଲେ ପ୍ରାୟ ୩ ଗୁଣ୍ଠ। ମୁଲପାତି ଲାଗି ଯାହା ରୋଜଗାର କରିଥାନ୍ତି, ସେହି ଅର୍ଥରେ ୫ ପ୍ରାଣୀ କୁଟୁମ୍ବ ପୋଷଣ ହୋଇଥାନ୍ତି। ଝାଟିମାଟି ଚାଳ ଛପର ଘର ଦୁଇ ବଖରା ଅର୍ଥ ଅଭାବରୁ ଛପର କରିନପାରିବାରୁ ଭାଙ୍ଗିରୁଜି ଯିବା ସହିତ ଘର କାନ୍ଥ ମାଟିରେ ମିଶିଲାଣି। ପକ୍କାଘର ଖଣ୍ଡେ ପାଇବା ପାଇଁ ବିଭିନ୍ନ ସମୟରେ ଗ୍ରାମସଭାରେ ନାମ ଦେଉଥିଲେ ଓ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ଆବାସ କିନ୍ତୁ ମିଳୁନାହିଁ।

ଏ ସମ୍ବନ୍ଧରେ ମୀନକେତନ ବହୁବାର ବିଡିଓ ଏବଂ ଜିଲ୍ଲା ପ୍ରଶାସନରେ ଅଭିଯୋଗ କରୁଥିଲେ ମଧ୍ୟ ତାଙ୍କ ଅଭିଯୋଗ ପ୍ରତି କେହି ଦୃଷ୍ଟି ଦେଉନଥିବା ଜଣାପଡ଼ିଛି। ମୀନକେତନଙ୍କୁ ଆବାସ ଯୋଗାଇବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଓ ଭାପୁର ବିଡିଓ ଧ୍ୟାନ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର