ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା: ଟଙ୍କିକିଆ ଚାଉଳ ପାଇଁ ୨୦୦ ଶହ ଟଙ୍କା ଖର୍ଚ୍ଚ କରନ୍ତି ଗରିବ ହିତାଧିକାରୀ

ଯେଉଁଠି ଗାଁରୁ ପଞ୍ଚାୟତ ଅଫିସ୍‌ ଯିବାକୁ ପଡ଼େ ୭୫ କିମି

ଭବାନୀପାଟଣା/ଲାଞ୍ଜିଗଡ଼ : ଟଙ୍କିକିଆ ଚାଉଳ ପାଇବେ ବୋଲି ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। କଥାଟି ଟିକେ ଅଡ଼ୁଆ ଲାଗୁଥିଲେ ବାସ୍ତବରେ ଏହା ସତ୍ୟ ଅଟେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍‌ର ୮ଟି ଗାଁର ଲୋକଙ୍କ ପାଇଁ ଅନେକ ସରକାରୀ ଯୋଜନା ସାତ ସପନ ହୋଇଛି। ଯଦିଓ କେହି କେହି ଏହାର ସୁଫଳ ପାଇଛନ୍ତି, କିନ୍ତୁ ବହୁ ସମସ୍ୟାକୁ ସାମ୍ନା କରିବା ପରେ। ଏହି ଗ୍ରାମର ୩୧୫ ପରିବାର ପାଇଁ ରାସ୍ତା ସାଜିଛି ବାଧକ। ସଦର୍‌ ବ୍ଲକ୍‌ର ଯୁଗସାଇପାଟଣା ପଞ୍ଚାୟତରୁ ୮ଟି ଗାଁର ଦୂରତା ୭୫ କିମି। ସେହିପରି ଭବାନୀପାଟଣା ବ୍ଲକ୍‌ଠାରୁ ଏହି ଗାଁର ଦୂରତା ୨୫ କିମି। ଫଳରେ ଟଙ୍କିକିଆ ଚାଉଳ ପାଇଁ ଗାଡ଼ି ଖର୍ଚ୍ଚ ବାବଦକୁ ପ୍ରାୟ ୨୦୦ ଟଙ୍କା ଖର୍ଚ୍ଚ କରିଥାନ୍ତି ହିତାଧିକାରୀ।

ଯୋଗସାଇପାଟଣା ପଞ୍ଚାୟତ ୮ଟି ଗାଁ ହେଉଛି ସଲପାଙ୍ଗ, କଟଲାଙ୍ଗ, କଟରୁସରୁ, ଝେନଙ୍କାପିଟା, ରଙ୍ଗଗୁଡ଼ା, ପଣ୍ଡାମ, ଖଜୁରଗୁଡ଼ା ଓ ବଡ଼ମ୍ଭା। ଏହି ୮ଟି ଗାଁ ମଧ୍ୟରେ ୪ଟି ପାହାଡ଼, ୩ଟି ନାଳ, ଝରଣା, ଘଞ୍ଚ ଜଙ୍ଗଲ ଓ ଘାଟି ଦେଇ ପାଦ ଚଲା ରାସ୍ତାରେ ୨୫ କିମି ବିପଦ ସଂକୁଳ ରାସ୍ତା ରହିଛି। ରାସ୍ତାରେ ଯିବା ସମୟରେ ସର୍ବଦା ଛୋଟ ବଡ଼ ଦୁର୍ଘଟଣାର ଆଶଂକା ରହିଥାଏ। ଫଳରେ ଲୋକଙ୍କ ପାଇଁ ଗମନାଗମନ ସମ୍ଭବ ହୋଇନଥାଏ। ଏହି ଗ୍ରାମବାସୀମାନେ ଲାଞ୍ଜିଗଡ଼ ବ୍ଲକ୍‌ ଲାଖବାହିଲି ପଞ୍ଚାୟତ ଦେଇ ୫ କିମି ଆସିଥାନ୍ତି। ଏଠାରୁ ମୂଷାନାଳ ଭବାନୀପାଟଣା ଦେଇ ଯୁଗସାଇପାଟଣା ପଞ୍ଚାୟତ ଯାଇଥାନ୍ତି। ଏହି ବାଟରେ ଆସିଲେ ୭୫ କିମି ରାସ୍ତା ଅତିକ୍ରାନ୍ତ କରିବାକୁ ପଡ଼ିଥାଏ। ଏହି ୮ଟି ଗାଁରେ ସମୁଦାୟ ଜନସଂଖ୍ୟା ପ୍ରାୟ ୨୩୦୦ ଶହରୁ ଅଧିକ ଅଟେ। ଏହି ଗାଁ ମଧ୍ୟରୁ ସଲପାଙ୍ଗରେ ୮୦, କଟଲଙ୍ଗ ୭୦, କଟରୁସରୁ ୨୫, ଝେନଙ୍କାପିଟା ୫୫, ରଙ୍ଗଗୁଡ଼ା ୨୦, ପଣ୍ଡାମ ୨୦, ଖଜୁରଗୁଡା ୨୦, ବଡ଼ମ୍ଭା ୨୫ ପରିବାର ସମେତ ପ୍ରାୟ ୩୧୫ ପରିବାର ଅଛନ୍ତି। ଦୁର୍ଗମ ଅଞ୍ଚଳ ଯୋଗୁଁ ପାଦଚଲା ରାସ୍ତାରେ ରାସନ ଆଣିବା ପାଇଁ ସମ୍ଭବ ହୋଇନଥାଏ। ହିତାଧିକାରୀ ପଞ୍ଚାୟତରୁ ପାଉଥିବା ରାସନ ଓ ଭତ୍ତା ଆଣିବା ପାଇଁ ନିଜ ଗାଁଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାୟ ୭୫ କିମି ଯାଇଥାନ୍ତି। ଚାଉଳ ରାସନ, ଓ ଅନ୍ୟ ଖାଉଟି ସାମଗ୍ରୀ ଆଣିବା ପାଇଁ ଏହି ୮ଟି ଗାଁର ୩୧୫ ପରିବାରଙ୍କୁ ୧୦ଟି ପିକ୍‌ଅପ୍ ଭ୍ୟାନ୍‌ ଭଡ଼ା କରିବାକୁ ପଡ଼ିଥାଏ। ଗାଡ଼ି ପିଛା ୪ ରୁ ୫ ହଜାର ଟଙ୍କା ଭଡ଼ା ବାବଦକୁ ଖର୍ଚ୍ଚ ହୋଇଥାଏ। ମାସକୁ ୧୦ଟି ଗାଡ଼ିର ଭଡ଼ା ବାବଦକୁ ୪୦ ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଟଙ୍କିକିଆ ଚାଉଳ ପାଇଁ ହିତାଧିକାରୀଙ୍କୁ ୨୦୦ ଶହରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏନେଇ ସରପଞ୍ଚ, ପଞ୍ଚାୟତ ନିର୍ବାହି ଅଧିକାରୀ, ବିଡିଓ ତଥା ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଇଛି, କିନ୍ତୁ କେହି ଶୁଣୁନାହାନ୍ତି। ଏହି ପଞ୍ଚାୟତ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବାରୁ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ଏଥିପ୍ରତି ଦୃଷ୍ଟି ଦିଆଯିବାକୁ ଦାବି କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତୁରନ୍ତ ରାଜ୍ୟ ସରକାର ଓ କଳାହାଣ୍ଡି ଜିଲ୍ଲାପାଳ ଏହି ଗାଁ ଗୁଡ଼ିକୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏନେଇ ଭବାନୀପାଟଣା ସଦର ବିଡିଓଙ୍କୁ ପଚାରିବାରୁ, ମୋ ପାଖରେ ସୂଚନା ନଥିଲା ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର