ଭୁବନେଶ୍ବର: ରାଜ୍ୟର ବେସରକାରୀ ତଥା ଘରୋଇ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ପଢ଼ିବାର ସୁଯୋଗ ପାଇବେ। ଶିକ୍ଷା ଅଧିକାରୀ ଆଇନ(ଆରଟିଇ)-୨୦୦୯ର ପାରା ୧୨.୧(ସି) ଅନୁଯାୟୀ ବେସରକାରୀ ସ୍କୁଲର ୨୫% ସିଟ୍ରେ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲାଙ୍କ ନାମଲେଖା କରାଯିବ। ଏଥିପାଇଁ ଫେବ୍ରୁଆରି ୨୨(ଗୁରୁବାର)ଠାରୁ ମାର୍ଚ୍ଚ ୨୦ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟ ନାମ ପଞ୍ଜୀକରଣ ସହ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଦ୍ବାରା ଡକ୍ୟୁମେଣ୍ଟଗୁଡ଼ିକର ଯାଞ୍ଚ କରାଯିବ। ମାର୍ଚ୍ଚ ୨୨ରେ ପ୍ରଥମ ରାଉଣ୍ଡ ଅନ୍ଲାଇନ୍ ଲଟେରି ଓ ସ୍କୁଲ ଆଲଟମେଣ୍ଟ ଏବଂ ମାର୍ଚ୍ଚ ୨୭ରୁ ଏପ୍ରିଲ ୬ ମଧ୍ୟରେ ସ୍କୁଲରେ ପ୍ରଥମ ରାଉଣ୍ଡ ନାମଲେଖା ଅନୁଷ୍ଠିତ ହେବ।
ପ୍ରଥମ ପର୍ଯ୍ୟାୟ ନାମଲେଖାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ଏପ୍ରିଲ ୧୦ରୁ ୨୪ ତାରିଖ ମଧ୍ୟରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନାମ ପଞ୍ଜୀକରଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଫିଜିକାଲ ଡକ୍ୟୁମେଣ୍ଟ ଯାଞ୍ଚ ବିଇଓଙ୍କ ଦ୍ବାରା କରାଯିବ। ଏପ୍ରିଲ ୨୬ରେ ଅନ୍ଲାଇନ୍ ଲଟେରି ଓ ସ୍କୁଲ ଆଲଟମେଣ୍ଟ ଅନୁଷ୍ଠିତ ହେବାକୁ ଥିବା ବେଳେ ଏପ୍ରିଲ ୨୯ରୁ ଦ୍ବିତୀୟ ରାଉଣ୍ଡ ନାମଲେଖା ଅନୁଷ୍ଠିତ ହେବ। ମେ’ ୧୫ ସୁଦ୍ଧା ସମ୍ପୂର୍ଣ୍ଣ ନାମଲେଖା ପ୍ରକ୍ରିୟା ଶେଷ କରାଯିବ। ଘରୋଇ ବିଦ୍ୟାଳୟଗୁଡ଼ିକ ଏଦିଗରେ ପଦକ୍ଷେପ ନେବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
୩ରୁ ୭ ବର୍ଷର ପିଲାମାନେ ଏହି ସୁବିଧାର ଲାଭ ଉଠାଇପାରିବେ। ସାମାଜିକ ଓ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କ ପାଇଁ ପ୍ରତ୍ୟେକ ବେସରକାରୀ ବିଦ୍ୟାଳୟରେ ନର୍ସରୀ/ଏଲ୍କେଜି/କ୍ଲାସ-୧ ପାଇଁ ୨୫% ସ୍ଥାନ ସଂରକ୍ଷଣ ରହିଛି। ସାମାଜିକ ଓ ଶିକ୍ଷାଗତ ଅନଗ୍ରସର, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର (ଭିନ୍ନକ୍ଷମ, ଏଚ୍ଆଇଭି ଆକ୍ରାନ୍ତ ପିତାମାତାଙ୍କ ଶିଶୁ, ଶିଶୁ ଶ୍ରମିକ, ପଥପ୍ରାନ୍ତ ଶିଶୁ, ନିର୍ମାଣ ଶ୍ରମିକ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗ)ର ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ। www.rteparadarshi.odisha.gov.in ୱେବସାଇଟ୍ ମାଧ୍ୟମରେ ସେମାନେ ଆବେଦନ କରିପାରିବେ। ଆବେଦନ ପରେ ଫର୍ମ ସହ ସମସ୍ତ ପ୍ରମାଣପତ୍ର ବିଇଓଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ହେବ। ଆଜି ସୁଦ୍ଧା ମାତ୍ର ୨୧୦୧ ବେସରକାରୀ ବିଦ୍ୟାଳୟ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ନାମ ପଞ୍ଜିକରଣ କରିଛନ୍ତି। ମୋଟ ୨୫ ହଜାର ୯୩ ସିଟ୍ରେ ନାମଲେଖା ଅନୁଷ୍ଠିତ ହେବ ବୋଲି ପାରଦର୍ଶୀ ପୋଟାର୍ଲରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/school.jpg)