ରାଇଘର : ଧୂଳିରେ ଆଖି ନାକ ପୋତି ହୋଇପଡୁଛି। ରାସ୍ତା କଡ଼ରେ ଥିବା ଦୋକାନି ନିଜ ଦୋକାନରୁ ଧୂଳି ଝାଡ଼ି ଝାଡ଼ି ନୟାନ୍ତ ହେଲେଣି। ଗୋଟାଏ ଗାଡ଼ି ଚାଲିଗଲେ ୧୦ ମିନିଟ୍ ଯାଏଁ ସେହି ରାସ୍ତାରେ ଯିବା ଅସମ୍ଭବ ହୋଇପଡୁଛି, ଲୋକେ ଘରୁ ବାହାରିଲେ ମୁହଁରେ କପଡ଼ା ବାନ୍ଧି ବାହାରୁଛନ୍ତି। ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ରାଇଘର ମୁଖ୍ୟ ରାସ୍ତାରେ। ବର୍ଷା ସରିବା ପରେ ସତେ ଯେମିତି ଏବେ ରାସ୍ତାଟି ନିଜର ଦୟନୀୟ ଅବସ୍ଥାକୁ ବଖାଣିବାରେ ଲାଗିଛି। ହେଲେ ଏହି ରାସ୍ତାରେ ଯାତାୟାତ କରୁଥିବା ଭାରୀଯାନ ଉପରେ ଅଂକୁଶ ନାହିଁ କି ଏହି ରାସ୍ତାଟିର ମରାମତି ପାଇଁ ପ୍ରଶାସନ କିମ୍ବା ଜନପ୍ରତିନିଧି କାହାରବି ନଜର ପଡ଼ୁନାହିଁ।
ସୂଚନା ଅନୁଯାୟୀ, ପ୍ରାୟ ୩ ବର୍ଷ ପୂର୍ବେ ରାଇଘର- ଉମରକୋଟ ମୁଖ୍ୟରାସ୍ତାର ନିର୍ମାଣ କାର୍ଯ୍ୟ ସରିଥିଲା। ଗତ ଦିନରେ ଏହି ମୁଖ୍ୟ ରାସ୍ତା ଏକ ଉନ୍ନତ ରାସ୍ତା ଭାବରେ ନବରଙ୍ଗପୁର ଜିଲ୍ଲାରେ ପ୍ରଶଂସା ପାଇ ଆସୁଥିବା ବେଳେ ବର୍ତ୍ତମାନ ଏହାର ଅବସ୍ଥା ଏତେ ଶୋଚନୀୟ ହୋଇଛି ଯେ ଏହି ରାସ୍ତା ଦେଇ ଯାତାୟାତ କରିବା ଅସମ୍ଭବ ହୋଇପଡ଼ିଛି। ଗତ ଡିସେମ୍ବର ୨୦୧୭ ଠାରୁ ଜାତୀୟ ରାଜପଥ ମାନ୍ୟତା ପାଇବା ପରେ ଏହି ରାସ୍ତା ଉପରେ ଏବେ ସବୁ ଗାଡ଼ି ବାଲାଙ୍କ ନଜର ପଡ଼ିଛି l ଆନ୍ଧ୍ର ଠାରୁ ରାଇଘର ଦେଇ ଛତିଶଗଡ଼କୁ ଯାଉଥିବା ଏହି ରାସ୍ତା ଉପରେ ଏବେ ସବୁଦିନ ଭାରୀଯାନ ଗୁଡ଼ିକ ଯାତାୟାତ କରୁଥିବାରୁ ଏହାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ପ୍ରାୟ ୭ ମାସ ହେବ ପ୍ରତିଦିନ ଶହ ଶହ ଭାରୀଯାନ ସହିତ ଗାଡ଼ିମୋଟର ଏହି ରାସ୍ତା ଦେଇ ଯାତାୟାତ କରୁଛି।
ରାଜ୍ୟ ରାଜପଥ ଭାବେ ରହି ଆସିଥିବା ଏହି ରାସ୍ତା ପାପଡ଼ାହାଣ୍ଡି ଠାରୁ ଲିକିମା ଜାତୀୟ ରାଜପଥ ମାନ୍ୟତା ପାଇବା ପରେ ଅଞ୍ଚଳବାସୀ ଖୁସି ହୋଇଯାଇଥିଲେ। କିନ୍ତୁ ସେହି ରାସ୍ତା ନିର୍ମାଣ ହେବାତ ଦୂରର କଥା ଭାରୀଯାନ ଗୁଡ଼ିକ ଯାତାୟାତ କରିବା ପରେ ଏବେ ଏହାର ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି। ମୁଖ୍ୟତଃ ଦେଉଳପାରା ଠାରୁ ଲାଲମାଟି ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ନକହିବା ଭଲ। ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହେବା ସହ ପିଚୁ ଉଠିଯାଇ ଧୂଳି ଉଡ଼ୁଛି। ବିନା ଅନୁମତିରେ ଯାଉଥିବା ଭାରୀଯାନ ଗୁଡ଼ିକ ଉପରେ ଅଂକୁଶ ନଥିବା ସହିତ ସ୍ପିଡବ୍ରେକର ନଥିବାରୁ ଏହି ଗାଡ଼ି ଗୁଡିକ ଦ୍ରୁତଗତିରେ ଯାତାୟାତ କରୁଛି। ଫଳରେ ରାସ୍ତା ଅବସ୍ଥା ଖରାପ ହେଉଥିବା ସହ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଥିବା ଦେଖିବାକୁ ମିଳୁଛି। ଏଭଳି ରାସ୍ତାକୁ ନେଇ ଅଞ୍ଚଳବାସୀ ଅସନ୍ତୁଷ୍ଟ ହେବା ସହ ତୁରନ୍ତ ମରାମତି କରାନଗଲେ ଆଗାମୀ ଦିନରେ ବିଦ୍ରୋହ କରିବେ ବୋଲି ଧମକ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/raighar-main-road-ff.jpg)