ବ୍ରହ୍ମବରଦା : ପକ୍କା ଘର, ପାଇଖାନାରୁ ବଞ୍ଚିତ ଗରିବ ପରିବାର

ବ୍ରହ୍ମବରଦା : ଗୋଟିଏ ଚାଳଛପର ଘରେ ରହୁଛନ୍ତି ଦୁଇ ପରିବାରର ୭ ସଦସ୍ୟ। ବର୍ଷା ହେଲେ ଘରେ ପାଣି ଗଳୁଛି। ଲଘୁଚାପ ବର୍ଷାରେ ରାତି ଉଜାଗର ରହି ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ରସୁଲପୁର ବ୍ଳକ ବ୍ରହ୍ମବରଦା ପଞ୍ଚାୟତ ବଉଳାଘାଇଦାଣ୍ଡି ୩ ନମ୍ବର ୱାର୍ଡର ବାସିନ୍ଦା ଫରିଦା ବିବି (୪୫) ଓ ରସିଦା ବିବି (୫୦)ଙ୍କ ପରିବାର ଏମିତି ଦୁର୍ଦିନ ମଧ୍ୟରେ ଗତି କରୁଛନ୍ତି। ଗୋଟିଏ ଝାଟିମାଟି କୁଡ଼ିଆର ଦୁଇଟି ଛୋଟ କୋଠରିରେ ୭ଜଣ ରହୁଛନ୍ତି। ସେଥିରେ ପୁଣି ଛେଳି, କୁକୁଡ଼ା ମଧ୍ୟ ରଖିଛନ୍ତି। ଘରଟି ନଦୀବନ୍ଧ ପାଖରେ ହୋଇଥିବାରୁ ଟିକିଏ ବର୍ଷା ହେଲେ ଘରେ ଆଣ୍ଠୁଏ ପାଣି ପଶିଯାଏ। ଦାରିଦ୍ର୍ୟର କଷାଘାତରେ ପେଟ ପୋଷିବା କଷ୍ଟ ହେଉଛି। ସେଭଳି ସ୍ଥିତିରେ ପକ୍କାଘର ତିଆରି କରିବା ସେମାନଙ୍କ ପକ୍ଷେ ଅସମ୍ଭବ। ରସିଦା ବିବି ଜଣେ ବିଧବା। ମାସିକ ୫୦୦ ଟଙ୍କା ଭତ୍ତା ଓ ରାସନ୍ କାର୍ଡରେ ଚାଉଳ କିଛି ପାଉଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳୁନାହିଁ।

ଫରିଦା ବିବିଙ୍କ ସ୍ବାମୀ ଜଣେ ମାନସିକ ଅନଗ୍ରସର ବ୍ୟକ୍ତି। ପରିବାର ଭଲମନ୍ଦ ବୁଝିବାକୁ ସେ ଅକ୍ଷମ। ଦୀର୍ଘ ଦିନଧରି ପରିବାରଠାରୁ ସେ ବାହାରେ ରହୁଥିବାର ଫରିଦା କହିଛନ୍ତି। ବନ୍ୟାରେ ଘରେ ଅଣ୍ଟାଏ ପାଣି ପଶିଥିଲା। ତାଙ୍କୁ ପଲିଥିନ୍‌ଟିଏ ବି ମିଳି ନାହିଁ। ଘରର ଆୟ କିଛି ନାହିଁ। କେବଳ ରାସନକାର୍ଡରୁ ମିଳୁଥିବା ଚାଉଳ ଭରସା। ଏହି ଦୁଇ ପରିବାରକୁ ଆବାସ ତଥା ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର