କଣ୍ଟାମାଳ : ୫ କେଜି ଚାଉଳରେ ଚଳୁଛନ୍ତି ୪ ପ୍ରାଣୀ, ଭଙ୍ଗା ଘରେ କଟୁଛି ଜୀବନ

କଣ୍ଟାମାଳ : କଣ୍ଟାମାଳ ଖଟଖଟିଆ ଗାଁରେ ଭିକାରୀ ଷଡ଼ଙ୍ଗୀଙ୍କ ପରିବାର ବସବାସ କରନ୍ତି। ୧୩ ବର୍ଷ ପୂର୍ବେ ଏକମାତ୍ର ପୁତ୍ର ପଞ୍ଚାନନର ମୃତ୍ୟୁ ହୋଇଗଲା। ଏହାର ୬ ମାସରେ ପରେ ଭିକାରୀଙ୍କ ବି ମୃତ୍ୟୁ ହୋଇଗଲା। ଫଳରେ ତାଙ୍କ ପରିବାର ଏବେ ପୁରୁଷ ଶୂନ୍ୟ। ପରିବାରରେ ଏବେ ସ୍ବର୍ଗତ ଭିକାରୀଙ୍କ ସ୍ତ୍ରୀ କୁନ୍ତି, ବିଧବା ପୁତ୍ରବଧୂ ତପସ୍ବିନୀ ଓ ୨ ନାତୁଣୀ ଅପରାଜିତା ଓ ଅର୍ଚ୍ଚିତା। ଅପରାଜିତା ଅଷ୍ଟମ ଶ୍ରେଣୀରେ ଓ ଅର୍ଚ୍ଚିତା ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି। ଭିକାରୀ ଓ ତାଙ୍କ ପୁତ୍ର ପଞ୍ଚାନନ ଗାଁ ଜଗନ୍ନାଥ ମନ୍ଦିରରେ ପୂଜା କରିବା ସହିତ ଯଯମାନ କରିବ ପରିବାର ଚଳାଉଥିଲେ। ଉଭୟଙ୍କ ମୃତ୍ୟୁ ପରେ ପରିବାରର ‌ଆଉ କୌଣସି ଆୟ ନଥିଲା। ସରକାରୀ ସହାୟତା ପାଇଁ ବାରମ୍ବାର ଦୌଡ଼ିବା ପରେ କୁନ୍ତିଙ୍କୁ ବିଧବା ଭତ୍ତା ଓ ଅନ୍ତୋଦୟ ଚାଉଳ ୨୫ କେଜି ମିଳୁଥିଲା। ମାତ୍ର ୨ ବର୍ଷ ପୂର୍ବ‌େ ଖାଦ୍ୟ ସୁରକ୍ଷା ଯୋଜନାରେ ତାହା କାଟି ଦିଆଯାଇ ମାତ୍ର ୫ କେଜି ଚାଉଳ ମିଳୁଛି। ଏତିକିରେ ପରିବାର ଚଳିବା କଷ୍ଟକର ହୋଇ ପଡ଼ୁଛି। ଫଳରେ ସ୍ବର୍ଗତ ପଞ୍ଚାନନଙ୍କ ୨ ଝିଅ ମାମୁଁ ଘରେ ରହି ପାଠ ପଢ଼ୁଛନ୍ତି। ସେହିପରି ୨ ବଖରା ଚାଳ ଘରେ ଏହି ପରିବାର ରହୁଛନ୍ତି। ୧୫ ବର୍ଷ ପୂର୍ବେ ଘରଟି ଟାଇଲ ଛପର ହୋଇଥିଲା। ଏବେ ଟାଇଲ ଭାଙ୍ଗି ଯିବା ସହ କାନ୍ଥ ସବୁ ଫାଟି ଆଁ କଲାଣି। ଏହି ଗରିବ ପରିବାରକୁ ପକ୍କା ଘର ଓ ତପସ୍ବିନୀଙ୍କୁ ବିଧବା ଭତ୍ତା ସହ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର