ଗରିବଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ

ଓଡ଼ଗାଁ : ଚାଳ ଓ ଝୁଂପୁଡ଼ି ଘରେ ବସବାସ କରୁଥିବା ଗରିବ ଲୋକଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଓ ବିଜୁ ପକ୍କାଘର ଯୋଗାଇ ଦିଆଯାଉଛି। ତେବେ ଏଥିରେ ବି ପ୍ରିୟାପ୍ରୀତି ରହିଛି। ପ୍ରକୃତ ଗରିବଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଉନଥିବା ବେଳେ କୋଠାଘର ଥିବା ଲୋକଙ୍କୁ ଏହି ଯୋଜନାର ଫଳ ମିଳୁଥିବାର ଅଭିଯୋଗ ହେଉଛି। ଏମିତି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଓଡ଼ଗାଁ ବ୍ଲକ୍‌ ଅନ୍ତର୍ଗତ ବଡଗୋରଡା ଗ୍ରାମରେ। ଦୀର୍ଘ ୪ ବର୍ଷ ଧରି ପଞ୍ଚାୟତ କାର୍ଯ୍ୟାଳୟକୁ ଘରଟିଏ ପାଇବା ପାଇଁ ଦୌଡ଼ି ଦୌଡ଼ି ହତାଶ ହୋଇଯାଇଛନ୍ତି ଭୀମ ରାଉତ (୭୪), ପରିବାର କହିଲେ ସେ ଓ ତାଙ୍କ ପତ୍ନୀ, ପୁଅବୋହୂ। ଏକମାଣ ଜମି ବ୍ୟତୀତ ଆଉ କିଛି ସମ୍ବଳ ନାହିଁ। ମୁଲପାତି ଲାଗି ପରିବାର ଚଳାଉଥିଲେ। ଏବେ ବୟସର ଅପରାହ୍ଣରେ ପୁଅ ଦିନ ମଜୁରିଆ ଭାବେ କାମକରି ପରିବାର ଚଳାଉଛି। ଗାଁରେ ଥିବା ୨ ବଖରା ଚାଳଘରେ ସେମାନେ ରହୁଛନ୍ତି। ସାମାନ୍ୟ ବର୍ଷା ହେଲେ ଚାଳରୁ ପାଣି ଗଳୁଛି। ବହୁ ଅସୁବିଧାର ସମ୍ମୁଖୀନ ହୋଇ ସେମାନେ ଏହି ଘରେ ରହୁଛନ୍ତି। ଗରିବ ଓ ଚାଳଘର ଥିବା ଲୋକଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ସରକାର ବାହୁସ୍ଫୋଟ ମାରୁଥିବା ବେଳେ ଭୀମ ଦୀର୍ଘ ୪ ବର୍ଷ ହେଲା ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ଫଳରେ ବଡ଼ ଦୟନୀୟ ଅବସ୍ଥାରେ ସେମାନେ ଏହି ଦଦରା ଝୁଂପୁଡ଼ି ଚାଳଘରେ ବସବାସ କରୁଛନ୍ତି। ଏ ସଂପର୍କରେ ବଡଗୋରଡା ପଞ୍ଚାୟତ ଭିଏଲ୍‌ଡବ୍ଲ୍ୟୁ ଚିନ୍ତାମଣି ପ୍ରଧାନଙ୍କ ସହିତ ଯୋଗାଯୋଗ କରିବାରୁ ଭୀମ ସରକାରୀ ଯୋଜନାରେ ଗୃହ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତି ବୋଲି ଏ ସଂପର୍କରେ ଆମେ ପଞ୍ଚାୟତ ପକ୍ଷରୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ। ପ୍ରଶାସନ ତରଫରୁ ସେଭଳି କୌଣସି ନିର୍ଦ୍ଦେଶ ଆସିନଥିବା ଓ ଅନ‌୍‌ଲାଇନରେ ତାଙ୍କ ନାମ ଆସିନଥିବାରୁ ତାଙ୍କୁ ଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯାଇନାହିଁ ବୋଲି ସେ କହିଥିଲେ। ତେବେ ଭିଏଲ୍‌ଡବ୍ଲ୍ୟୁଙ୍କ ସୂଚନା ଅନୁଯାୟୀ, ଗତବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡଗୋରଡାରେ ୧୧ ଜଣ ଓ ବିଜୁ ପକ୍କାଘର ଯୋଜନାରେ ୨ ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ବୟସର ଅପରାହ୍ଣରେ ପହଞ୍ଚିଥିବା ଭୀମ ରାଉତଙ୍କ ଭଳି ପରିବାର ପଞ୍ଚାୟତ କିମ୍ବା ବ୍ଲକ୍‌ କର୍ତ୍ତୃପକ୍ଷଙ୍କ ଦୃଷ୍ଟିରେ କିପରି ଆସି ପାରିଲେ ନାହିଁ ତାହା ବିସ୍ମିତ କରିଛି। ଏ ସଂପର୍କରେ ବିଡିଓ ମନୋଜ ପାତ୍ରଙ୍କୁ ପଚାରିବାରୁ, ଜିଲ୍ଲା ପ୍ରଶାସନ ଚାହିଁଲେ ତାଙ୍କୁ ଆବାସ କାର୍ଯ୍ୟାଦେଶ ମିଳିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର