ଦଶପଲ୍ଲା : ଯେଉଁ ବୟସରେ ମା’, ବାପାଙ୍କ କୋଳରୁ ସ୍ନେହ ଆଦର ପାଇ ଖେଳାବୁଲା କରିବା ଓ ପାଠପଢ଼ିବା କଥା, ସେହି ବୟସରେ ସମ୍ଭାଳିବାକୁ ପଡ଼ୁଛି ପରିବାରର ବୋଝ। ମା’ଙ୍କ ମୃତ୍ୟୁ ଓ ବଡ଼ ଭଉଣୀଙ୍କ ବିବାହ ପରେ ବାପା, ସାନ ଭଉଣୀ ଓ ଭିନ୍ନକ୍ଷମ ଭାଇଙ୍କ ଭଲମନ୍ଦ ବୁଝିବା ସହ ଘରର ବୋଝ ସମ୍ଭାଳିବାକୁ ପଡ଼ୁଛି। ସରକାରୀ ଯୋଜନା କହିଲେ ଖାଦ୍ୟ ସୁରକ୍ଷା ଯୋଜନାରେ କେବଳ ୧୫ କିଲୋ ଚାଉଳ ଏକମାତ୍ର ସାହାରା ସାଜିଛି। ଏଭଳି ଘଟଣା ଦେଖିବାକୁ ମିଳିଛି, ଚଢ଼େୟାପଲ୍ଲୀ ପଞ୍ଚାୟତର ହନୁମନ୍ତ ଗ୍ରାମରେ।

Advertisment

publive-image

ଗ୍ରାମର ନନ୍ଦ ନାୟକଙ୍କ ପରିବାର କହିଲେ ୩ ଗୋଟି ଝିଅ ଓ ଗୋଟିଏ ପୁଅ। କେତେବେଳେ ଦିନ ମଜୁରି ତ ପୁଣି କେତେବେଳେ ଜଙ୍ଗଲରୁ କାଠ ସଂଗ୍ରହ କରି ସେ ପରିବାର ଚଳାଇ ଆସୁଥିଲେ। ପତ୍ନୀ ମଞ୍ଜୁ ନାୟକ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପ୍ରାୟ ୩ ବର୍ଷ ତଳେ ଆଖି ବୁଜିଲେ। ପତ୍ନୀଙ୍କୁ ହରାଇବା ପରେ ୪ ଗୋଟି ଛୁଆଙ୍କୁ ନେଇ ପରିବାରର ବୋଝ ବଢ଼ିଯାଇଥିଲା। ବହୁ ଦୁଃଖ କଷ୍ଟ ଭିତରେ ବଡ଼ ଝିଅର ବିବାହ ହୋଇସାରିଛି। ମାତ୍ର ଏବେ ୩ ଛୁଆଙ୍କ ପେଟକୁ ଆହାର ମୁଠେ ଯୋଗାଇବା ପାଇଁ ନନ୍ଦଙ୍କୁ ବହୁ ସଂଗ୍ରାମ କରିବାକୁ ପଡ଼ୁଛି। ସକାଳୁ ଉଠି ଜଙ୍ଗଲରୁ କାଠ ସଂଗ୍ରହ କରି ଏହାକୁ ବିକ୍ରୟ କଲେ ପରିବାରରେ ଚୁଲି ଜଳୁଛି। ଏଭଳି ସ୍ଥିତିରେ ପରିବାରର ବୋଝ ସମ୍ଭାଳିବାକୁ ପଡ଼ୁଛି ଦ୍ବିତୀୟ ଝିଅ ଅନସୂୟା (୧୨)ଙ୍କୁ। ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ଅନସୂୟା ପାଠ ପଢ଼ିବା ପାଇଁ ଯେତିକି ଆଗ୍ରହ ପ୍ରକାଶ କରୁଛନ୍ତି, ତାହାଠାରୁ ବଳିଯାଉଛି ପରିବାରର ବୋଝ। ବାପା କାମକୁ ବାହାରି ଯିବା ପରେ ସାନ ଭଉଣୀ ସୁକାନ୍ତି (୧୦) ଓ ଭିନ୍ନକ୍ଷମ ଭାଇ ଅମିନ(୭)ଙ୍କ ଭଲମନ୍ଦ କଥା ବୁଝିବାକୁ ପଡ଼ୁଛି। ଏଥି ସହିତ ଘରର କାମଧନ୍ଦା ସାରି ରୋଷେଇବାସ କରିବା ସହ ସମସ୍ତଙ୍କୁ ଖାଇବାକୁ ଦେଇ ଠିକ୍ ସମୟରେ ବିଦ୍ୟାଳୟରେ ପହଞ୍ଚିବାକୁ ପଡ଼ୁଛି। ମାତ୍ର ବଡ଼କଥା ହେଉଛି ପତ୍ନୀଙ୍କ ମୃତ୍ୟୁ ପରେ ରାସନ କାର୍ଡରୁ ତାଙ୍କ ନାମକୁ ପଞ୍ଚାୟତରେ କାଟି ଦିଆଯାଇଥିବା ବେଳେ ଭିନ୍ନକ୍ଷମ ପୁଅଙ୍କ ନାମକୁ ସଂଯୋଗ କରା ଯାଉନଥିବା ନନ୍ଦ ଅଭିଯୋଗ କରିଛନ୍ତି। ଏପଟେ ପୁଅ ଅମିନ ଜନ୍ମରୁ ଛୋଟେଇ ଛୋଟେଇ ଚଲାବୁଲା କରୁଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପାଇଁ ବାରମ୍ବାର ଦରଖାସ୍ତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ମିଳି ପାରୁନଥିବା ସେ ଅଭିଯୋଗ କରିଛନ୍ତି।

publive-image

ଏପଟେ କରୋନା ସଂକ୍ରମଣକୁ ନେଇ ସ୍କୁଲ୍‌ ବନ୍ଦ ରହିଥିଲେ ମଧ୍ୟ ପରିବାର ବୋଝକୁ ସମ୍ଭାଳିବାକୁ ଯାଇ ଏବେ ଦୁଇ ଝିଅ ଖଲି ସିଲାଇ କରୁଥିବା ଦେଖିବାକୁ ମିଳିଛି। ମୁଣ୍ତଗୁଞ୍ଜି ରହିବା ପାଇଁ ପକ୍କାଘର ଖଣ୍ଡେ ସାତସପନ ପାଲଟିଛି। ସରକାରଙ୍କ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଥିବା ନନ୍ଦଙ୍କ ପରିବାର ଦୁର୍ଦ୍ଦିନ ମଧ୍ୟରେ ଗତି କରୁଥିବା ବେଳେ ଜିଲ୍ଲାପାଳ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି। ମାତ୍ର ଏ ସମ୍ପର୍କରେ ବିଡିଓ ଦେବୀ ପ୍ରସାଦ ମହାନ୍ତିଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ପାଇଁ ଶେଷ ଥର ଦରଖାସ୍ତ ଗ୍ରହଣ କରାଯାଇଛି; ସେହି ଦରଖାସ୍ତରେ ତାଙ୍କର ନାମ ଥିଲେ ତୁରନ୍ତ ତାଙ୍କୁ ଘର ଯୋଗାଇ ଦିଆଯିବ।