ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଡାକ୍ତର ଅଭାବରୁ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ଶଯ୍ୟା ଅଭାବରୁ ରୋଗୀ ଏଣେତେଣେ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି।
ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସାଧାରଣ ନାଗରିକଙ୍କ ଠାରୁ ଆମ୍ଭ କରି ବୁଦ୍ଧିଜୀବୀ ପର୍ଯ୍ୟନ୍ତ ଦାବି କରି ଆସୁଥିଲେ। ଏକ ଦଶନ୍ଧିରୁ ଉର୍ଦ୍ଧ୍ବ ଏହି ଦାବି କରି ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଭଦ୍ରକର ଏହି ପ୍ରମୁଖ ଦାବିକୁ ଏଡାଇ ଚାଲିଛନ୍ତି। ରାଜ୍ୟ ସରକାର ଭଦ୍ରକ ଜିଲ୍ଲାକୁ ସବୁକ୍ଷେତ୍ରରେ ଅଣଦେଖା କରି ଆସିଥିବା ବେଳେ ଜିଲ୍ଲାର ସ୍ବାସ୍ଥ୍ୟ ସେବାକୁ ସଂପୂର୍ଣ୍ଣ ଭାବେ ଅଣଦେଖା କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା ଆଦି ଜିଲ୍ଲାର ଲୋକେ ନିର୍ଭର କରିଥାନ୍ତି।
ମାତ୍ର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାରେ ବିଫଳ ହୋଇଛି। ଭଦ୍ରକ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବା ପରେ ମଧ୍ୟ ଜିଲ୍ଲାର ଲୋକମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ମିଳିପାରିନି। ନୂତନ ଭାନେ ଗେଲପୁର ମୌଜାରେ ନିର୍ମାଣ କରାଯାଉଥିବା ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହର ମନ୍ଥର ଗତିକୁ ନେଇ ମଧ୍ୟ ଜିଲ୍ଲାବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂରୁଣା ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଆବଶ୍ୟକ ଭିତ୍ତିଭୂମି ନ ଥିବା ବେଳେ ସ୍ବାସ୍ଥ୍ୟ ବିଭାଗରୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟ କରି କେବଳ ଲୁଟ୍ ଚାଲିଛି। ନୂତନ ମହିଳା ଓ ଶିଶୁ ୱାର୍ଡ ନିର୍ମାଣ କାର୍ଯ୍ୟ ଗେଲପୁର ଠାରେ ଶେଷ ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମଧ୍ୟ ନିରବ। ନୂତନ ସ୍ବାସ୍ଥ୍ୟକେନ୍ଦ୍ରକୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ତରିତା ପ୍ରକାଶ କରୁ ନାହାନ୍ତି। ଯେଉଁଥିପାଇଁ ମହିଳା ଓ ଶିଶୁ ହସ୍ପିଟାଲ ନିର୍ମାଣ ହୋଇ ପଡି ରହିଛି।
ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ ଆବଶ୍ୟକ ଶଯ୍ୟା ଅଭାବରୁ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। କେବଳ ମେଡିକାଲର ଶଯ୍ୟା ସମସ୍ୟା ନୁହେଁ। ଭଦ୍ରକ ମେଡିକାକଲରେ ଆବଶ୍ୟକ ଡାକ୍ତର ପଦ ଖାଲି ପଡିଛି। ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁନି। ଯେଉଁ ଡାକ୍ତରମାନେ ଭଦ୍ରକ ମଡିକାଲରେ ରହିଛନ୍ତି। ସେମାନେ ମେଡିକାଲରେ ରୋଗୀଙ୍କୁ ସେବା ଯୋଗାଇବାରେ ଆନ୍ତରିକତା ପ୍ରକାଶ କରୁ ନଥିବା ଅନେକ ରୋଗୀ ଅଭିଯୋଗ ଉଠାଇଛନ୍ତି। ଅଧିକାଂଶ ସମୟରେ ସରକାରୀ ଡାକ୍ତରମାନେ ନର୍ସିଂହୋମ୍ରେ ସମୟ ବିତାଉଛନ୍ତି ବୋଲି ଅଭିଯୋଗ ଉଠିଛି। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସର୍ଜରୀ ୱାର୍ଡର ଅଚଳାବସ୍ଥାକୁ ନେଇ ରୋଗୀମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସଂପର୍କରେ ରୋଗୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ। ଜିଲ୍ଲା ସର୍ଜରୀ ବିଭାରେ ଜଣେ ନିଶା ଡାକ୍ତର ରହିଥିବା ବେଳେ ସେ ଚଳିତ ମାସ ଅବସର ନେବେ।
ନିଶା ଡାକ୍ତରଙ୍କର ଅଭାବ ଯୋଗୁଁ ଅସ୍ତ୍ରୋପଚାର ବାଧାପ୍ରାପ୍ତ ହେବ ବୋଲି ସୂଚନା ମିଳିଛି। ଜିଲ୍ଲାରେ ୬ ଜଣ ସର୍ଜରୀ ଡାକ୍ତର ଓ ୩ ଜଣ ଅସ୍ଥିଶଲ୍ୟ ବିଭାଗର ଡାକ୍ତର ରହିଛନ୍ତି। ଏହି ଡାକ୍ତରମାନେ ଏଠାରେ ରୋଗୀଙ୍କୁ ଆବଶ୍ୟକ ସେବା ଯୋଗାଉଥିବା ବେଳେ କିଛି ଡାକ୍ତର ରୋଗୀଙ୍କୁ ଘରୋଇ ନର୍ସିଂହୋମକୁ ପଠାଉଛନ୍ତି। ଜିଲ୍ଲା ହସପିଟାଲରେ ସର୍ଜାରୀ ୱାର୍ଡରେ ରୋଗୀଙ୍କୁ ଅସ୍ତ୍ରୋପଚାର କରାଯାଉ ନାହିଁ। ଗୁରୁତର ରୋଗୀଙ୍କ କଟକ ରେଫର କରାଯାଉଛ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଓଡଙ୍ଗ ପଞ୍ଚାୟତର ସରମରା ଗ୍ରାମର ସରସ୍ବତୀ ସାହୁ ନାମକ ଜଣେ ହାଡ ଭଙ୍ଗା ରୋଗୀଙ୍କ ପୁଅ ବୈକୁଣ୍ଠ ସାହୁ ଗତ ୭ ଦିନ ତଳେ ଘର ଛାତରୁ ପଡି ହାତ ଭାଙ୍ଗି ଯାଇଥିଲା। ସେ ଭଦ୍ରକ ହସପିଟାଲକୁ ଚିକିତ୍ସା ପାଇଁ ଆସି ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିଲେ। ମାତ୍ର ଏଠାରେ ଡାକ୍ତର ତାଙ୍କୁ ନର୍ସିଂ ହୋମ୍କୁ ପଳାଇ ଯିବାକୁ କହିଥିଲେ।