ଭଗବାନଙ୍କ ଭରସାରେ ଦେବଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟସେବା, ୭ ଡାକ୍ତରଙ୍କୁ ବଦଳି ଆଦେଶ

ସାଂସଦ ଓ ବିଧାୟକଙ୍କ ଆନ୍ଦୋଳନ ଚେତାବନୀ

ଦେବଗଡ଼ : ଦେବଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ସେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅଧିକାଂଶ ମେଡିକାଲ୍‌ରେ ଡାକ୍ତର ପଦବି ଖାଲି ପଡ଼ିଛି। ଫଳରେ ଲୋକଙ୍କ ସ୍ବାସ୍ଥ୍ୟ ସେବାରେ ଏହାର ଗୁରୁତର ପ୍ରଭାବ ପଡ଼ୁଛି। ଜିଲ୍ଲାରେ ୮୪ ଡାକ୍ତରଙ୍କ ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ୫୭ ପଦ ଖାଲିପଡ଼ିଛି। ମାତ୍ର ହାତ ଗଣତି ଡାକ୍ତରଙ୍କୁ ନେଇ ମୁଖ୍ୟ ଚିକିତ୍ସାଳୟ ଓ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟ ସେବା ଚାଲିଛି। ଏକ ପ୍ରକାର ଭଗବାନଙ୍କ ଭରସାରେ ଚାଲିଛି ଦେବଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟସେବା। ଗୋଟିଏ ପଟେ ଜିଲ୍ଲାରେ ଡାକ୍ତର ଅଭାବ ରହିଥିବ‌ାବେଳେ ଇତିମଧ୍ୟରେ ରାଜ୍ୟ ସରକାର ଦେବଗଡ଼ ମେଡିକାଲରୁ ୭ ଡାକ୍ତରଙ୍କୁ ବଦଳି କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଡିଓ ଲୋଜିଷ୍ଟ, ପାଥୋଲୋଜି, ଇଏନ୍‌ଟି, ଅସ୍ଥିଶଲ୍ୟ, ନିସ୍ତେଜକଙ୍କ ସମେତ ବହୁ ପଦବି ଖାଲି ରହିଛି। ଅନ୍ୟପଟେ ବମପରଡ଼ା ଗୋଷ୍ଠୀ ସ୍ବା‌ସ୍ଥ୍ୟ କେନ୍ଦ୍ରରେ ଜଣେ ବି ଡାକ୍ତର ନାହାନ୍ତି। ଏହାକୁ ଜିଲ୍ଲାରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଦେବଗଡ଼ ଜିଲ୍ଲା ପ୍ରତି ଏଭଳି ମନୋଭାବକୁ ସମାଲୋଚନା କରାଯାଇଛି। ବଦଳି ହୋଇଥିବା ଡାକ୍ତରଙ୍କ ବଦଳି ବାତିଲ ସହ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ପଦ ପୂରଣ କରି ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ନ ଯୋଗାଇଲେ ସେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ଏବଂ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି।

୧୯୯୪ରେ ଦେବଗଡ଼ ନୂତନ ଜିଲ୍ଲାର ମାନ୍ୟତା ପାଇଲା। ସେହି ଦିନଠାରୁ ଦେବଗଡ଼ ସବ୍‌ଡିଭିଜନ୍‌ ଡାକ୍ତରଖାନା ମୁଖ୍ୟ ଚିକିତ୍ସାଳୟର ମାନ୍ୟତା ପାଇଲା। ଜିଲ୍ଲାରେ ମୋଟ ୪ଟି ସିଏଚ୍‌ସି ଓ ୮ଟି ପିଏଚ୍ସି ରହିଛି। ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ୨୪ ଡାକ୍ତର ପଦ ରହିଥିବାବେଳେ ବର୍ତ୍ତମାନ ୧୮ ଡାକ୍ତରଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଚଳୟ ଚାଲୁଛି। ଅନ୍ୟପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭେଷଜ ବିଭାଗ, ଅସ୍ଥିଶଲ୍ୟ ବିଭାଗ, ଶିଶୁ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ରକ୍ତ ଭଣ୍ଡାର ଅଧିକାରୀ ଓ ଜଣେ ଏଡିଏମଓଙ୍କ ସ୍ଥାନରେ କୌଣସି ଡାକ୍ତରଙ୍କୁ ଅବସ୍ଥାପିତ ନ କରି ହଠାତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଅନ୍ୟତ୍ର ବଦଳି ଆଦେଶ ଜାରି ହୋଇଛି। ସେହିପରି ବାରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ପଦବି ସ୍ଥାନରେ ୨ ଜଣ ଡାକ୍ତର ରହିଥିବା ବେଳେ ବମପରଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ପଦବି ଥିଲେ ମଧ୍ୟ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଶୂନ୍ୟ ରହିଛି। ସେହିପରି ତିଲେଇବଣି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ ପଦବି ସ୍ଥାନରେ ୯ ପଦବି ଖାଲି ରହିଛି। ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ପଦବି ସ୍ଥାନରେ ୯ ପଦବି ଖାଲି ରହିଛି। ପଳସମା, କଣ୍ଟାପାଲି ଏବଂ ଲଇମୁରା ଭଳି ଦୁର୍ଗମ ଅଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଗୋଟିଏ ଲେଖାଏଁ ଡାକ୍ତର ପଦବି ରହିଥିଲେ ମଧ୍ୟ ଏହି ସବୁ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ଡାକ୍ତର ଶୂନ୍ୟ ରହିଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।

ସେହିପରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଡାକ୍ତର ପଦ ରହିଥିବାବେଳେ ବର୍ତ୍ତମାନ ୧୮ ଡାକ୍ତରଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଚାଲୁଥିବା ବେଳେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ୭ଜଣ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସବୁବେଳେ ସବୁ ସମୟରେ ଡାକ୍ତର ଅଭାବ ସମସ୍ୟା ଯୋଗୁଁ ସାଧାରଣ ଲୋକ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାବେଳେ ବୁର୍ଲା, ରାଉଲକେଲା, କଟକ ଆଦି ବିଭିନ୍ନ ଘରୋଇ ଓ ସରକାରୀ ଡାକ୍ତରଖାନା ଉପରେ ନିର୍ଭରଶୀଳ। ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ସିଏଚ୍‌ସିଗୁଡ଼ିକରେ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଭରସାରେ ଚାଲିଛି ଦେବଗଡ଼ର ସ୍ୱାସ୍ଥ୍ୟ ସେବା। ଯେଉଁଠି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା, ସେପରି କ୍ଷେତ୍ରରେ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ସେବା କିପରି ଥିବା ତାୟା ସ୍ପଷ୍ଟ ଅନୁମେୟ। ମୁଖ୍ୟ ଚିକିତ୍ସାଳୟର ଆନୁଷଙ୍ଗିକ ବିକାଶ ସହିତ ଖାଲିପଡ଼ିଥିବା ଡାକ୍ତର ପଦ ପୂରଣ ‌କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର