ଭୁବନେଶ୍ବର : ସାଧାରଣ ବର୍ଗର ଗରିବ ଛାତ୍ରଛାତ୍ରୀଙ୍କ ଇଞ୍ଜିନିୟରିଂ ପଢ଼ିବା ସ୍ବପ୍ନ ସାକାର ହେବାକୁ ଯାଉଛି। ଯେଉଁ ପିଲାଙ୍କ ପରିବାରର ବାର୍ଷିକ ଆୟ ୮ଲକ୍ଷ ଟଙ୍କାରୁ କମ୍ ଏବଂ ୫ ଏକର କିମ୍ବା ତା’ ଠାରୁ ଅଧିକ ଜମି ନଥିବ ସେମାନେ ଏହି ସୁବିଧା ପାଇବେ। ୨୦୨୨-୨୩ ଶିକ୍ଷାବର୍ଷରେ ଓଜେଇଇ ପକ୍ଷରୁ ଚାଲିଥିବା ନାମଲେଖା ପ୍ରକ୍ରିୟାରେ ଆର୍ଥିକ ଦୁର୍ବଳ ଶ୍ରେଣୀ(ଇଡବ୍ଲୁଏସ) ଛାତ୍ରଛାତ୍ରୀଙ୍କ ଲାଗି ଏଭଳି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ ରହିଥିଲା। ଚଳିତ ଶିକ୍ଷାବର୍ଷରୁ ଅଲ୍‌ ଇଣ୍ଡିଆ କାଉନସିଲ୍ ଫର ଟେକନିକାଲ୍‌ ଏଜୁକେସନର(ଏଆଇସିଟିଇ) ଅନୁମୋଦନ କ୍ରମେ ଏହି ସଂରକ୍ଷଣ ଅନୁଯାୟୀ ଓଜେଇଇ କାଉନସେଲିଂ କରିବ ବୋଲି ଜଣାପଡ଼ିଛି।

Advertisment

ବାର୍ଷିକ ଆୟ ୮ଲକ୍ଷ, ୫ ଏକରରୁ କମ୍‌ ଜମି ଥିବ
ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗର ହୋଇ ନ ଥିବେ

ନିୟମ ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି କିମ୍ବା ପଛୁଆ ବର୍ଗ କୋଟାରେ ଅନ୍ତର୍ଭୁକ୍ତ ଥିବେ ସେମାନେ ଏହି ସୁବିଧା ପାଇବେ ନାହିଁ। ଇଡବ୍ଲୁଏସ ପ୍ରମାଣପତ୍ର ପାଇଁ ଛାତ୍ରଛାତ୍ରୀଙ୍କୁ ତହସିଲ୍ ଅଫିସରେ ଆବେଦନ କରିବାକୁ ପଡ଼ିବ। ତଥ୍ୟ ଯାଞ୍ଚ ପରେ ତହସିଲଦାର କିମ୍ବା ଅତିରିକ୍ତ ତହସିଲଦାର ପ୍ରମାଣପତ୍ର ପ୍ରଦାନ କରିବେ। କାଉନସେଲିଂ ଚାଲିଥିବା ବେଳେ ଇଡବ୍ଲୁଏସ୍ କୋଟା ଲାଗି ଛାତ୍ରଛାତ୍ରୀ ଆବେଦନ କରିବେ। ନାମଲେଖା ସମୟରେ ସେମାନଙ୍କୁ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ।

publive-image jnujaipur.ac.in

ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି ଯେ ୨୦୨୨-୨୩ ଶିକ୍ଷାବର୍ଷରେ ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ଲାଗି କାଉନସେଲିଂ ଆରମ୍ଭ ହୋଇଯାଇଛି। ଯେଉଁ ଛାତ୍ରଛାତ୍ରୀ ଏଥିରେ ଭାଗ ନେଉଛନ୍ତି ସେମାନେ ପ୍ରଥମେ ୱେବସାଇଟ୍‌ରେ ଦିଆଯାଇଥିବା ନିୟମାବଳୀକୁ ଭଲ ଭାବେ ପଢ଼ନ୍ତୁ। ଦାଖଲ କରୁଥିବା ତଥ୍ୟକୁ ଠିକ୍‌ ଭାବେ ଦେଖନ୍ତୁ। କେଉଁ ଦିନ କେଉଁ ବିଷୟର କାଉନସେଲିଂ ହେବ ତାହାର ତାଲିକା ଓଜେଇଇ ୱେବସାଇଟ୍‌ରେ ଦିଆଯାଇଛି। ପ୍ରଥମ ଥର ଲାଗି ସମସ୍ତ ଟେକ୍ନିକାଲ ଓ ପ୍ରଫେସନାଲ କୋର୍ସରେ ସାଧାରଣ ବର୍ଗର ଇଡବ୍ଲୁଏସ୍‌ ଛାତ୍ରଛାତ୍ରୀଙ୍କ ଲାଗି ୧୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି। ଏହାକୁ ଲାଗୁ କରିବାକୁ ହେଲେ ବର୍ତମାନର ସିଟ୍‌ର ୨୫% ବଢ଼ାଇବାକୁ ପଡ଼ିବ। ଅର୍ଥାତ୍‌ ଯଦି ଗୋଟିଏ ବିଭାଗରେ ୬୦ଟି ସିଟ୍‌ ରହିଛି, ତାହା ୭୫କୁ ବୃଦ୍ଧି ପାଇବ। ସେହିପରି ଯେଉଁ ବିଭାଗରେ ୧୨୦ ସିଟ୍‌ ରହିଛି ତାହା ୧୫୦ରେ ପହଞ୍ଚିବ। ଏହି ବ୍ୟବସ୍ଥା ଦ୍ବାରା ଗରିବ ମେଧାବୀ ପିଲାମାନେ ଉପକୃତ ହୋଇପାରିବେ। ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷା ପାଠ୍ୟକ୍ରମରେ ସିଟ୍‌ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଯେଉଁମାନେ ଏହାର ଫାଇଦା ନେବାକୁ ଚାହାନ୍ତି ସେମାନେ କାଉନସେଲିଂ ସମୟରେ ଉଲ୍ଲେଖ କରିବା ଆବଶ୍ୟକ। ଏଥିପାଇଁ ଯେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ତାହାକୁ ମଧ୍ୟ ଦାଖଲ କରିବା ବାଧ୍ୟତାମୂଳକ।

publive-image Telegraph India

ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ଆସୋସିଏସନ୍‌(ଓପେକା) ସମ୍ପାଦକ ବିନୋଦ ଦାଶ କହିଛନ୍ତି ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଏହି ବ୍ୟବସ୍ଥା ଲାଗୁ ଦ୍ବାରା ଇଞ୍ଜିନିୟରିଂ ପାଠ୍ୟକ୍ରମରେ ୨୫% ସିଟ୍‌ ବୃଦ୍ଧି ପାଇବ। ସାଧାରଣ ବର୍ଗର ଗରିବ ମେଧାବୀ ପିଲାମାନେ ନିଜ ଚଏସ୍‌ ଓ ଯୋଗ୍ୟତା ଅନୁଯାୟୀ ଶିକ୍ଷାନୁଷ୍ଠାନରେ ପଢ଼ିପାରିବେ। ଏମିତିରେ ବହୁ କଲେଜରେ ସିଟ୍‌ ଖାଲି ପଡ଼ୁଛି। ସଂରକ୍ଷଣ ବ୍ୟବସ୍ଥା ଲାଗୁ ଦ୍ବାରା ଆଉ କିଛି ସିଟ୍‌ ପୂରଣ ହୋଇପାରିବ ଏବଂ ଅଭିଭାବକମାନେ ଉପକୃତ ହେବେ। ରାଜ୍ୟରେ ୮ଟି ସରକାରୀ କଲେଜ ସହ ମୋଟ ୮୬ଟି ଇଞ୍ଜିନିୟରିଂ କଲେଜରେ ୩୪ ହଜାରରୁ ଅଧିକ ସିଟ୍‌ ରହିଛି।

ରାଜ୍ୟରେ ଇଞ୍ଜିନିୟରିଂ ଓ ବୃତ୍ତିଭିତ୍ତିକ ପାଠ୍ୟକ୍ରମରେ ସିଟ୍‌ ସଂରକ୍ଷଣ ନିଷ୍ପତ୍ତିକୁ ଓଡିଶା ଅଭିଭାବକ ମହାସଂଘ ସ୍ୱାଗତ କରିଛନ୍ତି। ଏହି ନିୟମ ଲାଗୁ ହେବା ଦ୍ବାରା ରାଜ୍ୟର ବହୁ ଅଭିଭାବକ ନିଜ ପିଲାଙ୍କୁ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଶିକ୍ଷା ଦେଇପାରିବେ। ଏବେ ବି ରାଜ୍ୟରେ ବହୁ ପରିବାର ଆର୍ଥିକ ଦୁର୍ବଳ ଓ ମଧ୍ୟବିତ୍ତ ଶ୍ରେଣୀ ଅନ୍ତର୍ଭୁକ୍ତ ଅଛନ୍ତି। ସେହି ପରିବାରର ଇଞ୍ଜିନିୟରିଂ ପଢିବାକୁ ଇଚ୍ଛୁକ ପିଲାମାନେ ଯୋଜନାରେ ଲାଭବାନ ହେବେ।