ଅସହାୟ ଦିନ ମଜୁରିଆ : ଭଙ୍ଗା ଘର, ଅସୁସ୍ଥ ପତ୍ନୀ; ଚିନ୍ତାରେ ବିତୁଛି ଜୀବନ

ନାଚୁଣୀ : ଭଙ୍ଗା ଘର। ଘର ଭିତରେ ଯକ୍ଷ୍ମା ରୋଗାକ୍ରାନ୍ତ ଅସୁସ୍ଥ ପତ୍ନୀ। ୮ ମାସର ଶିଶୁକନ୍ୟାଟି ଏହି ଯକ୍ଷ୍ମା ରୋଗରେ ନିକଟରେ ମୃତ୍ୟୁ ବରଣ କରି ସାରିଛି। ସେହିପରି ନିଜର ୧୪ ବର୍ଷର ଅନ୍ୟ ଝିଅଟି ନିଖୋଜ ହୋଇ ଯାଇଛି। ଏଭଳି ପରିସ୍ଥିତିରେ ଫନି ବାତ୍ୟା ଦିନ ମଜୁରିଆ ରାଜ ବିଶ୍ବାଳଙ୍କ ଦୁଃଖକୁ ବଢ଼ାଇ ଦେଇଛି।

ସୂଚନାଯୋଗ୍ୟ ଯେ, ଗତ ଫନି ବାତ୍ୟାରେ ନାଚୁଣୀ ପଞ୍ଚାୟତର ସୁନାଖଳା ଗ୍ରାମର ରାଜ ବିଶ୍ବାଳଙ୍କ ଘରର ଚାଳ ଉଡିଯାଇଥିଲା। ପରେ ବର୍ଷାରେ ମାଟି କାନ୍ଥ ଦୁର୍ବଳ ହୋଇପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବାର ଭୟ ଘାରୁଛି। ଅଭାବ ଅନଟନରେ ଚଳୁଥିବା ଶ୍ରୀ ବିଶ୍ବାଳଙ୍କୁ ଘର ମରାମତି ପାଇଁ କୌଣସି ସରକାରୀ ସହାୟତା ଏଯାଏଁ ମିଳିନଥିବା ଅଭିଯୋଗ ହେଉଛି। ବର୍ଷାରୁ ରକ୍ଷା ପାଇବାକୁ ମାଗିଯାଚି ଭଙ୍ଗା ଘର ଚାଳରେ ଜରି ଖଣ୍ଡେ ପକାଇଥିଲେ ବି ଘରର ଦୁର୍ବଳ କାନ୍ଥ ମରାମତି କରିବା ପାଇଁ ତାଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ। ଘରେ ଅସୁସ୍ଥ ପତ୍ନୀ ଶଯ୍ୟାଶାୟୀ। ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିବାବେଳେ ଏହି ରୋଗରେ ତାଙ୍କର ୮ ମାସର ଛୋଟ ଛୁଆଟିଏ ମଧ୍ୟ ନିକଟରେ ମୃତ୍ୟୁ ବରଣ କରିଛି। ୧୪ ବର୍ଷର ଅନ୍ୟ ଏକ ଝିଅ ଆକସ୍ମିକ ଭାବେ ନିଖୋଜ ହୋଇଯିବାରୁ ଏହି ପରିବାରରେ ଚଡ଼କ ପଡିଛି। ଏବାବଦରେ ସେ ନାଚୁଣୀ ପୋଲିସରେ ଏତଲା ଦେଇଛନ୍ତି। ହେଲେ ଝିଅର କୌଣସି ଖୋଜଖବର ମିଳିପାରିନାହିଁ ।

ଏହି ପରିସ୍ଥିତିରେ ୧୬ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣରେ ଘର ଭଙ୍ଗା ପାଇଁ ନୋଟିସ ଆସିଛି। ଘରେ ସ୍କୁଲ ଯାଉଥିବା ଏକମାତ୍ର ଛୋଟ ଝିଅ ଓ ଅସୁସ୍ଥ ପତ୍ନୀଙ୍କୁ ଧରି ଏଭଳି ପରିସ୍ଥିତିରେ ଅସହାୟ ଦିନ ମଜୁରିଆ ରାଜ ବିଶ୍ବାଳ କେଉଁଠି ଯାଇ ମୁଣ୍ଡ ଗୁଞ୍ଜିବେ ସେ ନେଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏହି ଅସହାୟ ପରିବାରଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର