ଭୁବନେଶ୍ବର: ୨୦୨୩-୨୪ରେ ଓଡ଼ିଶାର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ। ୨୦୨୨-୨୩ରେ ଏହା ୭.୯ ପ୍ରତିଶତ ଥିଲା। ଶିଳ୍ପ ଏବଂ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁ ଏହା ସମ୍ଭବ ହୋଇଛି। ୨୪ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଗଠିତ ବିଜେପି ସରକାରଙ୍କ ପକ୍ଷରୁ ଆଜି ପ୍ରକାଶିତ ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି। ଅର୍ଥନୀତି ଆଗକୁ ବଢ଼ିବା ଫଳରେ ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ବଢ଼ି ୨୦୨୩-୨୪ରେ ୧,୬୧,୪୩୭ ଟଙ୍କାରେ ପହଞ୍ଚିଛି। ତେବେ ଦେଶର ମୁଣ୍ଡପିଛା ଆୟ ୧,୮୪,୨୦୫ ଟଙ୍କା ରହିଛି। ତେଣୁ ଜାତୀୟ ସ୍ତର ତୁଳନାରେ ରାଜ୍ୟରେ ମୁଣ୍ଡପିଛା ଆୟ ୧୨.୪ ପ୍ରତିଶତ କମ୍ ରହିଛି। ୨୦୧୫-୧୬ ପରଠାରୁ ଓଡ଼ିଶାର ମୁଣ୍ଡପିଛା ଆୟ ବାର୍ଷିକ ୧୨.୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ୧୭ଟି ପ୍ରମୁଖ ରାଜ୍ୟ ତାଲିକାରେ ଓଡ଼ିଶା ୨୦୨୨-୨୩ରେ ଏକାଦଶ ସ୍ଥାନରେ ରହିଛି। ନାଗରିକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ଏବଂ ବିକଶିତ ଭାରତର ଲକ୍ଷ୍ୟ ସାଧନ ପାଇଁ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ରାଜ୍ୟ ଏହାର ବିକାଶମୂଳକ ଏବଂ ଅଭିବୃଦ୍ଧି ପ୍ରୟାସକୁ ତ୍ବରାନ୍ବିତ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।
ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ମଧ୍ୟ ଓଡ଼ିଶା ସଫଳତା ହାସଲ କରିଛି। ନିତି ଆୟୋଗ ଅନୁଯାୟୀ ବହୁମୁଖୀ ଦାରିଦ୍ର୍ୟ ଅନୁପାତ ୨୦୧୫-୧୬ରେ ୨୯.୩ ପ୍ରତିଶତ ଥିବାବେଳେ ୨୦୧୯-୨୧ରେ ୧୫.୭ ପ୍ରତିଶତକୁ ହ୍ରାସ ପାଇଛି। ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ରାଜ୍ୟରେ ୬୨ ଲକ୍ଷରୁ ଅଧିକ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ଏହାସତ୍ତ୍ବେ ବହୁବଧି ଦାରିଦ୍ର୍ୟ ମୁଣ୍ଡ ଗଣତି ଅନୁସାରେ ପ୍ରମୁଖ ୧୭ଟି ରାଜ୍ୟ ମଧ୍ୟରେ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି। ରାଜ୍ୟର ଲୋକଙ୍କୁ ଦାରିଦ୍ର୍ୟ କବଳରୁ ମୁକ୍ତ କରିବା ପାଇଁ ନିରନ୍ତର ପ୍ରଚେଷ୍ଟା ଆବଶ୍ୟକ ବୋଲି ସରକାର ରିପୋର୍ଟରେ ଦର୍ଶାଇଛନ୍ତି। ୨୦୨୩-୨୪ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ୨୦୨୩-୨୪ରେ ମୋଟ ରାଜ୍ୟ ସଂଯୋଗିତ ମୂଲ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନ ୨୦.୪ ପ୍ରତିଶତ ରହିଛି। ଅଧିକରୁ ଅଧିକ ଧାନ ଜମିକୁ ଅଣଧାନ ଫସଲ ଅଧୀନକୁ ଆଣିବା ଏବଂ କୃଷକଙ୍କ ଆୟ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ସେହିଭଳି ୨୦୨୩-୨୪ରେ ଓଡ଼ିଶାରେ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ୮.୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ୨୦୨୩-୨୪ରେ ରାଜ୍ୟର ଜିଏସ୍ଭିଏ (ମୋଟ ରାଜ୍ୟ ମୂଲ୍ୟ ଯୋଗ)ରେ ଶିଳ୍ପ କ୍ଷେତ୍ରର ଅବଦାନ ୪୩.୨ ପ୍ରତିଶତ ରହିଛି। ଓଡ଼ିଶାର ଶିଳ୍ପ ମୁଖ୍ୟତଃ ମୌଳିକ ଧାତୁ ଓ ଖଣିଜ ଭିତ୍ତିକ ଶିଳ୍ପ ଉପରେ ନିର୍ଭରଶୀଳ। ଏହାକୁ ଅନ୍ୟାନ୍ୟ କ୍ଷେତ୍ରକୁ ବିକେନ୍ଦ୍ରୀକରଣ କରିବାର ଆବଶ୍ୟକତା ରହିଛି। ସେହିଭଳି ୨୦୨୩-୨୪ରେ ସେବା କ୍ଷେତ୍ରର ଅଭିବୃଦ୍ଧି ୯.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ରାଜ୍ୟ ଅର୍ଥନୀତିରେ ସେବା କ୍ଷେତ୍ରର ଯୋଗଦାନ ୩୬ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ରାଜ୍ୟର ମୋଟ ନିଯୁକ୍ତିରେ ଏହି କ୍ଷେତ୍ରର ଅଂଶ ୨୬ ପ୍ରତିଶତ ରହିଛି।
୮.୫% ହାରରେ ଦୌଡ଼ିଛି ଓଡ଼ିଶା
ମୁଣ୍ଡପିଛା ଆୟ ~୧,୬୧,୪୩୭
ଧାନ ଉତ୍ପାଦନରେ ପଞ୍ଚମ
ଶସ୍ୟ ଉତ୍ପାଦନ ୧୪୧.୪ ଲକ୍ଷ ଟନ୍
ଏହାସତ୍ତ୍ବେ ସୂଚନା ଓ ପ୍ରଯୁକ୍ତି ଏବଂ ଆଇଟିଇଏସ୍ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ଯାହାଦ୍ବାରା ଆମର ହାଇଦ୍ରାବାଦ୍, ବେଙ୍ଗାଲୁରୁ ଭଳି ସହରକୁ ଯିବେ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ରାଜ୍ୟର ସେବା କ୍ଷେତ୍ରର ଅଭିବୃଦ୍ଧି ଓ ନିଯୁକ୍ତି ପାଇଁ ପର୍ଯ୍ୟଟନ କ୍ଷେତ୍ରରେ ପ୍ରଚୁର ସମ୍ଭାବନା ରହିଛି। ଏଭଳି ସ୍ଥଳେ ଉଭୟ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କୋଭିଡ୍ ମହାମାରୀର ପୂର୍ବସ୍ଥିତିକୁ ଫେରି ପାରିନାହିଁ। ତେଣୁ ଓଡ଼ିଶାର ପର୍ଯ୍ୟଟନକୁ ଶୀର୍ଷକୁ ନେବାପାଇଁ ଏହି କ୍ଷେତ୍ରରେ ଅଧିକରୁ ଅଧିକ ଅର୍ଥ ବିନିଯୋଗ କରିବାକୁ ପଡ଼ିବ। ରାଜ୍ୟରେ ୧୫ ବର୍ଷରୁ ଊର୍ଦ୍ଧ୍ବ ଶ୍ରମଶକ୍ତି ଅଂଶଗ୍ରହଣ ହାର ୨୦୧୮-୧୯ରେ ୫୧.୨ ପ୍ରତିଶତ ଥିଲା। ୨୦୨୨-୨୩ରେ ଏହା ୬୧.୩ ପ୍ରତିଶତକୁ ବୃଦ୍ଧି ପାଇଛି। ରାଜ୍ୟରେ ୧୫ ବର୍ଷରୁ ଊର୍ଦ୍ଧ୍ବ ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାର ୨୦୧୮-୧୯ରେ ୨୪.୪ ପ୍ରତିଶତ ଥିବା ସମୟରେ ୨୦୨୨-୨୩ରେ ଏହା ଉଲ୍ଲେଖନୀୟ ଭାବେ ୪୪.୭ ପ୍ରତଶିତକୁ ବୃଦ୍ଧି ପାଇଛି। କିନ୍ତୁ ଚିନ୍ତାର ବିଷୟ ହେଲା ଅଧିକାଂଶ ନିଯୁକ୍ତି କୃଷି ଓ ନିର୍ମାଣ କ୍ଷେତ୍ରରେ ରହିଛି।
ଅଧିକ ଉଚ୍ଚ ବେତନଯୁକ୍ତ ଗୁଣାତ୍ମକ ନିଯୁକ୍ତି ସୃଷ୍ଟି ଉପରେ ସର୍ଭେରେ ଗୁରୁତ୍ବାରୋପ କରାଯାଇଛି। ୨୦୨୩-୨୪ରେ ରାଜ୍ୟ ପୁଞ୍ଜିବ୍ୟୟ ବରାଦରେ ପାଖାପାଖି ୫୧,୬୮୩ କୋଟି ଟଙ୍କା ଆବଣ୍ଟନ କରିଛି, ଯାହା ଜିଏସ୍ଡିପି (ରାଜ୍ୟ ମୋଟ ଘରୋଇ ଉତ୍ପାଦ)ର ପ୍ରାୟ ୬.୨% ଏବଂ ପୂର୍ବ ବର୍ଷ ତୁଳନାରେ ୩୪.୯ ପ୍ରତିଶତ ଅଧିକ। ଭିତ୍ତିଭୂମି ଅଭାବକୁ ଦୃଷ୍ଟିରେ ରଖି ଆଗାମୀ ବର୍ଷମାନଙ୍କରେ ପୁଞ୍ଜିବ୍ୟୟ ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି। ୨୦୧୯-୨୦ରେ ଓଡ଼ିଶାର ବିତ୍ତୀୟ ନିଅଣ୍ଟ ଓ ଜିଏସ୍ଡିପି ଅନୁପାତ ୩.୫ ପ୍ରତିଶତ ରହିଥିଲା। ୨୦୨୩-୨୪ ବଜେଟ୍ ଆକଳନରେ ଏହା ୩.୧ ପ୍ରତିଶତକୁ ଖସି ଆସିଛି। ୨୦୨୨-୨୩ ସଂଶୋଧିତ ଆକଳନ ଏବଂ ୨୦୨୩-୨୪ ବଜେଟ୍ ଆକଳନରେ ଋଣ ଅନୁପାତ ଯଥାକ୍ରମେ ୧୨.୯ ପ୍ରତିଶତ ଓ ୧୩.୬ ପ୍ରତିଶତ ରହିଛି, ଯାହା ପଞ୍ଚଦଶ ଅର୍ଥ ଆୟୋଗ ଏବଂ ଓଡ଼ିଶା ଏଫ୍ଆର୍ବିଏମ୍ ଆଇନ, ୨୦୦୫ ଦ୍ବାରା ଧାର୍ଯ୍ୟ କରାଯାଇଥିବା ୨୫ ପ୍ରତିଶତ ସୀମାଠାରୁ କମ୍। ୨୦୨୧-୨୨ରେ ଓଡ଼ିଶାରେ ଖାଦ୍ୟଶସ୍ୟ ଉତ୍ପାଦନ ୧୧୩.୮ ଲକ୍ଷ ଟନ୍ ଥିବାବେଳେ ୨୦୨୨-୨୩ରେ ଏହା ୨୪.୨ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ୧୪୧.୪ ଲକ୍ଷ ଟନରେ ପହଞ୍ଚିଛି। ୨୦୨୧-୨୨ରେ ଭାରତର ମୋଟ ଧାନ ଉତ୍ପାଦନରେ ଓଡ଼ିଶା ୭ ପ୍ରତିଶତ ଯୋଗଦାନ ସହ ଦେଶର ପଞ୍ଚମ ବୃହତ୍ ଧାନ ଉତ୍ପାଦନକାରୀ ରାଜ୍ୟ ହୋଇଛି। କିନ୍ତୁ ଚିନ୍ତାର ବିଷୟ ହେଲା ଓଡ଼ିଶାରେ ଧାନ ଅମଳ ସର୍ବଭାରତୀୟ ସ୍ତର ତୁଳନାରେ ୧୯ ପ୍ରତିଶତ ଏବଂ ଡାଲି ଅମଳ କ୍ଷେତ୍ରରେ ୬୧ ପ୍ରତିଶତ କମ୍ ରହିଛି। କୃଷକଙ୍କ ଆୟ ବୃଦ୍ଧି ପାଇଁ ଅମଳ ବୃଦ୍ଧି ଓ ଦକ୍ଷତା ବୃଦ୍ଧିର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି।