ନୂଆପଡା: ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସିହିନାମୁଣ୍ଡା ଗ୍ରାମରୁ ୩୫୩ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ତରବୋଡ ପର୍ଯ୍ୟନ୍ତ ୪ କିଲୋମିଟର ପ୍ରଧାନମନ୍ତ୍ରୀ ରାସ୍ତାର ମରାମତୀ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଏହି କାର୍ଯ୍ୟର ସୂଚନା ଫଳକ କୌଣସିଠାରେ ମଧ୍ୟ ଲାଗିନାହିଁ । ରାସ୍ତ କାର୍ଯ୍ୟ ଏତେ ନିମ୍ନମାନର ହୋଇଛି ଯେ ହାତରେ ମଧ୍ୟ ଖୋଳପା ଭଳି ଉଠି ଯାଉଛି ପିଚୁ । ରାସ୍ତାରେ ଧୂଳି ସଫାକରି ଓ ପରେ ପ୍ରାଇମର ଦେବା ପରେ ଯାଇ ରାସ୍ତାରେ ପିଚୁ ଢାଳିବା କଥା କିନ୍ତୁ କିଛି ନକରି ଖାଲି ପିଚୁ ଦିଆଯାଉଥିବାରୁ ଏପରି ଉଠି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାର୍ଯ୍ୟସ୍ଥଳରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରଞ୍ଜିତ ସୋରେନ ନିଜେ ଉପସ୍ଥିତ ରହି ଏହି କାର୍ଯ୍ୟ ଜାରି ରଖିଥିଲେ।

Advertisment

ରାସ୍ତାରେ ବାଇକରେ ଗଲେ ମଧ୍ୟ ପିଚୁ ଉଠିଯାଉଥିବାରୁ ସିହିନାମୁଣ୍ଡା ଗ୍ରାମବାସୀ କାର୍ଯ୍ୟସ୍ଥଳକୁ ଆସି ଉପସ୍ଥିତ ଯନ୍ତ୍ରୀଙ୍କୁ ଘେରାଉ କରି କାର୍ଯ୍ୟ ବନ୍ଦ କରିଥିଲେ। ଯନ୍ତ୍ରୀଙ୍କ ପଚାରିବାରୁ ସେ ମଧ୍ୟ କହୁଛନ୍ତି ନୂଆପଡା ଜିଲ୍ଲାରେ ଯେତେ ବି ମରାମତି କାର୍ଯ୍ୟ ଚାଲିଛି ସବୁ ଏହିପରି ହିଁ ହୋଇଥାଏ। ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଯଦି ଏପରି ଦୁର୍ନୀତି କାର୍ଯ୍ୟ କରାଯିବ ତାହେଲେ ଜନସାଧାରଣ ଆଉ କାହା ପାଖରେ ଅଭିଯୋଗ କରିବେ ବୋଲି ପ୍ରଶ୍ନ କରିଛନ୍ତି। ସିହିନାମୁଣ୍ଡା ଗ୍ରାମବାସିଙ୍କ ଅଭିଯୋଗ କରିଛନ୍ତି ଯେଉଁ ପର୍ଯ୍ୟନ୍ତ ରାସ୍ତା ମରାମତି କରାଯାଇଛି ସବୁ ପିଚୁ ଉଠାଯାଇ ସଂପୂର୍ଣ ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନଚେତ କାର୍ଯ୍ୟକୁ ବନ୍ଦ ରଖନ୍ତୁ। କୋମନା ବ୍ଲକରେ ଏହିପରି ବିଭିନ୍ନ କାର୍ଯ୍ୟ ବିଭାଗିୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ବୋଲି ଅଭିଯୋଗ ହୋଇଛି । ଯାହାଫଳରେ ଦେଖାଯାଉଛି ବିଭିନ୍ନ ଗ୍ରାମର ରାସ୍ତା ନିର୍ମାଣର ୨/୩ ମାସ ପରେ ସଂପୂର୍ଣ ପିଚୁ ଉଠି ରାସ୍ତା ସବୁ ସୋଚନିୟ ହୋଇପଡୁଛି। ପରେ ଗ୍ରାମବାସୀ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଯଥାଶିଘ୍ର ଜିଲ୍ଲା ପ୍ରଶାସନ ତରଫରୁ ଏହି ରାସ୍ତା ମରାମତି କାର୍ଯ୍ୟର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତ। ନଚେତ ଆଗାମି ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନି ଦେଇଛନ୍ତି। ସିହିନାମୁଣ୍ଡା ଗ୍ରାମର ଦୁଃଖିଶ୍ୟାମ ହଂସ , ଶଶି ମିର୍ଧା , ଝସକେତନ ରଉତି , କୂଳ ହଂସ , ନିରଂଜନ ହଂସ , ରଙ୍କଧର କଠାର , କପିଳେନ୍ଦ୍ର ହଂସ , ପ୍ରମୋଦ ହଂସ , ଅର୍ଜୁନ କଠାର , ନିରଞ୍ଜନ ହଂସ, ଘଟତକଚ ହଂସଙ୍କ ସମେତ ଅନେକ ଗ୍ରାମବାସୀ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ।