ଗୋଳନ୍ଥରା: ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ୪ଟି ବ୍ଲକ୍‌ ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଓ ଚିକିଟି ହେଉଛି କିଆଫୁଲ ଚାଷର ପ୍ରମୁଖ ପେଣ୍ଠସ୍ଥଳୀ। ୧୧୦ଟି ଗାଁର ଲୋକଙ୍କ ପ୍ରମୁଖ ଜୀବିକା ହେଉଛି କିଆଫୁଲ ଚାଷ, ଉତ୍ପାଦନ, ସଂଗ୍ରହ ଓ ପ୍ରକ୍ରିୟାକରଣ। ଜିଲ୍ଲାରେ ୨୨୦ଟି ପ୍ରକ୍ରିୟାକରଣ ୟୁନିଟ୍‌ (ଭାଟି) ସମେତ ତିନିଟି ମଣ୍ଡି ଆଗ୍ରାହାରମ, କେଲୁଆପଲ୍ଲୀ ଓ ସିଦ୍ଧ‌ଭୈରବୀ ଠାରେ କାର୍ଯ୍ୟକ୍ଷମ ଅଛି। ପ୍ରତି ମଣ୍ଡିର ଚାଷୀ ଓ ଭାଟି ମାଲିକମାନେ ବର୍ଷକୁ ଥରେ ଏକାଠି ହୋଇ ସର୍ବସମ୍ମତିକ୍ରମେ ଫୁଲର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିଥା’ନ୍ତି। କିଆଫୁଲ ସାଧାରଣତଃ ବର୍ଷକୁ ତିନିଥର ଉତ୍ପାଦିତ ହୋଇଥାଏ। ପ୍ରତିବର୍ଷ  ଅଗଷ୍ଟ ଓ ସେପ୍ଟେମ୍ବରରେ ସର୍ବାଧିକ ଉତ୍ପାଦିତ ହୁଏ। ଯାହା ମୋଟ ଉତ୍ପାଦନର ପ୍ରାୟ ୭୦ ପ୍ରତିଶତ। ବାକି ୩୦ ପ୍ରତିଶତ ଗ୍ରୀଷ୍ମ ଓ ଶୀତଋତୁରେ ଉତ୍ପାଦିତ ହୁଏ। ଚଳିତବର୍ଷ ପ୍ରତି ଫୁଲ ପାଇଁ ୩୩ ଟଙ୍କା ଧାର୍ଯ୍ୟ ହୋଇଥିଲା। ତେବେ ଚାଷୀ ଏବର୍ଷ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି।  ଚାଷୀଙ୍କ ସହ ଆଲୋଚନା ବେଳେ ଜଣାପଡ଼ିଛି, କିଆଫୁଲରୁ ଉତ୍ପାଦିତ ସାମଗ୍ରୀର ପ୍ରମୁଖ ବ୍ୟାବସାୟିକ କେନ୍ଦ୍ର ଓ ୟୁନିଟ୍‌ଗୁଡ଼ିକ ଉତ୍ତରପ୍ରଦେଶର କନୌଜ, କାନପୁର, ଆଲିଗଡ଼ ଓ ଲକ୍ଷ୍ମୌରେ ରହିଛି। ଚଳିତବର୍ଷ ଗଞ୍ଜାମରେ ଅଗଷ୍ଟ ଓ ସେପ୍ଟେମ୍ବରରେ ଅଧିକ କିଆଫୁଲ ଉତ୍ପାଦିତ ହୋଇଥିଲା। ଫଳରେ ଉକ୍ତ ଭାଟି ମାଲିକମାନେ ଦ୍ବିତୀୟ ପର୍ଯ୍ୟାୟ ଉତ୍ପାଦନକୁ ଅପେକ୍ଷା ନକରି ସେମାନଙ୍କ ଲକ୍ଷ୍ୟ ପୂରଣ କରିସାରିଥିଲେ। କିନ୍ତୁ ଉତ୍ତରପ୍ରଦେଶ ଭାଟି ମାଲିକମାନେ ସେମାନଙ୍କ ୟୁନିଟ୍‌ ବନ୍ଦ କରିଦେବା ଫଳରେ ଚାଷୀ ହନ୍ତସନ୍ତ ହେଉଛନ୍ତି। ଜିଲ୍ଲାର ଉଦ୍ୟୋଗୀମାନେ ପ୍ରକ୍ରିୟାକରଣ ୟୁନିଟ୍‌ ଗୁଡ଼ିକୁ ବନ୍ଦ କରିଦେଇଛନ୍ତି। ଫଳରେ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବା ସହ ସ୍ଥାନୀୟ ଭାଟି ମାଲିକମାନେ ମୂଲଚାଲ ନୀତି ଆପଣାଇଛନ୍ତି। କିଛି ମଣ୍ଡିରେ ଦୁଇଟି ଫୁଲକୁ ଗୋଟିଏ, ଆଉ କିଛି ଭାଟିରେ ତିନିଟି ଫୁଲକୁ ଗୋଟିଏ ୟୁନିଟ୍‌ ଭାବେ ଗଣନା କରାଯାଉଛି। ଚାଷୀଙ୍କୁ ଧାର୍ଯ୍ୟ ଦରର ଅଧା ବି ମିଳୁନି। କୌଣସି ବିକଳ୍ପ ନଥିବାରୁ ଚାଷୀ କମ୍‌ ଦରରେ ଭାଟି ମାଲିକଙ୍କୁ ଫୁଲ ବିକୁଛନ୍ତି ବୋଲି କିଆଫୁଲ ଚାଷୀ ଏନ୍‌.ତାରିଣୀ ରେଡ୍ଡୀ କହିଛନ୍ତି।  

Advertisment

ପ୍ରକ୍ରିୟାକରଣ ବିଳମ୍ବ ହେଲେ କିଆଫୁଲ ନଷ୍ଟ ହୋଇଯାଏ। ଏଣୁ, ସ୍ଥାନୀୟ ଭାଟିମାଲିକମାନେ ସେମାନଙ୍କ ବନ୍ଦ ୟୁନିଟ୍‌କୁ ତୁରନ୍ତ ଖୋଲିଲେ ଚାଷୀ ଉପକୃତ ହୋଇପାରିବେ, ନଚେତ ଆର୍ଥିକ କ୍ଷତି ସହିବେ। ଏଣୁ ୟୁନିଟ୍ ଗୁଡ଼ିକୁ ତୁରନ୍ତ ଖୋଲିବା, ଫୁଲ ସଂଗ୍ରହ ଓ ପ୍ରକ୍ରିୟାକରଣ ପୁନଃଆରମ୍ଭ କରିବା ଦିଗରେ ଜିଲ୍ଲାପାଳ ପଦକ୍ଷେପ ନେବାକୁ ଶ୍ରୀ ‌ରେଡ୍ଡୀ ଚିଠି ଲେଖିଛନ୍ତି।