ଅନୁଗୁଳ: ଟମାଟୋର ଅଭାବୀ ବିକ୍ରିର ଶିକାର ହୋଇଛନ୍ତି ଅନୁଗୁଳ ଚାଷୀ। ‌ଦିନ କେଇଟା ମଧ୍ୟରେ ଟମାଟୋର ଦର ବଜାରରେ ଖସିଯିବା ପରେ ବେପାରୀମାନେ ଲାଭବାନ ହେଉଛନ୍ତି। ଅପରପକ୍ଷରେ ଚାଷୀମାନଙ୍କର ସର୍ବନାଶ ହୋଇଛି। ଏଥିପାଇଁ ଟମାଟୋ ଚାଷ କରୁଥିବା ଚାଷୀ ଲାଭ ପାଇବା ତ ଦୂରର କଥା ଖର୍ଚ୍ଚ କରିଥିବା ଅର୍ଥ କିପରି ଫେରି ପାଇବେ ସେନେଇ ଚିନ୍ତାରେ ଅଛନ୍ତି। ଅଭାବୀ ବିକ୍ରି ପାଇଁ ଚାଷୀମାନେ ମୁଣ୍ଡରେ ହାତ ଦେଇଥିବା ବେଳେ ଟ୍ରେ ଟ୍ରେ ଟମାଟୋକୁ ନାଳରେ ଫିଙ୍ଗି ଦେଉଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ମୋଟ ୪୯୬୭.୯୬ ହେକ୍ଟର୍‌ ଜମିରେ ଟମାଟୋ ଚାଷ ହେଉଥିବାବେଳେ ସେଥିରେ ୬୯ହଜାର ୩୪୯.୭ ‌ମେଟ୍ରିକ ଟନ୍‌ ଟମାଟୋ ଉତ୍ପାଦନ ହେଉଛି। ପ୍ରତି ହେକ୍ଟର୍‌ ପିଛା ୧୪୦ କ୍ବିଣ୍ଟାଲ୍ ଟମାଟୋ ମିଳୁଥିବା ଉଦ୍ୟାନ ବିଭାଗ ପକ୍ଷରୁ କହାଯାଇଛି। ଜିଲ୍ଲାରେ ଏତେ ଟମାଟୋ ଉତ୍ପାଦନ ହେଉଥିବା ବେଳେ ସେଗୁଡ଼ିକର ସଂରକ୍ଷଣ ପାଇଁ କୌଣସି ଶୀତଳଭଣ୍ଡାରର ବ୍ୟବସ୍ଥା ନାହିଁ।

Advertisment

କେଜି ପ୍ରତି ୪ରୁ ୫ ଟଙ୍କାରେ ବିକ୍ରି କରୁଛନ୍ତି
ତୋଳାଳିଙ୍କ ପାରିଶ୍ରମିକ ଦେବାକୁ ବି ଅକ୍ଷମ

ଏକା ସମୟରେ କ୍ବିଣ୍ଟାଲ୍‌ କ୍ବିଣ୍ଟାଲ୍ ଟମାଟୋ ବଜାରକୁ ଅସିବା ଫଳରେ ଦର ଅହେତୁକ ଭାବେ ହ୍ରାସ ଘଟୁଛି। ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳର ଚାଷୀମାନେ ଏବେ ଏକ ଟ୍ରେ (୨୫କେଜି)ପ୍ରତି ୧୦୦ ରୁ ୧୨୦ଟଙ୍କାରେ ବିକ୍ରି କରୁଛନ୍ତି। ଅର୍ଥାତ ଚାଷୀମାନେ କେଜି ପିଛା ୪ରୁ ୫ ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି। ଚାଷୀମାନେ ଟମାଟୋ ତୋଳାଇବା ପାଇଁ ନି‌ୟୋଜିତ କରିଥିବା ଶ୍ରମିକଙ୍କ ପାରିଶ୍ରମିକ ମଧ୍ୟ ଦେଇପାରୁ ନଥିବା ଦେଖିବାକୁ ମିଳିଛି। ଫଳରେ ଚାଷୀମାନେ ଟମାଟୋକୁ ଗଛରୁ ତୋଳୁ ନଥିବା ଜଣାପଡ଼ିଛି। ଗଛରେ ସେଗୁଡ଼ିକ ପାଚି ନଷ୍ଟ ହେଉଛି। ଏପରିକି ତୋଳାଯାଇଥିବା ଟମାଟୋକୁ ବେପାରୀମାନେ ଠିକ ସମୟରେ ନେଉ ନଥିବାରୁ ‌ଚାଷୀମାନେ ଗଦାଗଦା ଟମାଟୋକୁ ନାଳରେ ଫିଙ୍ଗି ଦେଉଥିବା ଦେଖିବାକୁ ମିଳିଛି। ଏପରି ସ୍ଥିତି ଲାଗି ରହିଲେ ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯିବ। କେହି କେହି ଆଗକୁ ଏହି ଚାଷ ନ କରିବାକୁ କହୁଥିବା ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳରେ ଏକ ଶୀତଳ ଭଣ୍ଡାର ନିର୍ମାଣ କରି ଉତ୍ପାଦିତ ହେଉଥିବା ପରିବାକୁ ସଂରକ୍ଷଣ କଲେ ଚାଷୀମାନେ ଲାଭବାନ ହୋଇପାରନ୍ତେ ବୋଲି ମତପ୍ରକାଶ ପାଇଛି।