ଯାଜପୁର : ଖରା,ବର୍ଷା ଓ ଶୀତରେ ହାଡ଼ଭଙ୍ଗା ପରିଶ୍ରମ କରି ଫସଲ ଅମଳ କରୁଥିବା ଚାଷୀମାନେ ସେମାନଙ୍କର ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ ବଜାର ଓ ସଂରକ୍ଷଣ ବ୍ୟବସ୍ଥାର ଘୋର ଅଭାବର ସୁଯୋଗ ନେଇ ଦଲାଲ, ବେପାରୀମାନେ ମାଲାମାଲ ହେଉଛନ୍ତି। ଧାନର ଅଭାବୀ ବିକ୍ରି ଭଳି ପନିପରିବା ବିକ୍ରିରେ ମଧ୍ୟ ଚାଷୀ ଶୋଷଣର ଶିକାର ହେଉଛି। ଚାଷୀଙ୍କୁ ସେବା ଯୋଗାଇ ଦେବାକୁ ଥିବା ଯୋଗାଣ ବିଭାଗ ଓ ନିୟନ୍ତ୍ରଣ ବଜାର କମିଟି(ଆରଏମସି) କେବଳ ସରକାରୀ ଯୋଜନାକୁ କାଗଜପତ୍ରରେ କାର୍ଯ୍ୟକାରୀ କରିବାରେ ବ୍ୟସ୍ତ। ନିକଟରେ ଫୁଲକୋବି ଚାଷୀମାନେ ବଜାର ଅଭାବରୁ ଫସଲ ଅମଳ ନକରି ବିଲରେ ନଷ୍ଟ କରିଦେଲେ। କାକୁଡ଼ି ଚାଷୀ ମଧ୍ୟ ସମଦଶା ଭୋଗୁଛନ୍ତି। ବିଲରେ କାକୁଡ଼ି କିଲୋ ୫ ଟଙ୍କାରୁ ୧୦ଟଙ୍କା ବିକ୍ରି ହେଉଥିବା ବେଳେ ବଜାରରେ ୩୦ ଟଙ୍କାରୁ ୬୦ଟଙ୍କା ପର୍ଯ୍ୟନ୍ତ ଦର ରହୁଛି। କୁଆଖିଆ ବ୍ଲକ୍ରୁ କୁଇଣ୍ଟାଲ କୁଇଣ୍ଟାଲ କାକୁଡି ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ କୋଲକାତା ଓ ରାଞ୍ଚି ଚାଲାଣ ହେଉଛି। ମାତ୍ର ଏହା ଫାଇଦା ଚାଷୀମାନେ ପାଉ ନାହାନ୍ତି।
କୁଆଖିଆ ବ୍ଲକ୍ ନଠୁଆବର ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପଡା ଗ୍ରାମର ଚାଷୀ ଫକୀର ଚରମ ଦାସ ଓ ପୁତୁରା ଅରୁଣ ଦାସ କହନ୍ତି ୪ଗୁଣ୍ଠ ଜମିରେ ୪ହଜାର ଟଙ୍କାର ବିହନ, ସାର, ଔଷଧ ଓ ପାଣି ଯୋଗାଣ ବାବଦରେ ବ୍ୟୟ କରିଥିଲେ। ଏହା ସହିତ ପରିବାର ଏକାଧିକ ସଦସ୍ୟ ୨ମାସ ହେଲା ବିଲରେ ଦିନସାରା କାମରେ ଲାଗିଛନ୍ତି। ଯେଉଁଭଳି ଫଳ ଆସିଛି ପ୍ରାୟ ୨ହଜାର ଟଙ୍କା ବାହାରିବ। ସେହିପରି ତ୍ରିଲୋଚନା ଦାସ ଓ ଭାଇ ସୁବାସ ଦାସ ୭ଗୁଣ୍ଠ ଜମିରେ କାକୁଡ଼ି ଲଗାଇଛନ୍ତି। ଭୋରୁ ଉଠି କାକୁଡି ତୋଳି ବେପାରୀଙ୍କୁ କଣ୍ଟାରେ ମପାଉଛନ୍ତି। ସେମାନେ କହନ୍ତି ୨ଦିନ ହେଲା ମକର ଥିବାରୁ କାକୁଡ଼ି ଦାମ ବଢ଼ିଛି। ୬ଟଙ୍କା ବଦଳରେ ୨୦ ଟଙ୍କା ହୋଇଛି। ଫସଲରମୂଲ୍ୟ ନିୟନ୍ତ୍ରଣ କରିବା ଏବଂ ବଜାର ଯୋଗାଇ ଦେବା ପାଇଁ ପ୍ରଶାସନର ଉଦ୍ୟମ ଶୂନ।
ସୂଚନାଯୋଗ୍ୟ ଯାଜପୁର ଜିଲ୍ଲାକୁ ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀର ଶାଖା ନଦୀଗୁଡ଼ିକ ଜାଲ ଭଳି ବିଛାଇ ରହିଥିବାରୁ ଶହଶହ ଏକର ନଦୀପଠା ଓ ବାଲିଆ ଜମିରେ ଚାଷୀମାନେ ପନିପରିବା କରୁଛନ୍ତି। ଏହାକୁ ଭିତ୍ତି କରି ରସୁଲପୁର ବ୍ଲକ୍ର ବାରବାଟୀ ଠାରେ ପ୍ରତିଦିନ ପରିବା ହାଟ ବସୁଛି। ମାତ୍ର ଏଠାରେ ସରକାରଙ୍କ ପକ୍ଷରୁ ଚାଷୀ କିମ୍ବା ବ୍ୟବସାୟୀଙ୍କ ପାଇଁ ସେପରି ସୁବ୍ୟବସ୍ଥା ନାହିଁ। ଫଳରେ ଅମଳ ହେଉଥିବା ଫସଲର ସଠିକ୍ ବିକ୍ରିବଟା ହୋଇପାରୁନାହିଁ। ଏହି ବାରବାଟୀ ପରିବା ହାଟ ଉପରେ ଯାଜପୁର ଜିଲ୍ଲାର ଏକାଧିକ ବଜାର ସହିତ ପଡ଼ୋଶୀ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ଭଦ୍ରକ ଓ ବାଲେଶ୍ବର ସମେତ ବାହାର ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡକୁ ମଧ୍ୟ ପନିପରିବା ଚାଲାଣ ହେଉଛି। ଏଠାକୁ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶ, ରାଞ୍ଚି, ବାଙ୍ଗାଲୁରୁ, ପଶ୍ଚିମବଙ୍ଗ ପ୍ରଭୃତିରୁ ପନିପରିବା ଆସିଲେ ସ୍ଥାନୀୟ ଚାଷୀମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି। ବାରବାଟୀ ପରିବା ହାଟରେ ପାନୀୟ ଜଳ, ଗାଡ଼ି ପାର୍କିଂ, ଗୋଦାମ ଓ ଶୀତଳଭଣ୍ଡାର ପ୍ରଭୃତି ନାହିଁ। ଯାହା ଫଳରେ ଚାଷୀ କମ୍ଦରରେ ନିଜର ପନିପରିବା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ସରକାରଙ୍କ କୃଷି କଲ୍ୟାଣ ଯୋଜନା ଯେପରି ଫାଇଲ୍ ଚାଷରେ ସୀମିତ ରହିଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି।