ପଣସର ଅଭାବୀ ବିକ୍ରି: କେଉଁଠି ୫୦ କେଉଁଠି ୧୫୦

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଉତ୍କୃଷ୍ଟ ମାନର ପଣସ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରେ ନିଜର ପରିଚୟ ହାସଲ କରିଛି । ଏବେ ପଣସର ଅଭାବୀ ବିକ୍ରି ଓ ବେପାରୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଚାଷୀମାନେ ପଣସର ଉଚିତ ମୂଲ୍ୟ ପାଇପାରୁ ନଥିବା ଅଭିଯୋଗ ହେଉଛି ।‌ ଯେଉଁଥିପାଇଁ ପଣସ ଚାଷ କରିବାକୁ କେହି ଆଗ୍ରହ ଦେଖାଉ ନାହାନ୍ତି।

କେନ୍ଦୁଝର ଜିଲ୍ଲାର ଘଟଗାଁ, ପାଟଣା, ହରିଚନ୍ଦନପୁର, ସଦର, ସାହାରପଡ଼ା, ବାଂଶପାଳ ଓ ତେଲକୋଇ ଆଦି ବ୍ଲକ ଅଞ୍ଚଳରେ ପ୍ରବଳ ପରିମାଣରେ ପଣସ ହୋଇଥାଏ। ରାଜ୍ୟର ଅନ୍ୟ ଅଂଚଳରେ କେନ୍ଦୁଝର ପାଚିଲା ପଣସର ଚାହିଦା ଅଧିକ ରହିଥାଏ। ଯେଉଁଥିପାଇଁ ବେପାରୀମାନେ ଶହ ଶହ ଟନ୍‌ର ପାଚିଲା ପଣସ ସଂଗ୍ରହ କରି ଯାନବାହନରେ ବାହାରକୁ ନେଇଥାନ୍ତି। ଅଳ୍ପ ପରିଶ୍ରମ ଓ କମ୍‌ ଦେଖାରଖାରେ ଚାଷ ହୋଇପାରୁଥିବା ପଣସ ଏକ ଅର୍ଥକରୀ ଫସଲ ହୋଇଥିଲେ ମଧ୍ୟ ପାଚିଲା ପଣସର ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ଚାଷୀ ଲାଭବାନ ହୋଇପାରୁ ନଥିବା ଅଭିଯୋଗ ହେଉଛି ।

କେନ୍ଦୁଝର ଜଙ୍ଗଲରେ ବ୍ୟାପକ ପରିମାଣର ପଣସ ଗଛ ଥିବାବେଳେ ଆଦିବାସୀମାନେ ପଣସ ସଂଗ୍ରହ କରି ବଜାରରେ ବିକ୍ରି କରିଥାନ୍ତି। ବଜାରରେ ବେଶ ଚାହିଦା ଥିବା ପଣସ କଟକ ଭୁବନେଶ୍ୱରରେ ୧୦୦ ରୁ ୧୫୦ ଟଙ୍କା ଗୋଟା ପ୍ରତି ବିକ୍ରି ହେଉଛି। ପାଚିଲା ପଣସର ମଞ୍ଜି ମଧ୍ୟ ବେଶ ଉପକାରୀ ଓ ଏହା ଔଷଧୀୟ ପୋଷଣରେ ଭରପୁର । କେବଳ ସାବିତ୍ରୀ ବ୍ରତ ଓ ରଜ ସମୟରେ ପାଚିଲା ପଣସର ଚାହିଦା ଥିବାବେଳେ ଏହି ସମୟରେ ପଣସ ମଞ୍ଜି ମଧ୍ୟ ବେଶ ଭଲ ଅମଳ ହୋଇଥାଏ । ଛେଚା ଓ ତରକାରୀ ପାଇଁ ପଣସ ମଞ୍ଜିର ମଧ୍ୟ ବେଶ୍‌ ଚାହିଦା ରହିଛି । ଜିଲ୍ଲାରେ ପଣସ ପ୍ରୋସେସିଂ ୟୁନିଟ ନଥିବାରୁ କମ ଦାମରେ ଚାଷୀ ପଣସ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏହାର ଫାଇଦା ନେଇ ବେପାରୀମାନେ ଶାଗମାଛ ମୂଲ୍ୟରେ ପଣସଗୁଡିକୁ କିଣି ନେଉଛନ୍ତି । ତେଣୁ ପଣସ ଚାଷୀଙ୍କୁ ଉପଯୁକ୍ତ ବଜାର ବ୍ୟବସ୍ଥା  ନ ହେବା ପର୍ଯ୍ୟନ୍ତ ଏହି ଚାଷ ଆଗେଇ ପାରିବ ନାହିଁ।

ସମ୍ବନ୍ଧିତ ଖବର