ମହୁଲ ଫୁଲର ଅଭାବୀ ବିକ୍ରି, ଗତ ବର୍ଷ ତୁଳନାରେ ୧୦ ଟଙ୍କା କମ୍‌ରେ ବିକ୍ରି ଚାଲିଛି

କୁଚିଣ୍ଡା : ସମ୍ବଲପୁର ଜିଲ୍ଲାରେ ମହୁଲ ଫୁଲର ଅଭାବୀ ବିକ୍ରି ଚାଲିଛି। ପୂର୍ବ ବର୍ଷ ତୁଳନାରେ ଏଥର ୧୦ ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ୁଛି। ଗୋଟିଏ ପଟରେ ସରକାର ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଥିବା ଦେଶର ୧ ନମ୍ବର ରାଜ୍ୟ ବୋଲାଉଥିବା ସମୟରେ ମହୁଳ ସଂଗ୍ରହ ନୀତିରେ ପଡ଼ୋଶୀ ତୁଳନାରେ ଭିନ୍ନ ନୀତି ରହିଛି। ସରକାରଙ୍କ ଭିନ୍ନ ନୀତି ସହିତ ଅତ୍ୟଧିକ କଟକଣା, ବିଭାଗୀୟ ଅଧିକାରୀଙ୍କ ସ୍ବେଚ୍ଛାଚାରିତା ଯୋଗୁଁ ମହୁଲ ଫୁଲ ବିକି ଭଲ ଦୁଇ ପଇସା ରୋଜଗାର କରୁଥିବା ଗ୍ରାମାଂଚଳର ଲକ୍ଷାଧିକ ଗରିବ ପରିବାର ପ୍ରତାରିତ ହେଉଛନ୍ତି।

ସ୍ବର୍ଗତ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୯୨ ମସିହାରେ ମହୁଲ ଫୁଲ ସହିତ ୬୨ଟି ଲଘୁବନଜାତ ଦ୍ରବ୍ୟକୁ ସମସ୍ତ କଟକଣା ଉଠାଇ ‘ଫ୍ରି ଟ୍ରେଡ଼୍’ ବ୍ୟବସ୍ଥା କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ମହୁଲ ଫୁଲକୁ ଅବକାରୀ ବିଭାଗ ଅଧୀନରେ ରଖାଯାଇଛି। ପଡ଼ୋଶୀ ଛତିଶଗଡ଼, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରେ ମହୁଲ ଫୁଲ ଉପରେ କେବଳ ଜିଏସ୍‌ଟି ଆଦାୟ ବ୍ୟବସ୍ଥା ରହିଥିବା ସମୟରେ ଓଡ଼ିଶାରେ ଅନ୍ୟାନ୍ୟ ଟିକସ ବ୍ୟବସ୍ଥା ରହିଛି। ଅନ୍ୟ ରାଜ୍ୟରେ ଓଡ଼ିଶା ଭଳି କଟକଣା ନଥିବାରୁ ସେଠାରେ ଏହାର ସଂରକ୍ଷିତ ରଖିବା ସୁବିଧା ହେଉଛି। ଝାଡ଼ଖଣ୍ଡ, ଛତିଶଗଡ଼ରେ ବହୁ ଶୀତଳଭଣ୍ଡାର ମହୁଲ ଫୁଲ ବ୍ୟବସାୟୀଙ୍କ ଭାଗଦାରୀରେ ଚାଲିଛି। ଓଡିଶାରେ ମଧ୍ୟ ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲେ ଲୋକେ ଉପକୃତ ହୋଇପାରନ୍ତେ। ଅବକାରୀ ବିଭାଗ ଭାଟି ମାଲିକଙ୍କ ସହିତ ଭିତିରି ସଂପର୍କ ରଖିଥିବାରୁ ସବୁ ସମୟରେ ମହୁଲ ସଂଗ୍ରହକାରୀ ହଇରାଣ ହେଉଛନ୍ତି। ମହୁଲ ଫୁଲ କିଣିବା ପାଇଁ ଅବକାରୀ ବିଭାଗ ଲାଇସେନ୍ସ ପ୍ରଦାନ କରିଥାନ୍ତି। ପ୍ରତିବର୍ଷ ମଦଭାଟି ମାଲିକ ତାଙ୍କ ଆବଶ୍ୟକ ମହୁଲ ଫୁଲ କୋଟା କିଣିସାରିବା ପରେ ଏପ୍ରିଲ ମାସରେ ଅନ୍ୟ ଆବେଦନକାରୀଙ୍କୁ ଲାଇସେନ୍ସ ଦେଇଥାଆନ୍ତି। ଚଳିତ ବର୍ଷ ମଧ୍ୟ ପୂରା କୁଚିଣ୍ଡା ଉପଖଣ୍ଡରେ ପାଞ୍ଚଜଣ ବ୍ୟକ୍ତିଙ୍କୁ ଲାଇସେନ୍ସ ଦିଆଯାଇଛି। ଗତ ମାସ ୧୭ ତାରିଖ ପରେ ମହୁଲ ଫୁଲ ଖରିଦ କରିବା ପାଇଁ ଆବେଦନକାରୀ ଲାଇସେନ୍ସ ପାଇଛନ୍ତି। ଅଳ୍ପ କିଛି ବ୍ୟକ୍ତିଙ୍କୁ ଲାଇସେନ୍ସ ଇସ୍ୟୁ କରିଥିବାରୁ ସେମାନଙ୍କ ମନମୁଖୀ ଚାଲିଛି।

ବିଭିନ୍ନ ସ୍ଥାନରେ ଏହାର କିଲୋଗ୍ରାମ ପ୍ରତି ଦର ୩୦ରୁ ୪୦ ଟଙ୍କା ରହିଥିବା ସମୟରେ କୁଚିଣ୍ଡା ଉପଖଣ୍ଡରେ ଏହା ମାତ୍ର ୨୫/୨୭ ଟଙ୍କା ଦରରେ କିଣାଯାଉଛି। ମହୁଲ ଫୁଲରୁ କେବଳ ମଦ ତିଆରି ହେଉଥିବା ଓ ଏହାର ବିକଳ୍ପ ବ୍ୟବହାର କରାଯାଉ ନାହିଁ। ଫଳରେ ମଦଭାଟି ମାଲିକଙ୍କ ଆବଶ୍ୟକତା ପରେ ଏହାର ଚାହିଦା କମିଯାଇଛି। ମହୁଲ ଫୁଲ ସଂଗ୍ରହ ସମୟ ଅବକାରୀ ବିଭାଗ ପାଇଁ ଏକ ବିକଳ୍ପ ଆୟ ସମୟରେ ପରିଣତ ହୋଇଛି। ଅଳ୍ପ କିଛି ଲୋକଙ୍କୁ ଲାଇସେନ୍ସ ଦେଇ ଅନ୍ୟମାନଙ୍କୁ ଚଢ଼ଉ କରି ଗିରଫ କରି ମୋକଦ୍ଦମା କରୁଥିବାରୁ ଏହାର ଉଚିତ ମୂଲ୍ୟ ଲୋକମାନେ ପାଇପାରୁନାହାନ୍ତି। ଏଣୁ ରାଜ୍ୟ ସରକାର ମହୁଲ ଫୁଲକୁ ‘ଫ୍ରି ଟ୍ରେଡ’ କରି କେବଳ ଜିଏସ୍‌ଟି ଲାଗୁ କଲେ ଲୋକେ ସଂଗ୍ରହକାରୀ ଏହାର ଉଚିତ ମୂଲ୍ୟ ପାଇପାରନ୍ତେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର