ବିନିକା ଅଞ୍ଚଳରେ ଧାନର ଅଭାବୀ ବିକ୍ରି, କୁଇଣ୍ଟାଲରେ ସାଢ଼େ ୭ଶହ ଟଙ୍କା କ୍ଷତି ସହୁଛି ଚାଷୀ

ବିନିକା : ବିନିକାକୁ ସୁବର୍ଣ୍ଣପୁର ଜିଲ୍ଲାର ଭାତହାଣ୍ଡି କହାଯାଏ। ହେଲେ ଚଳିତ ରବି ଧାନ ବିକ୍ରି କରିବାରେ ଚାଷୀ ବହୁ ହଇରାଣ ହେଉଛି। ମଣ୍ଡିରେ ଅବ୍ୟବସ୍ଥା, ଟୋକନ ସମସ୍ୟା ସହ ପ୍ରତିକୂଳ ପାଗ ଯୋଗୁଁ ଚାଷୀ ତାର ଉଚିତ ପ୍ରାପ୍ୟ ପାଉ ନାହିଁ। ବାଧ୍ୟ ହୋଇ ଦଲାଲ ଜରିଆରେ ମିଲ୍‌କୁ ଅତି କମ୍‌ ଦରରେ ଧାନ ବିକିବାକୁ ବାଧ୍ୟ ହେଉଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୧୮୬୮ ଟଙ୍କା ରହିଥିଲେ ମଧ୍ୟ ବିଭିନ୍ନ କାରଣରୁ ମାତ୍ର ୧୧ ଶହ ଟଙ୍କ ଦରରେ ବିକିଦେଉଛି। ଫଳରେ ଗୋଟିଏ କୁଇଣ୍ଟାଲରେ ସିଧା ସଳଖ ୭ଶହ ୬୮ଟଙ୍କା କ୍ଷତି ସହୁଛି। ତଥାପି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଯେ ପୂର୍ବ ବର୍ଷ ଅପେକ୍ଷା ଏଥର ଏ ଅଞ୍ଚଳରେ ପ୍ରାୟ ଦେଢ଼ଗୁଣ ଅଧିକ ଧାନ ଅମଳ ହୋଇଛି। ମାତ୍ର ସରକାରୀ ବିପଣନ ନୀତି, ନୂତନ ଟୋକନ ବ୍ୟବସ୍ଥା ଏବଂ ଧାନକ୍ରୟ ପ୍ରକ୍ରିୟାରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଚାଷୀ ଚିରାଚରିତ ଭାବେ ଅଭାବୀ ବିକ୍ରିର ଶିକାର ହେଉଛି। ଏହାର ଭରପୂର ଫାଇଦା ଉଠାଉଛନ୍ତି ଦଲାଲ୍ ଓ ଅସାଧୁ ମିଲର୍ସ। ସେମାନଙ୍କୁ ପରୋକ୍ଷରେ ସହାୟକ ହେଉଛି ଜିଲ୍ଲାର ଅବ୍ୟବସ୍ଥିତ ଯୋଗାଣ ବିଭାଗ। ମୌସୁମୀ ବର୍ଷା ପ୍ରଭାବରେ ବିନିକା ଅଞ୍ଚଳର ଚାଷୀଙ୍କ ଖଳା, ଘର ଓ ଖୋଲା ଆକାଶ ତଳେ ତଥା ବିଭିନ୍ନ ମଣ୍ଡିରେ ପଡ଼ିଥିବା ଧାନ ଭିଜି ଗଜା ହେବାରେ ଲାଗିଛି। ତେଣୁ ନଷ୍ଟ ହେବା ଅପେକ୍ଷା ଯାହା କିଛି ‌ହେଲେ ମିଳିଯାଉ ବୋଲି ଭାବି ଚାଷୀ ଦଲାଲ ହାତରେ ତାହା ଟେକି ଦେଉଛି। ଏଥିରେ ଦଲାଲ ଓ ମିଲର୍ସ ପ୍ରଚୁର ଲାଭ ପାଉଥିବା ବେଳେ ଚାଷୀ ସର୍ବାଧିକ କ୍ଷତି ସହୁଛି। ଅନ୍ୟପକ୍ଷରେ ସରକାର ଓ ଯୋଗାଣ ବିଭାଗ ଜାଣତରେ ଏସବୁ କରାଯାଉଛି ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ଜିଲ୍ଲାର ତ୍ରୁଟିପୂର୍ଣ୍ଣ ଆଧାର କାଡ଼ ଲିଙ୍କ୍‌ ହୋଇଥିବାରୁ ୧୩୮ ଜଣ ଚାଷୀଙ୍କ ଟୋକନ ଆସି ନଥିଲା। ସୁବର୍ଣ୍ଣପୁର ସିଏସଓ କାର୍ଯ୍ୟାଳୟ ଚିଠି ସଂଖ୍ୟା ୮୪୫/୨୬.୫.୨୧ରେ ରାଜ୍ୟ ଅତିରିକ୍ତ ସଚିବ ବିଜୟ ପୃଷ୍ଟିଙ୍କ ପାଖକୁ ଏହାର ତୁରନ୍ତ ସମାଧାନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ପରିତାପର ବିଷୟ ଏତେଦିନ ପରେ ବି ‌ତାହାର ଉତ୍ତର ଆସି ନାହିଁ। ଏଣୁ ଚାଷୀଙ୍କ ପ୍ରତି ସରକାରଙ୍କ କେତେ ଦରଦ ତାହା ସ୍ବଷ୍ଟ ଜଣାପଡ଼ୁଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ପ୍ରକାଶ ଯେ ରବି ଋତୁରେ ଜିଲ୍ଲାର ୯୨୪୮ଜଣ ଚଷୀ ଧାନ ବିକ୍ରି ପାଇଁ ନାମ ତାଲିକା ରହିଥିଲା। ସେଥିରୁ ୮୭୬୦ ଜଣ ଚାଷୀଙ୍କ ଠାରୁ ୮ ଲକ୍ଷ ୭୨ ହଜାର ୭ ଶହ ୫ କ୍ବିଣ୍ଟାଲ ଧାନ ୧୯.୬.୨୧ ତାରିଖ ପର୍ଯ୍ୟନ୍ତ କ୍ରୟ ହୋଇଥିବା ବିନିକା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର