ବରଗଡ଼: ଯାହା ଆଶଙ୍କା କରାଯାଇଥିଲା, ତାହା ସତରେ ପରିଣତ ହୋଇଛି। ରାଜ୍ୟରେ ଅଭାବୀ ବିକ୍ରିର ଶିକାର ହୋଇଥିବା ଚାଷୀମାନେ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ଧାନ ବୋହିବା ଆରମ୍ଭ କରିଛନ୍ତି। ରବିଋତୁରେ ଲକ୍ଷାଧିକ କ୍ବିଣ୍ଟାଲ ଧାନ ଖୋଲା ବଜାରରେ ବିକ୍ରିହେବ ବୋଲି ବାରମ୍ବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଆଜି ଏହା ସତରେ ପରିଣତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଯୋଗାଣ ବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଥିବାବେଳେ ୩ଟି ଧାନବୋଝେଇ ଟ୍ରକ୍ ଧରାପଡ଼ିଥିଲା। ଏହି ଟ୍ରକ୍ ବରଗଡ଼ରୁ ଆନ୍ଧ୍ର ଅଭିମୁଖେ ବାହାରିଥିଲା। ଏହି ଘଟଣା ପରେ ଆଜି ସକାଳ ସମୟରେ ଯୋଗାଣ ବିଭାଗ ଓ ପୁଲିସ୍ ପକ୍ଷରୁ ତନାଘନା କରାଯାଇଥିଲା। ଠିକ୍ ଏହି ସମୟରେ ଶତାଧିକ ଚାଷୀ ଥାନା ସମ୍ମୁଖରେ ପହଞ୍ଚି ନିଜନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଚାଷୀମାନେ ଦୃଢ଼ ସ୍ବରରେ କହିଥିଲେ, ବଳକା ଧାନ ବିକି ନପାରିବାରୁ ସେମାନେ ଆନ୍ଧ୍ରପ୍ରଦେଶ ପଠାଇବାକୁ ବାଧ୍ୟ ହେଉଛନ୍ତି। ପରେ କାଗଜପତ୍ର ଯାଞ୍ଚ କରାଯାଇଥିଲା ଏବଂ କିଛି ଚାଷୀ ବଳକା ଧାନ ଆନ୍ଧ୍ର ପଠାଇଥିବା ବି ସ୍ପଷ୍ଟ ହୋଇଥିଲା।
ଏହି ଘଟଣା ପରେ ସରକାରଙ୍କ ଧାନକିଣା ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଗୋଟିଏପଟେ ଟୋକନ୍ ବିଭ୍ରାଟ ଏବଂ ଅନ୍ୟପଟେ ଧାନ ବିକ୍ରି କଟକଣା। ଯେଉଁଥିପାଇଁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚାଷୀମାନେ କହିଛନ୍ତି। ସରକାରୀ ଭାବେ ଏଥର ବରଗଡ଼ ଜିଲ୍ଲାରେ ୭୦ ହଜାର ହେକ୍ଟରରେ ରବିଚାଷ ହୋଇଛି। କିନ୍ତୁ ଚାଷୀଙ୍କ ପରିସଂଖ୍ୟାନ ହେଲା, ଜିଲ୍ଲାରେ କେବଳ ବିଜୁ କୃଷକ କଲ୍ୟାଣ ଯୋଜନାରେ ୨୬୮୦୮ ବୋର୍ୱେଲ୍ ରହିଛି। ଅର୍ଥାତ୍ କେବଳ ବିଜୁ କୃଷକ କଲ୍ୟାଣ ଯୋଜନାରେ ହିଁ ୬୫ ହଜାର ହେକ୍ଟର ଜମିରେ ରବିଧାନ ଚାଷ ହୋଇଛି। ହୀରାକୁଦ ସେଚାଞ୍ଚଳରେ ୫୪ହଜାର ହେକ୍ଟର ଧାନ ଚାଷ ହୋଇଛି। ଏହାବାଦ୍ ଛୋଟମୋଟ ଡ୍ୟାମ୍ରୁ ପୁଣି ୫ହଜାର ହେକ୍ଟର ପାଖାପାଖି ଜମିରେ ରବିଧାନ ଚାଷ ଚାଲିଛି। ମୋଟାଭୋଟି ଭାବେ ୧.୨୦ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଯାହା ସରକାରୀ ତଥ୍ୟ ତୁଳନାରେ ୫୦ହଜାର ହେକ୍ଟର ଅଧିକ। ଏଥର ବମ୍ପର୍ ଉତ୍ପାଦନ ହୋଇଥିବାବେଳେ ହେକ୍ଟର ପିଛା ମାତ୍ର ୨୭ କ୍ବିଣ୍ଟାଲ ଧାନ ବିକିବାକୁ କୁହାଯାଉଛି। ଫଳରେ, ଚାଷୀ ବାଧ୍ୟହୋଇ ବଳକା ଧାନ ଖୋଲା ବଜାରକୁ ଆଣୁଥିବା ଦେଖିବାକୁ ମିଳୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/5d6465da465dga4gd654g65g.jpg)