ଏସ୍‌ସିବିରେ ଅଭାବନୀୟ ପରିସ୍ଥିତି; ମିଳିଲାନି ଅକ୍ସିଜେନ, ବୃଦ୍ଧଙ୍କ ମୃତ୍ୟୁ

ତଦନ୍ତ ପାଇଁ ଗଠନ ହେଲା ସ୍ବତନ୍ତ୍ର ଟିମ୍‌

କଟକ: ଘଣ୍ଟାଏ କାଳ ୱାର୍ଡରେ ପଡ଼ି ରହିଥିବା ଜଣେ ରୋଗୀଙ୍କୁ ଆବଶ୍ୟକତା ଅନୁଯାୟୀ ଅକ୍ସିଜେନ୍‌ ଦିଆଗଲାନି। ଫଳରେ ସଂପୃକ୍ତ ରୋଗୀଙ୍କ ଜୀବନ ଚାଲିଗଲା। କଟକ ବଡ଼ଡାକ୍ତରଖାନା ପୁରୁଣା ମେଡିସିନ୍‌ ୱାର୍ଡରେ ଘଟିଥିବା ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବାଲେଶ୍ବରରୁ ଏସ୍‌ସିବିକୁ ରେଫର ହୋଇ ରୋଗୀ ଅକ୍ସିଜେନ୍ ବ୍ୟବସ୍ଥାରେ ଆସିଥିବାବେଳେ ଏସ୍‌ସିବି କାଜୁଆଲିଟିରୁ ମେଡିସିନ୍‌ ୱାର୍ଡକୁ ସ୍ଥାନାନ୍ତର ବେଳେ ତାଙ୍କ ଅକ୍ସିଜେନ୍‌କୁ କାଢ଼ି ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏଥିରେ ଭାଗବତ ମହାନ୍ତି(୮୧)ଙ୍କର ମୃତ୍ୟୁ ଘଟିଛି। ଘଟଣାକୁ ନେଇ ତାଙ୍କ ପରିବାର ଲୋକ ଏସ୍‌ସିବି ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗର ତଦନ୍ତ ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛନ୍ତି। ଉଭୟ କାଜୁଆଲିଟି ଓ ମେଡିସିନ୍‌ ବିଭାଗ ମୁଖ୍ୟଙ୍କ ସହିତ ଏ ସଂପର୍କରେ ଆଲୋଚନା କରାଯାଇଛି। ଆଡମିସନ୍‌ଠାରୁ ଆରମ୍ଭକରି ମେଡିସିନ୍‌ ୱାର୍ଡ ସ୍ଥାନାନ୍ତର ପର୍ଯ୍ୟନ୍ତ କେଉଁଠି କଣ ତ୍ରୁଟି ରହିଲା ସେ ସଂପର୍କରେ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ଯାହାର ଦୋଷ ରହିଥିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ ସୂଚନା ଦେଇଛନ୍ତି। ଅନ୍ୟପଟେ ଏସସିବିରେ ଏବେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍‌ ଗଚ୍ଛିତ ଥିବା ସେ ସ୍ପଷ୍ଟ କରିଛନ୍ତି।

ବାଲେଶ୍ବର ମେଡିକାଲରୁ ଗତରାତିରେ ଭାଗବତ ମହାନ୍ତିଙ୍କୁ କଟକ ବଡ଼ଡାକ୍ତରଖାନାକୁ ଅଣାଯାଇଥିଲା। ଏସ୍‌ସିବି କାଜୁଆଲିଟିରେ ପ୍ରଥମେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କର ଆଜ୍‌ମା ଥିବାରୁ ତାଙ୍କୁ ଅକ୍ସିଜେନ୍‌ ଦିଆଯାଇଥିଲା। ତେବେ କାଜୁଆଲିଟିରୁ ପୁରୁଣା ମେଡିସିନ୍‌ ୱାର୍ଡକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେହି ସମୟରେ କିନ୍ତୁ ତାଙ୍କ ଅକ୍ସିଜେନ୍ ଖୋଲି ଦିଆଯାଇଥିଲା। ପରିବାର ଲୋକ ଏହାର ପ୍ରତିବାଦ କରିଥିଲେ ବି କର୍ମଚାରୀମାନେ ମେଡିସିନ୍‌ ୱାର୍ଡକୁ ଗଲାପରେ ସେଠାରେ ଅକ୍ସିଜେନ ଦିଆଯିବ ବୋଲି କହିଥିଲେ। କିନ୍ତୁ ମେଡିସିନ୍‌ ୱାର୍ଡରେ ପହଞ୍ଚିବା ପରେ ମଧ୍ୟ ଅକ୍ସିଜେନ ଦିଆଯାଇନଥିଲା। ବାରମ୍ବାର ଅକ୍ସିଜେନ ଦେବାକୁ କହିଥିଲେ ସୁଦ୍ଧା ଅକ୍ସିଜେନ୍ ନାହିଁ କହି ଅକ୍ସିଜେନ ଦେ  ନଥିଲେ। ଯାହା ଫଳରେ ଅକ୍ସିଜେନ ନପାଇ ଭାଗବତ ଆଖିବୁଜି ଦେଇଥିବା ତାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏସ୍‌ସିବିରେ ବିଭିନ୍ନ ସମୟରେ ଅକ୍ସିଜେନ ଅଭାବ ଏବଂ ଅକ୍ସିଜେନ ଥାଇ ମଧ୍ୟ ଲଗାଇବାକୁ କେହି ନଥିବାରୁ ଗୁରୁତର ରୋଗୀଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ରହିଆସିଛି। କିନ୍ତୁ ଏସ୍‌ସିବି କର୍ତ୍ତୃପକ୍ଷ କେବଳ ତଦନ୍ତ ନିର୍ଦ୍ଦେଶ ଦେଇ ପରବର୍ତ୍ତୀ ସମୟରେ ହାତ ବାନ୍ଧି ବସି ଯାଆନ୍ତି। ତେଣୁ ବ୍ୟବସ୍ଥା ସୁଧୁରିବା ବଦଳରେ ଏଭଳି ଦିନକୁ ଦିନ ବିଗିଡ଼ି ଚାଲିଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର