ଉଚ୍ଚଶିକ୍ଷା ବିପର୍ଯ୍ୟୟ ମୁହାଁ: ୩ ବର୍ଷରେ କମିଲେଣି ୫ ହଜାର ଶିକ୍ଷକ

ସ୍ନାତକ କଲେଜରେ ପଡ଼ୁଛି ତାଲା / ୨୦୧୬-୧୭ରେ ବାହାରିଛନ୍ତି ୨ ଲକ୍ଷ ଡିଗ୍ର୍ରିଧାରୀ

ଭୁବନେଶ୍ୱର : ଓଡ଼ିଶାର ଉଚ୍ଚଶିକ୍ଷା ସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଉଥିଲେ ମଧ୍ୟ ସେହି ଅନୁଯାୟୀ ପ୍ରଫେସର, ରିଡର୍‌ ଓ ଅଧ୍ୟାପକ ନାହାନ୍ତି। ଯେଉଁଥିପାଇଁ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ। ସ୍ଥିତି ଏମିତି ହୋଇଛି ଯେ ଗତ ୩ ବର୍ଷ ମଧ୍ୟରେ ୫ ହଜାର ଶିକ୍ଷକ କମିଲେଣି। ଯେଉଁ ପ୍ରଫେସର ଓ ଅଧ୍ୟାପକ ଅବସର ଗ୍ରହଣ କରୁଛନ୍ତିି ସେମାନଙ୍କ ସ୍ଥାନରେ ନୂତନ ନିଯୁକ୍ତି ଦିଆଯାଉ ନାହିଁ।

ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସ୍ଥିତି ଅଧିକ ସଙ୍ଗିନ ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ବ୍ରହ୍ମପୁର, ସମ୍ବଲପୁର, ରେଭେନ୍ସା, ବିପିୟୁଟି, ଭିଏସ୍‌ଏସ୍‌ୟୁଟି, ଓୟୁଏଟି, ରମାଦେବୀ ପରି ରାଜ୍ୟର ପ୍ର୍ରମୁଖ ବିଶ୍ୱବିଦ୍ୟାଳୟରେ ଆବଶ୍ୟକ ପ୍ରଫେସର ଓ ରିଡର ନାହାନ୍ତିି। ସବୁଠି ୩୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ପଦବି ଖାଲି ରହିଛି। କେତେକ ପ୍ରମୁଖ ସରକାରୀ ବିଶ୍ୱବିଦ୍ୟାଳୟରେ ଯେଉଁ ପଦବି ପୂରଣ ହୋଇଛି, ତାହା ସମୁଦ୍ରକୁ ଶଙ୍ଖେ। ସ୍ନାତକ କଲେଜଗୁଡ଼ିକରେ ବି ଏବେ ୪୦ ପ୍ରତିଶତରୁ ଅଧିକ ଅଧ୍ୟାପକ ନାହାନ୍ତି। ଅସ୍ଥାୟୀ, ଅତିଥି ଅଧ୍ୟାପକରେ କାମ ଚାଲିଛି। ଘରୋଇ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା ଲାଗି ରହିଛି।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ତଥ୍ୟ କହୁଛି, ୨୦୧୪-୧୫ ଶିକ୍ଷାବର୍ଷରେ ଓଡ଼ିଶାରେ ୪୧,୮୫୨ ଶିକ୍ଷକ ରହିଥିଲେ। ଏହି ସଂଖ୍ୟା ୨୦୧୬-୧୭ରେ ହ୍ରାସ ପାଇ ୩୬,୭୮୪ରେ ପହଞ୍ଚିଛି। ୩ ବର୍ଷ ମଧ୍ୟରେ ପ୍ରଫେସର, ରିଡର୍‌, ଅଧ୍ୟାପକଙ୍କ ସଂଖ୍ୟା କମିଛି। ୨୦୧୪-୧୫ରେ ୩୨୧୭ ପ୍ରଫେସର ଥିବା ବେଳେ ୨୦୧୫-୧୬ରେ ୩୦୭୨ ଏବଂ ୨୦୧୬-୧୭ରେ ପ୍ରଫେସରଙ୍କ ସଂଖ୍ୟା ହ୍ରାସ ପାଇ ୨୭୯୫ରେ ପହଞ୍ଚିଛି। ରିଡର୍‌ଙ୍କ ସଂଖ୍ୟା ମଧ୍ୟ ୩ ବର୍ଷ ମଧ୍ୟରେ ୪୭୧୮ରୁ କମି ୩୬୩୩ରେ ରହିଛି। ଏକ ହଜାରରୁ ଅଧିକ ରିଡର କମିବା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଲାଗି ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

ଅଧ୍ୟାପକଙ୍କ କ୍ଷେତ୍ରରେ ବି ସମାନ ଅବସ୍ଥା। ୨୦୧୪-୧୫ରେ ରାଜ୍ୟରେ ୨୮,୮୫୩ ଅଧ୍ୟାପକ ଥିଲେ। ଏବେ ତାହା ଖସି ୨୫,୭୪୮ରେ ପହଞ୍ଚିଛି। ଆଶ୍ୱସ୍ତିର ବିଷୟ ହେଉଛି ଯେ ଡେମୋନ୍‌ଷ୍ଟ୍ରେଟର୍‌ଙ୍କ ସଂଖ୍ୟାରେ କିଛିଟା ବୃଦ୍ଧି ପାଇ ୩୧୪୭ରେ ପହଞ୍ଚିଛି। ଅସ୍ଥାୟୀ ଶିକ୍ଷକଙ୍କ ସଂଖ୍ୟା ୧୯୭୬ରୁ ହ୍ରାସ ପାଇ ୧୨୮୧ରେ ରହିଥିବା ଜଣାପଡ଼ିଛି। ସ୍ନାତକ କଲେଜ ସଂଖ୍ୟା ମଧ୍ୟ କମୁଛି। ସାଧାରଣ ପାଠ୍ୟକ୍ରମ ସମେତ ଇଞ୍ଜିନିୟରିଂ, ମ୍ୟାନେଜ୍‌ମେଣ୍ଟ, ମେଡିକାଲ ପାଠ୍ୟକ୍ରମରେ ଶିକ୍ଷାଦାନ ଲାଗି ୨୦୧୦-୧୧ରେ ୧୦୮୯ଟି କଲେଜ ଥିଲା। ଏବେ ତାହା ୧୦୬୭ରେ ପହଞ୍ଚିଛି।

ମନ୍ତ୍ରାଳୟ ତଥ୍ୟରେ ଆହୁରି ଉଲ୍ଲେଖ ରହିଛି ଯେ ୨୦୧୬-୧୭ ଶିକ୍ଷାବର୍ଷରେ ବିଭିନ୍ନ ପାଠ୍ୟକ୍ରମରେ ଓଡ଼ିଶାରୁ ୨ଲକ୍ଷ ୧ ହଜାର ୮୮୫ ଜଣ ଡିଗ୍ରିଧାରୀ ବାହାରିଛନ୍ତି। ସେମାନଙ୍କ ମଧ୍ୟରୁ ୧୧୫୦ ଜଣ ପିଏଚ୍‌ଡିଧାରୀ ରହିଥିବା ବେଳେ ୯୭୦ ଜଣ ଏମ୍‌.ଫିଲ୍‌, ୧୯,୧୦୪ ଜଣ ପିଜିରେ କୃତକାର୍ଯ୍ୟ ହୋଇଛନ୍ତି। ୟୁଜିରେ ସର୍ବାଧିକ ୧,୪୮,୦୪୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୭,୦୮୯ ଛାତ୍ର ଏବଂ ୭୦,୯୫୪ ଛାତ୍ରୀ ରହିଛନ୍ତି। ପିଜି ଡିପ୍ଲୋମାରେ ମାତ୍ର ୪୦୦, ଡିପ୍ଲୋମାରେ ୨୭,୬୦୫, ସାର୍ଟିଫିକେଟ୍‌ କୋର୍ସରେ ୩୮୪୪ ଏବଂ ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମଗୁଡ଼ିକରେ ୮୪୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏମ୍‌.ଫିଲ୍‌, ସାର୍ଟିଫିକେଟ୍‌ ଏବଂ ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମରେ ଛାତ୍ରଙ୍କ ଅପେକ୍ଷା ଅଧିକ ଛାତ୍ରୀ ଶିକ୍ଷା ଗ୍ରହଣ କରି ସଫଳତାର ସହ ଡିଗ୍ରି ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର