ତୁମୁଡ଼ିବନ୍ଧ : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ର ୧୧ଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏହି ତାଲିକାରୁ ବହୁ ଗରିବ ଆଦିବାସୀ ଓ କୁଟିଆକନ୍ଧ ଆଦିମ ଜନଜାତି ହିତାଧିକାରୀଙ୍କ ନାଁ କଟିଯାଇଛି। ଏହାବଦଳରେ ଶିକ୍ଷକଶିକ୍ଷୟତ୍ରୀ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଓ ସରପଞ୍ଚଙ୍କ ସମେତ ଏକାଧିକ ଧନୀ ହିତାଧିକାରୀ ତାଲିକାରେ ସ୍ଥାନ ପାଇଛନ୍ତି। କେବଳ ଏତିକି ନୁହେଁ, ଯେଉଁମାନଙ୍କ ନାମରେ ପୂର୍ବରୁ ଆବାସ ରହିଛି ଉକ୍ତ ପରିବାରର ସଦସ୍ୟମାନେ ମଧ୍ୟ ପୁଣି ନୂଆ ତାଲିକାରେ ସ୍ଥାନ ପାଇଛନ୍ତି। ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।

Advertisment

ବ୍ଲକ୍‌ରେ ସର୍ବମୋଟ ୪୦୮୯ ଜଣ ହିତାଧିକାରୀଙ୍କ ମଧ୍ୟରୁ ସମ୍ଭାବ୍ୟ ତାଲିକାରେ ୨୨୪୦ ଜଣ ହିତାଧିକାରୀଙ୍କ ନାମ ପ୍ରକାଶ ପାଇଛି। ୧୮୪୯ ଜଣଙ୍କ ନାମ କଟିଯାଇଛି। ବେଲଘର ପଞ୍ଚାୟତରେ ୪୮୬ ଜଣଙ୍କ ମଧ୍ୟରୁ ୧୭୪ ଜଣ ହିତାଧିକାରୀଙ୍କ ନାମ ଚୂଡ଼ାନ୍ତ ତାଲିକାରେ ପ୍ରକାଶ ପାଇଛି। ସେହିପରି ଭଣ୍ଡରଙ୍ଗୀ ପଞ୍ଚାୟତର ୧୮୭ ଜଣଙ୍କ ମଧ୍ୟରୁ ୧୭୫ ଜଣ, ବିଳାମାଲର ୨୫୧ ଜଣ ମଧ୍ୟରୁ ୧୮୬ ଜଣ,ଗୁମାର ୫୪୩ ଜଣଙ୍କ ମଧ୍ୟରୁ ୨୩୪ ଜଣ, କରୁକୁଡୁପାର ୨୮୪ ଜଣଙ୍କ ମଧ୍ୟରୁ ୨୦୨ ଜଣ, କୂର୍ତମଗଡ଼ର ୪୫୬ ଜଣଙ୍କ ମଧ୍ୟରୁ ୨୪୪ ଜଣ, ଲଙ୍କାଗଡ଼ର ୪୦୯ ଜଣଙ୍କ ମଧ୍ୟରୁ ୨୫୪ ଜଣ, ମୁଣ୍ଡିଗଡ଼ର ୫୫୨ ଜଣଙ୍କ ମଧ୍ୟରୁ ୨୦୪ ଜଣ, ସିର୍ଲାର ୨୧୮ ଜଣଙ୍କ ମଧ୍ୟରୁ ୧୬୦ ଜଣ ଓ ତୁମୁଡ଼ିବନ୍ଧ ପଞ୍ଚାୟତ‌ରେ ଆଗରୁ ଥିବା ୪୬୯ ଜଣଙ୍କ ମଧ୍ୟରୁ ସମ୍ଭାବ୍ୟ ତାଲିକାରେ ମାତ୍ର ୨୫୧ ଜଣଙ୍କ ନାମ ରହିଛି। ସମ୍ଭାବ୍ୟ ତାଲିକାରୁ ବହୁ ଯୋଗ୍ୟ ଓ ଗରିବ ହିତାଧିକାରୀ ବାଦ୍ ପଡ଼ିଛନ୍ତି।

ତୁମୁଡ଼ିବନ୍ଧ ବ୍ଲକ୍‌ର ଅଧିକାଂଶ ପଞ୍ଚାୟତର ଗ୍ରାମ ଆଦିବାସୀ ଅଧ୍ୟୁଷିତ। କିନ୍ତୁ, ଗ୍ରାମ ଗୁଡ଼ିକର ନାମ ମଧ୍ୟ ଏହି ତାଲିକାରେ ନାହିଁ। ତୁମୁଡ଼ିବନ୍ଧ ପଞ୍ଚାୟତର ପଲମ, ବଲମ, କଦମ ଓ ନିଲିଙ୍ଗପଦର ଗ୍ରାମର କୌଣସି ହିତାଧିକାରୀଙ୍କ ନାମ ତାଲିକାରେ ନାହିଁ। କଦମ ଗ୍ରାମର ୧୪ ଜଣ ହିତାଧିକାରୀ ପୂର୍ବରୁ ତାଲିକାଭୁକ୍ତ ଥିବା ବେଳେ ଚୂଡ଼ାନ୍ତ ତାଲିକାରୁ ସେମାନଙ୍କ ନାମ କଟିଯାଇଛି। ଏଥିପାଇଁ ଗ୍ରାମର କିଛି ଯୁବକ ବ୍ଲକ୍ ଅଫିସ୍‌କୁ ଅଭିଯୋଗ କରିବାକୁ ଆସି ନିରାଶ ହୋଇ ହୋଇ ଫେରିଛନ୍ତି। ଆଉ ଏଭଳି ପରିସ୍ଥିତିରେ ଜନପ୍ରତିନିଧିମାନେ ତାଲିକାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ଦ୍ବାରା ଆକ୍ରୋଶର ଶିକାର ହେଉଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କ ବିଷୟରେ ଅଭିଯୋଗ କରିବାକୁ ବ୍ଲକ୍ ପ୍ରଶାସନ ପକ୍ଷରୁ ବାକ୍ସ୍ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ହେଲେ, ତାଲିକାର ପୁନଃବିଚାର ହେବ ନା, ଅଯୋଗ୍ୟ ହିତାଧିକାରୀ ମାନେ ତାଲିକାରେ ରହି ଘର ପାଇବେ ଏହା ସମୟ କହିବ।